ଟିକସ ଫାଙ୍କିବା ପାଇଁ ଦିନ ମଜୁରିଆ ଢାଲ : ବ୍ୟାଙ୍କ ଆକାଉଣ୍ଟରେ ଦେଢ଼ କୋଟି କାରବାର, ୨ .୬୦ ଲକ୍ଷ ଟଙ୍କା ଟିକସ ପୈଠ କରିବାକୁ ଦିନ ମଜୁରିଆକୁ ଆୟକର ବିଭାଗର ନୋଟିସ

ନବରଙ୍ଗପୁର : ଦିନ ମଜୁରିଆ କରୁଛନ୍ତି ବ୍ୟବସାୟ । ଲକ୍ଷେ କିମ୍ବା ଦୁଇ ଲକ୍ଷର ନୁହଁ ବରଂ ଏକ କୋଟି ୪୭ ଲକ୍ଷ ୮୨ ହଜାର ଟଙ୍କାର କାରବାର ନିଜ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କରିଛନ୍ତି । ଏହି କାରବାରକୁ ଦେଖି ଆୟକର ବିଭାଗ ସଂପୃକ୍ତ ଦିନ ମଜୁରିଆଙ୍କୁ ୨ଲକ୍ଷ ୬୦ ହଜାର ଟଙ୍କାର ଟିକସ ପୈଠ କରିବାକୁ ନୋଟିସ୍ କରିଥିବା ଜଣାଯାଇଛି । ଆୟକର ବିଭାଗର ଏଭଳି ନୋଟିସ୍ ଆସିବା ପରେ ସମ୍ପୃକ୍ତ ଦିନ ମଜୁରିଆଙ୍କ ଆଖିରୁ ନିଦ ହଜିଯାଇଛି। ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି କିଭଳି ଟିକସ ଫାଙ୍କିବା ପାଇଁ ଉଦ୍ୟମ କରାଯାଇଛି, ତାହା ସ୍ପଷ୍ଟ ହୋଇଛି । ନବରଂଗପୁର ଜିଲ୍ଲା ଉମରକୋଟ ଅଂଚଳରେ ଘଟଣାଟି ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ମାସ ଧରି ସଂପୃକ୍ତ ଦିନ ମଜୁରିଆଙ୍କ ଘରକୁ ବାରମ୍ବାର ଆୟକର ବିଭାଗର ନୋଟିସ୍‌ ଆସୁଥିଲା। ଅଶିକ୍ଷିତ ଦିନ ମଜୁରିଆ ଜଣକ ଏଭଳି ନୋଟିସ୍ ସଂପର୍କରେ ଆଦୌ ଜାଣିପାରୁନଥିଲେ। ଏହି ନୋଟିସ୍‌କୁ ନେଇ ସାହୁକାରଙ୍କୁ ଦେଖାଉଥିଲେ ହେଁ ସାହୁକାର ଏହାକୁ କିଛି ନାହିଁ କହି ଏଡ଼ାଇଇ ଯାଉଥିଲେ । ଯେତେବେଳେ ସେହି ଗ୍ରାମର ଜଣେ ପାଠୁଆ ପୁଅ ନୋଟିସ୍‌ ସଂପର୍କରେ ପଢ଼ି ଜଣାଇଥିଲା, ସେତେବେଳେ ଦିନ ମଜୁରିଆଙ୍କ ଚୈତନ୍ୟ ଉଦୟ ହୋଇଥିଲା।

ଉମରକୋଟ ବ୍ଲକ ପୂଜାରୀଭରଣ୍ଡୀ ଗ୍ରାମର ଏହି ଦିନ ମଜୁରିଆ ହେଉଛନ୍ତି ସନଧର ଗଣ୍ଡ। ଉମରକୋଟ ଅଂଚଳର ପପୁ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟରେ ସେ ଦୀର୍ଘ ୭ ବର୍ଷ ଧରି କାମ କରୁଥିଲେ। ସନଧରଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ପୂର୍ବେ ସାହୁକାରଙ୍କ ପୁଅ ତାଙ୍କୁ ଭୋଟ କାର୍ଡ ଓ ଜମିପଟ୍ଟା ମାଗି ନେବା ସହ କିଛି ଧଳା କାଗଜରେ ତାଙ୍କ ଟିପ ଚିହ୍ନ ନେଇଥିଲେ । ସେ ଅଶିକ୍ଷିତ ହୋଇଥିବା ସହ ମାଲିକଙ୍କ ପ୍ରତି ବିଶ୍ବାସ ରହିଥିବାରୁ ଏହାକୁ ପ୍ରତିବାଦ କରିନଥିଲେ। ତେବେ ବିଶ୍ବାସରେ ବିଷ ଦେବେ ବୋଲି ସେ ଜାଣିନଥିଲେ ବୋଲି କହିଛନ୍ତି। ଏଭଳି ନୋଟିସ ତାଙ୍କ ଘରକୁ ବାରମ୍ବାର ଅସୁଥିଲା । ଏହି ନୋଟିସକୁ ନେଇ ସେ ମାଲିକର ପୁଅକୁ ଦେଖାଉଥିବା ବେଳେ ସେ ଏହାକୁ ଏଡ଼ାଇ ଯାଉଥିଲେ । ମାତ୍ର, ତାଙ୍କ ନାମରେ ଉମରକୋଟସ୍ଥିତ ଆଇଆସିଆଇ ବ୍ୟାଙ୍କରେ ଖୋଲା ଯାଇଥିବା ଆକାଉଣ୍ଟରେ ୧ କୋଟି ୪୭ ଲକ୍ଷ ୮୨ ହଜାର ଟଙ୍କାର କାରବାର ପାଇଁ ୨ ଲକ୍ଷ ୬୦ ହଜାର ଟଙ୍କାର ଟିକସ ପୈଠ ନୋଟିସ୍‌ ଆସିଲା, ତାହା ସନଧରଙ୍କ ହୋସ୍‌ ଉଡ଼ାଇ ଦେଇଛି।

ସନଧରଙ୍କ କହିବାନୁସାରେ, ଉମରକୋଟ ଠାରୁ ସେ କେବେ ବାହାରକୁ ଯାଇାହାନ୍ତି। ବ୍ୟାଙ୍କ ପିଣ୍ଡା ବି ଚଢ଼ିନାହାନ୍ତି । ଏଭଳିସ୍ଥଳେ ତାଙ୍କ ଆକାଉଣ୍ଟ କିଭଳି ଖୋଲିଲା ଏବଂ ଏତେ ପରିମାଣର ଟଙ୍କା କାରବାର କିଭଳି ହେଲା, ତାହାକୁ ତାଙ୍କୁ ତାଜୁବ୍‌ କରିଦେଇଛି। ଏହି ନୋଟିସ୍‌ରେ କୁହାଯାଇଛି ଯେ, ବ୍ୟାଙ୍କ ଆକାଉଣ୍ଟରେ ୨୦୧୩-୧୪ ବର୍ଷରେ ୧ କୋଟି ୪୭ ଲକ୍ଷ ୮୨ ହଜାର ଟଙ୍କାର କାରବାର ହୋଇଛି। ଏହି କାରବାରରେ ୮ ପ୍ରତିଶତ ଲାଭ ଅର୍ଥାତ୍ ୮ ଲକ୍ଷ ୯୩ ହଜାର ଟଙ୍କା। ଲାଭ ଅର୍ଥର ଆୟକର ହେଉଛି ୧ ଲକ୍ଷ ୧୧ ହଜାର ୮୭୪ ଟଙ୍କା। ବାରମ୍ବାର ନୋଟିସ୍‌ ପରେ କୌଣସି ଉତ୍ତର ମିଳୁନଥିବାରୁ ଆୟକର ବିଭାଗ ୟୁ/ଏସ ୨୩୪ ଏ ଆଇନ ଅନୁଯାୟୀ ୭୧ ହଜାର ୫୯୭ ଓ ୟୁ/ଏସ ବି ଅନୁଯାୟୀ ୭୬ ହଜାର ଟଙ୍କାର ସୁଧ ପକାଯାଇଛି। ଏଭଳି ମୋଟ ୨ ଲକ୍ଷ ୫୯ ହଜାର ୫୪୩ ଟଙ୍କା କର ପୈଠ କରିବାକୁ କୁହାଯାଇଛି । ଗତମାସ ୨୧ ତାରିଖ ଦିନ ଆସିଥିବା ନୋଟିସ୍‌ରେ ଚଳିତ ମାସ ୧୦ ତାରିଖ ସୁଦ୍ଧା ଏହା ଦାଖଲ କରିବାକୁ କୁହାଯାଇଥିବା ସନଧର କହିଛନ୍ତି। ଅନ୍ୟପକ୍ଷରେ, ଟିକସ ଫାଙ୍କିବା ପାଇଁ ସନଧରଙ୍କ ଭଳି ଲୋକମାନେ କିଭଳି ଢରଲ ହୋଇପାରନ୍ତି, ତାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର