ଡିସେମ୍ବର ସୁଦ୍ଧା ଝାରସୁଗୁଡ଼ା ବିମାନବନ୍ଦରରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା, ଯୋଡ଼ିହେବ ଆଉ ଏକ ସହର

ସମ୍ବଲପୁର : ଡିସେମ୍ବର ସୁଦ୍ଧା ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌(ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ) ବ୍ୟବସ୍ଥା। ଶନିବାର ସମ୍ବଲପୁର ଆଇଆଇଏମ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ସୂଚନା ‌ଦେଇ ବିମାନ ବନ୍ଦର ନିର୍ଦେଶକ ଏସ୍‌.କେ.ଚୌହାନ ଏଭଳି ସୂଚନା ଦେଇଛନ୍ତି।

ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରନୱେ କାର୍ପେଟିଂ ପାଇଁ କିଛି ମାସ ବିମାନ ଚଳାଚଳ ବନ୍ଦ ରହିବ। ଏହି ସମୟରେ ଝାରସୁଗୁଡ଼ା ବିମାନବନ୍ଦର ଉପରେ ଚାପ ପଡ଼ିପାରେ ବୋଲି କୁହାଯାଉଛି। ଏହାର ଉତ୍ତରରେ ଶ୍ରୀ ଚୌହାନ କହିଥିଲେ ଯେ, ଏହି ସମୟରେ ଝାରସୁଗୁଡ଼ା ବିମାନବନ୍ଦରରୁ ଯଦି କିଛି ବିମାନ ପରିଚାଳିତ ହୁଏ ତଥାପି ମଧ୍ୟ କୌଣସି ପ୍ରକାର ଅସୁବିଧା ହେବନାହିଁ। ଏହାବାଦ୍‌ ଆଉ କେଇଟା ମାସ ମଧ୍ୟରେ ଭୁବନେଶ୍ବର ବିମାନବନ୍ଦରରେ ଉପଲବ୍ଧ ହେଉଥିବା ସମସ୍ତ ଭିତ୍ତିଭୂମି ଜନିତ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ହେବ। ବର୍ତ୍ତମାନ ବିମାନବନ୍ଦରରେ ୨ଟି ପାର୍କିଂ ସ୍ଥଳ ଥିବା ସମୟରେ ଏହାକୁ ୬ଟି ଯାଏ ବୃଦ୍ଧି କରିବାର ଅନୁମତି ମିଳିସାରିଛି ବୋଲି ଶ୍ରୀ ଚୌହାନ କହିଥିଲେ। ଅପରପକ୍ଷେ, ଆସନ୍ତା ଶୀତଋତୁରୁ ବେଙ୍ଗାଲୁରୁ ସହର ସହ ମଧ୍ୟ ଝାରସୁଗୁଡ଼ା ବିମାନବନ୍ଦର ସହ ଯୋଡ଼ି ହେବାର ଲକ୍ଷ୍ୟ ରହିଥିବା ସେ କହିଥିଲେ। ବର୍ତ୍ତମାନ ନୂଆଦିଲ୍ଲୀ, ହାଇଦ୍ରାବାଦ, କୋଲକତା, ରାୟପୁର ଓ ଭୁବନେଶ୍ବରକୁ ଏଠାରୁ ବିମାନ ଚଳାଚଳ କରୁଥିବା ସମୟରେ ବେଙ୍ଗାଲୁରୁ ପାଇଁ ମଧ୍ୟ ଅନୁମତି ମିଳିଛି। ସ୍ପାଇସ୍‌ ଜେଟ୍‌ର ୧୯୮ଜଣ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ବୋଇଂ-୭୩୭ର ଉଡ଼ାଣ ଅକ୍ଟୋବର ୨୭ରୁ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଏହାବାଦ୍‌ ଏଲାଏନ୍ସ ଏୟାର ମଧ୍ୟ କୋଲକାତାକୁ ଏହାର ନୂତନ ବିମାନ ଚଳାଚଳ ଖୁବ୍‌ ଶୀଘ୍ର ଆରମ୍ଭ କରିବ ବୋଲି ଶ୍ରୀ ଚୌହାନ କହିଥିଲେ।

ସମ୍ବନ୍ଧିତ ଖବର