ଧାମରା ବନ୍ଦର ସଂପ୍ରସାରିତ

୯ମାସ ପରେ ଜବାବୀ କାର୍ଯ୍ୟକ୍ରମ

ବାର୍ଷିକ ୧୦୦ଏମ୍‌ଟିପିଏ ପଣ୍ୟ କାରବାର ଲକ୍ଷ୍ୟ
ପ୍ରତିଷ୍ଠା ହେବ ଶିଳ୍ପ ପାର୍କ, ଏୟାରଷ୍ଟ୍ରିପ୍‌

ଭୁବନେଶ୍ୱର/ଭଦ୍ରକ : ଧାମରା ବନ୍ଦର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂପ୍ରସାରଣ ଫଳରେ ପଣ୍ୟ କାରବାର କ୍ଷମତା ବାର୍ଷିକ ୨୫ ମିଲିୟନ୍‌ ଟନ୍‌ରୁ ୧୦୦ ମିଲିୟନ ଟନ୍‌କୁ ବୃଦ୍ଧି ପାଇବ ବୋଲି ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବନ୍ଦରର ସଂପ୍ରସାରଣ ବ୍ୟତୀତ ଫର୍ଟିଲାଇଜର୍‌ କମ୍ପ୍ଲେକ୍ସ ଓ ବାର୍ଜ ବର୍ଥ କମ୍ପ୍ଲେକ୍ସର ମଧ୍ୟ ଲୋକାର୍ପଣ କରାଯାଇଛି।

ତେବେ ଏହି କାର୍ଯ୍ୟକ୍ରମକୁ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ୨୦୧୧ ମସିହାରେ ଧାମରା ବନ୍ଦରର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାତ ବର୍ଷ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ବି ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ୨୦୧୭ ଜୁଲାଇରେ ଏଲ୍‌ଏନଜି ଓ ଏଲ୍‌ପିଜି ଭୂମିପୂଜନ ସମାବେଶ ଆଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତି ପ୍ରଦର୍ଶନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ମୁହୂର୍ତରେ ଏହି କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିଲେ। ଏହାକୁ ନେଇ ସେ ସମୟରେ ଓଡ଼ିଶା ରାଜନୀତିରେ ଝ଼ଡ଼ ସୃଷ୍ଟି ହୋଇଥିଲା।

ଠିକ୍‌ ୯ମାସ ପରେ ଆଜି ଅନୁରୂପ ଢଙ୍ଗରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ଓ ସ୍ଥାନୀୟ ବିଧାୟକ ଏବଂ ମନ୍ତ୍ରୀଙ୍କ ଗହଣରେ ଶାସକ ଦଳ ଶକ୍ତି ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବନ୍ଦରର ସଂପ୍ରସାରଣ ବ୍ୟତୀତ ଫର୍ଟିଲାଇଜର୍‌ କମ୍ପ୍ଲେକ୍ସ ଓ ବାର୍ଜ ବର୍ଥ କମ୍ପ୍ଲେକ୍ସର ମଧ୍ୟ ଲୋକାର୍ପଣ କରାଯାଇଛି। କେବଳ ସେତିକି ନୁହେଁ, ଆଦାନୀ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ମଧ୍ୟ ଶୁଭାରମ୍ଭ ହୋଇଛି ଓ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯଦିଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଆଜି କିନ୍ତୁ ତାଙ୍କୁ ଏହି କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି। ଏଥିସହିତ ଧାମରାରେ ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ରାଜନୀତିରେ ଅତ୍ୟନ୍ତ ଗୁରୁତ୍ୱର ସହିତ ପର୍ଯ୍ୟବେକ୍ଷକ ମହଲ ଗ୍ରହଣ କରୁଛନ୍ତି।

ଆଜି ଧାମରା ବନ୍ଦର ଲୋକାର୍ପଣ କରିବା ଛଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦରର ବିକାଶ ସଂପର୍କିତ ନକ୍ସା ଆଙ୍କିଥିଲେ। କହିିଥିଲେ, ବାଣିଜ୍ୟିକ ଏୟାର ଷ୍ଟ୍ରିପ୍‌ ବିକାଶ ପାଇଁ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ସରକାରଙ୍କର ବିଚାରାଧୀନ ରହିଛି। ଧାମରାରେ ୭ଶହ ଏକର ଜମିରେ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଏହାବ୍ୟତୀତ ବନ୍ଦରରୁ ମୁଖ୍ୟ ରେଳଲାଇନ୍‌ ପର୍ଯ୍ୟନ୍ତ ଥିବା ରେଳ ଲାଇନ୍‌ର ଦୋହରାକରଣ ନେଇ ମଧ୍ୟ ସେ ସୂଚାଇଥିଲେ।

ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ, ଧାମରା ବନ୍ଦର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିଛି। ସରକାରୀ ଓ ଘରୋଇ ଭାଗୀଦାରିତା (ପିପିପି)ର ଏକ ସଫଳ ଉଦାହରଣ ଭାବେ ମଧ୍ୟ ଏହାକୁ ବିବେଚନା କରାଯାଇପାରେ। ଏହି ବନ୍ଦର ଦକ୍ଷିଣ ଏସିଆର ଗଭୀରତମ ବନ୍ଦରର ମାନ୍ୟତା ଲାଭ କରିଛି। ରାଜ୍ୟ ସରକାର ଏଠାରେ ଏକ ଶିଳ୍ପ ପାର୍କ ସ୍ଥାପନ କରିବାର ଯୋଜନା ରଖିଛନ୍ତି। ଆଦାନୀ ବନ୍ଦର ଏହି ଶିଳ୍ପ ପାର୍କ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେବା ସହିତ ଏହି ଅଞ୍ଚଳରେ ବୃହତ୍‌ ଉଦ୍ୟୋଗୀକରଣ ସୃଷ୍ଟି କରି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଶେଷ ଭୂମିକା ଗ୍ରହଣ କରିବ।

ଓଡ଼ିଶାର ଗୌରବମୟ ଐତିହ୍ୟକୁ ପୁନର୍ଜିବୀତ କରିବା ପାଇଁ ଷାଠିଏ ଦଶକରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦର ପ୍ରତିଷ୍ଠା କରିଥିଲେ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଏହି ବନ୍ଦର ଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ହେବାର ଗୌରବ ବହନ କରୁଛି। ସେହିପରି ୨୦୧୧ ମସିହାରେ ପ୍ରତିଷ୍ଠା ହୋଇଥିବା ଧାମରା ବନ୍ଦର ସଫଳତାର ସହିତ ଆଗକୁ ବଢ଼ୁଛି ଯାହାକି ଓଡ଼ିଶା ପାଇଁ ମଧ୍ୟ ଗର୍ବର ବିଷୟ।

ଉତ୍ସବରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ କହିଥିଲେ, ଧାମରା ବନ୍ଦର ଦକ୍ଷିଣ ପୂର୍ବ ଏସିଆନ୍‌ ରାଷ୍ଟ୍ରମାନଙ୍କ ସହ ବାଣିଜ୍ୟିକ କାରବାର ନିମନ୍ତେ ଭାରତର ପ୍ରବେଶ ପଥ ରୂପେ କାର୍ଯ୍ୟ କରିବ। ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ୮୮ ପ୍ରତିଶତ ସ୍ଥାନୀୟ ଲୋକଙ୍କ ସମେତ ୩୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେହିଭଳି ଧାମରା ବନ୍ଦରରେ କାର୍ଯ୍ୟ ଚାଲୁଥିବା ଏଲ୍‌ଏନ୍‌ଜି ଓ ଏଲ୍‌ପିଜି ଟର୍ମିନାଲ୍‌ରେ ପ୍ରାୟ ୮୦୦୦ କୋଟି ଟଙ୍କାର ନିବେଶ କରାଯିବ। ୨୦୨୦ ସୁଦ୍ଧା ଏହି ଦୁଇଟି ଟର୍ମିନାଲ୍‌ର କାର୍ଯ୍ୟ ସମାପ୍ତ ହେବ ବୋଲି ଶ୍ରୀ ଆଦାନୀ ସୂଚନା ଦେବା ସହିତ ଭବିଷ୍ୟତରେ ଧାମରା ବନ୍ଦରରେ ୩୫ଟି ନୂତନ ବର୍ଥ ସ୍ଥାପନ କରାଯିବାର ଯୋଜନା ରହିଥିବା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ଅର୍ଜୁନ ଚରଣ ସେଠୀ, ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକ,ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଏପିଏସ୍‌ଇଜେଡ଼୍‌ ସିଇଓ କରନ ଆଦାନୀ, ଧାମରା ବନ୍ଦର ସିଇଓ ସୁବ୍ରତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବନ୍ଦର ସିଇଓ ଶ୍ରୀ ତ୍ରିପାଠୀ କହିଥିଲେ, ଏବେ ସୁଦ୍ଧା ଏହି ବନ୍ଦର ରାଜ୍ୟ ସରକାରଙ୍କୁ ୨୮୦ କୋଟି ଟଙ୍କାର ରାଜସ୍ୱ ଦେଇସାରିଲାଣି। ବାର୍ଷିକ ପାଖାପାଖି ୮୦ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ସରକାର ପାଇପାରୁଛନ୍ତି। ଏହାବ୍ୟତୀତ ଅନ୍ୟାନ୍ୟ ଟିକସ ବି ରହିଛି।

ବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଯେ ଏଠାରେ ଏକ ବାଣିଜ୍ୟିକ ଏୟାରଷ୍ଟ୍ରିପ୍‌ ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ଜମି ମଗାଯାଇଛି। ଏହା ଉତ୍ତର ଓଡ଼ିଶାକୁ ଆକାଶପଥରେ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ସେହିପରି ବନ୍ଦରରୁ ଜାମୁଝଡି ପର୍ଯ୍ୟନ୍ତ ୬୦ କିଲୋମିଟର ଦୀର୍ଘ ରାସ୍ତାର ବିକାଶ କରାଯିବ। ଏହି ରାସ୍ତାକୁ ଦୁଇଥାକିଆ କରାଯିବ, ଯେଉଁଥିରେ ପ୍ରାୟ ୨୫୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ହିସାବ କରାଯାଇଛି। ରାଜ୍ୟ ସରକାର ଏହାର ବିକାଶ କରିବେ ଓ ଏକ ତୃତୀୟାଂଶ ଅର୍ଥ ବନ୍ଦର କର୍ତ୍ତୃପକ୍ଷ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏ ବାବଦରେ ଏବେ ସୁଦ୍ଧା ୨୦ କୋଟି ଟଙ୍କା ଜମା କରାଯାଇ ସାରିଛି।

ରାଜ୍ୟର ପ୍ରଥମ ବନ୍ଦର ଭାବରେ ଧାମରା ବନ୍ଦରରେ ଏକ ଫର୍ଟିଲାଇଜର୍‌ କମ୍ପ୍ଲେକ୍ସ୍‍ର ଶୁଭାରମ୍ଭ କରାଯାଇଥିବା ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଥିଲେ, ଏହାଦ୍ୱାରା ରାଜ୍ୟର ଚାଷୀମାନଙ୍କ ନିକଟରେ ଠିକ୍‌ ସମୟରେ ଓ ସହଜରେ ସାର ପହଞ୍ଚାଇବା ଲକ୍ଷ୍ୟ ରହିଛି। ଧାମରା ତଥା ଆଖପାଖ ୭୪ଟି ଗ୍ରାମରେ ଶିକ୍ଷାର ପ୍ରସାର ପାଇଁ ଆଦାନୀ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ବିଶାଳ ସ୍କୁଲ୍‌ ଗୃହ ନିଃଶୁଳ୍କ ଶିକ୍ଷା ପ୍ରଦାନ କରୁଛି ଏବଂ ଏଠାରେ ଏବେ ଏଲ୍‌କେଜି ଠାରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୪୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଆଗାମୀ ଦିନରେ ଏଲ୍‌କେଜିରୁ ଦଶମ ଶ୍ରେଣୀର ପ୍ରାୟ ୬୪୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସଂପର୍କରେ ଅଧିକାରୀ ସୂଚନା ଦେଇଥିଲେ।

ଆଜି ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଦକ୍ଷତା ବିକାଶ କେନ୍ଦ୍ରରୁ ପ୍ରତିବର୍ଷ ୧୦୦୦ ସ୍ଥାନୀୟ ଯୁବକଯୁବତୀଙ୍କୁ ବିଭିନ୍ନ ବିଷୟରେ ତାଲିମ ଦିଆଯିବ।
ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବନ୍ଦରକୁ ୭୪୬ ଏକର ଜମି ଯୋଗାଇ ଦେଇଥିଲେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୮୬ ଏକର ଜମି ଦିଆଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ କର୍ତ୍ତୃପକ୍ଷ ପ୍ରାୟ ୩୫୦୦ କୋଟି ଟଙ୍କା ବିନିଯୋଗ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏବେ ସୁଦ୍ଧା ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା କୁହାଯାଇଥିଲା।

ସମ୍ବନ୍ଧିତ ଖବର