ଉଦ୍‌ଘାଟନସ୍ଥଳ ପାଲଟିଲା ରଣକ୍ଷେତ୍ର: କଂଗ୍ରେସ-ବିଜେଡି ସମର୍ଥକ ଧସ୍ତାଧସ୍ତି

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇଠାରେ ଆଜି ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିବାବେଳେ ଏହାକୁ ନେଇ ସ୍ଥ‌ାନୀୟ ରାଜନୀତି ସରଗରମ ହୋଇଉଠିଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନାଲ ମେଡିକାଲର ଶିଶୁ ଓ ମାତୃ ମଙ୍ଗଳ ଗୃହ ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ପ୍ରଥମେ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ତାଙ୍କ ଶତାଧିକ ସମର୍ଥକ ମାନଙ୍କ ସହ ଏକ ଶୋଭାଯାତ୍ରାରେ ଦିନ ପ୍ରାୟ ସାଢେ ଏଗାର‌ଟାରେ ମେଡିକାଲ ପରିସରରେ ପହଞ୍ଚିଥିଲେ। ସେହି ସମୟରେ ପଟ୍ଟାମୁଣ୍ଡାଇ ମେଡିକାଲର ବିପର୍ଯ୍ୟସ୍ତ ରୋଗୀ ସେବା ଓ ବିଭିନ୍ନ ଅଭାବଅସୁବିଧା ସଂପର୍କରେ ଏକ ଲିଫ୍‌ଲେଟ୍‌ ସଭାସ୍ଥଳରେ ବଣ୍ଟା ଯାଇଥିଲା। ଏହି ଲିଫ୍‌ଲେଟ୍‌କୁ ନେଇ ସଭାସ୍ଥଳରେ ଚାପାଗୁଞ୍ଜରଣ ସୃଷ୍ଟି ହୋଇଥିଲା। ବିଧାୟକ ପହଞ୍ଚିବାର ପାଖାପାଖି ଏକଘଣ୍ଟା ପରେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ନେତୃତ୍ବରେ ଦୁଇ ହଜାରରୁ ଅଧିକ ସମର୍ଥକ ଏକ ଶୋଭାଯାତ୍ରାରେ ଆଣି ପହଞ୍ଚି ଥିଲେ। ମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ଉପସ୍ଥିତ କଂଗ୍ରେସ ସମର୍ଥକ ଓ ବିଜେଡି ସମର୍ଥକ ମାନେ ମୁଁହାମୁହିଁ ହୋଇଥିଲେ। ଉଭୟ ଉଭୟଙ୍କ ବିରୁଦ୍ଧରେ ସ୍ଲେଗାନ ଦେବା ସହ ଧସ୍ତାଧସ୍ତି ହେବା ଯୋଗୁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲେ। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ୍‌ ହସ୍ତକ୍ଷେପ ପରେ ବିଧାୟକ ଅଂଶୁମାନ ମହାନ୍ତି ଫଳକ ନିକଟକୁ ନିଆଯାଇଥିଲେ ମଧ୍ୟ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର