ଲଘୁଚାପ ପ୍ରଭାବ, ଶୀତ ବଢ଼ିବ

ଭୁବନେଶ୍ୱର: ଆସନ୍ତା ରବିବାର ଉପକୂଳର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ। ୧୭ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବ। ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ଶୀତଦିନିଆ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୨ ତାରିଖ ଯାଏଁ ଥଣ୍ଡା ଲାଗି ରହିବ।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବର୍ତମାନ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହୁଛି। ଆଜି ଏହାର ବେଗ ଘଣ୍ଟାକୁ ୨୦ କି.ମି. ରହିଛି। ୧୨ ତାରିଖରେ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସୃଷ୍ଟି ହେଲେ ଏହାର ଆଂଶିକ ପ୍ରଭାବ ପଡ଼ିବ ଉପକୂଳ ଓଡ଼ିଶାରେ। ଉପକୂଳର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ। ତେବେ ୧୬ ତାରିଖ ବେଳକୁ ଲଘୁଚାପ ତାମିଲନାଡ଼ରୁ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ଅଧିକ। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଅଧିକ ପରିମାଣର ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ୧୪° ରେକର୍ଡ କରାଯାଇଛି। ସେହିପରି ହୀରାକୁଦରେ ୧୫.୩°, କେନ୍ଦୁଝରରେ ୧୬.୫°, ସୁନ୍ଦରଗଡ଼, ଅନୁଗୁଳରେ ୧୭°, କୋରାପୁଟରେ ୧୭.୪°, ସମ୍ବଲପୁରରେ ୧୭.୬°, ବଲାଙ୍ଗୀର, ଭବାନୀପାଟଣାରେ ୧୮.୨°, ଢେଙ୍କାନାଳରେ ୧୮.୭°, ସୋନପୁର, ବାରିପଦାରେ ୧୮.୮°, ଝାରସୁଗୁଡ଼ା, ତାଳଚେରରେ ୧୯°, କଟକ, ଭୁବନେଶ୍ୱରରେ ୧୯.୨°, ବାଲେଶ୍ୱରରେ ୧୯.୫° ରହିଛି।

ସମ୍ବନ୍ଧିତ ଖବର