ସଂସ୍କୃତିକୁ ଅତୁଟ ରଖିବାକୁ ହେଲେ ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ଜରୁରି: ସଦ୍‌ଗୁରୁ

ଆଧ୍ୟାତ୍ମିକତା ହେଉ କି ଅଲୌକିକତା, ଯୋଗ ହେଉ କି ବିଜ୍ଞାନ, ପରିବେଶ ସୁରକ୍ଷା ହେଉ କି ସାମାଜିକ ଆନ୍ଦୋଳନ, ପ୍ରତିଟି ବିଷୟରେ ଅସାଧାରଣ ବ୍ୟୁତ୍ପତ୍ତିର ଅଧିକାରୀ ସେ। କେବଳ ଭାରତ ବର୍ଷ ନୁହେଁ, ବିଶ୍ୱର ବିଭିନ୍ନ ଦେଶରେ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ରହିଛନ୍ତି। ମାନବ ଚେତନାରେ ଯାବତୀୟ ଅଧୋଗତି ସତ୍ତ୍ୱେ ମଣିଷର ଅନ୍ତର୍ନିହିତ ଭଗବତ୍‌ ସତ୍ତା ଓ ମାନବତା ଉପରେ ରହିଛି ତାଙ୍କର ଗଭୀର ଆସ୍ଥା। ଯୋଗ, ଆଧ୍ୟାତ୍ମିକତା ଏବଂ ଅନ୍ତର୍ଚେତନାର ବିକାଶ ଉପରେ ଅନେକ ପୁସ୍ତକର ରଚୟିତା ଏହି ସଦ୍‌ଗୁରୁ ଜାଗି ବାସୁଦେବ ଭାରତରେ ନଦୀର ସୁରକ୍ଷା ଲାଗି ଆରମ୍ଭ କରିଛନ୍ତି ବହୁଚର୍ଚିତ ‘ଭ୍ୟାଲି ଅଫ୍‌ ରିଭର୍‌ସ’ ଅଭିଯାନ। ନିକଟରେ ‘ଅଲୌକିକ କଳିଙ୍ଗ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆସିଥିବା ଏହି ପ୍ରଜ୍ଞାପୁରୁଷଙ୍କୁ ଭେଟିଥିଲେ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ।

ନଦୀ ସୁରକ୍ଷା ଲାଗି ଆପଣ ଆରମ୍ଭ କରିଥିବା ‘ଭ୍ୟାଲି ଫର୍‌ ରିଭର୍‌ସ’ ବର୍ତ୍ତମାନ ସାରା ଭାରତରେ ଚର୍ଚ୍ଚାରେ ଅଛି। ମହାରାଷ୍ଟ୍ର ସରକାର ଏହି ଅଭିଯାନକୁ ସମର୍ଥନ କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ମହାନଦୀ ଅବବାହିକାର ଦୁଇ ପାର୍ଶ୍ୱରେ ବୃକ୍ଷରୋପଣ କରିବା ନେଇ ସମାନ ଢଙ୍ଗରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ବର୍ତ୍ତମାନ ସଚେତନତା ସୃଷ୍ଟି ପ୍ରକ୍ରିୟାରୁ ଯାଇ ନୀତି ନିର୍ଦ୍ଧାରଣ ଅବସ୍ଥାରେ ପହଞ୍ଚିଛି। ଏହାର ପରବର୍ତ୍ତୀ ପଦକ୍ଷେପ କଣ, କିପରି ସବୁ ରାଜ୍ୟ ସରକାରମାନେ ଏହି ଅଭିଯାନରେ ସାମିଲ ହେବେ?
ସଦ୍‌ଗୁରୁ : ଭ୍ୟାଲି ଫର୍‌ ରିଭର୍‌ସକୁ ନେଇ ଆମେ ପ୍ରସ୍ତୁତ କରିଥିବା ଚିଠା ପ୍ରସ୍ତାବ କେବଳ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟରେ ସୀମିତ ହୋଇ ରହିବା ମୁଁ ଚାହୁଁନାହିଁ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜୈବ ବିବିଧତାକୁ ପ୍ରଭାବୀ ଢଙ୍ଗରେ ସଂଯୁକ୍ତ କରିବା ସହିତ ଏହାକୁ ଏକ ଅର୍ଥନୈତିକ ନୀତିି କରାଯାଉ ବୋଲି ଆମେ ଚାହୁଁଛୁ। କାରଣ ଭାରତ ପରି ଜନସଂଖ୍ୟା ବହୁଳ ଦେଶରେ ସାଧାରଣ ଲୋକଙ୍କୁ ସାମିଲ ନକରି ସେମାନଙ୍କ ଲାଭ ନଥିବା କୌଣସି ପଦକ୍ଷେପ ସଫଳ ହୋଇପାରିବ ନାହିଁ। ଏହି କାରଣରୁ ଅନେକ ଉପାଦେୟ ପରିବେଶ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ସଫଳ ହୋଇପାରିନାହିଁ। ଖୁସିର ଖବର ଯେ ଏହି ଚିଠା ପ୍ରସ୍ତାବ ବର୍ତ୍ତମାନ ନୀତି ଆୟୋଗକୁ ହସ୍ତାନ୍ତର କରାଯାଇଛି। ନୀତି ଆୟୋଗ ଏସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିବ। ତେଣୁ ଆମେ ଏହାକୁ ଏକ ପ୍ରଭାବୀ ନୀତିରେ ପରିଣତ କରିବା ପାଇଁ ବିଭିନ୍ନ ଆଇନଗତ ଓ ବ୍ୟବସ୍ଥାପକ ପ୍ରକ୍ରିୟା ଉପରେ କାର୍ଯ୍ୟ କରୁଛୁ।

ନଦୀର ସୁରକ୍ଷା ପାଇଁ ତଟଦେଶରେ ବୃକ୍ଷରୋପଣର କେତେ ଆବଶ୍ୟକତା ବା ଗୁରୁତ୍ୱ ରହିଛି ?
ସଦ୍‌ଗୁରୁ: ଏହି ଅଭିଯାନରେ କେବଳ ନଦୀର ଏକ କିଲୋମିଟର ପର୍ଯ୍ୟନ୍ତ ବୃକ୍ଷରୋପଣର ପ୍ରସ୍ତାବ ଥିବା କଥା ନେଇ ଅନେକଙ୍କ ମଧ୍ୟରେ ଏକ ଭୁଲ୍‌ ଧାରଣା ଅଛି। ବାସ୍ତବରେ ଏହା ଏକ ବ୍ୟାପକ ବ୍ୟବସ୍ଥା ଯାହାକି ନଦୀ ସୁରକ୍ଷା ତଥା ଜନସାଧାରଣଙ୍କ ହିତ ନିମନ୍ତେ ଉଦ୍ଦିଷ୍ଟ। ବୃକ୍ଷରୋପଣ ଏହାର ଏକ ଅଂଶ ମାତ୍ର। ଏହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଦେଶର ୯୬ ପ୍ରତିଶତ ନଦୀ ଜଙ୍ଗଲ ସହିତ ସଂଯୁକ୍ତ। ତେଣୁ ବୃକ୍ଷ ବିନା ଏହା ସମ୍ଭବ ନୁହେଁ। କାରଣ ମାତ୍ର ୪୨-୪୫ ଦିନର ବର୍ଷା ଜଳକୁ ୩୬୫ ଦିନ ବା ବର୍ଷେ ପାଇଁ ଜମିରେ ସଞ୍ଚିତ କରି ରଖିବାକୁ ପଡ଼ିବ। ଏହି ବର୍ଷା ଜଳ ନଦୀକୁ ପ୍ରବାହିତ ହେବା ଆବଶ୍ୟକ। ମାତ୍ର ୪ପ୍ରତିଶତ ଜଳ ଗ୍ଲେସିଅର୍‌ରୁ ଆସୁଛି। ତେଣୁ ଜମିର ପ୍ରତିଟି ଇଞ୍ଚ୍‌ରେ ଜଳଧାରଣ କ୍ଷମତାକୁ ବୃଦ୍ଧି କରିବାକୁ ପଡ଼ିବ।

କୃଷି କର୍ମରେ ଦେଶର ସଂଖ୍ୟାଧିକ ଲୋକ ନିୟୋଜିତ ହେଲେ ମଧ୍ୟ ଏହା ଲାଭଦାୟକ ହେଉନାହିଁ। ତେଣୁ କୃଷିକୁ ଏକ ଲାଭଦାୟକ ବୃତ୍ତିରେ ପରିଣତ କରିବାକୁ କ’ଣ ଉପାୟ ରହିଛି?
ସଦ୍‌ଗୁରୁ: ଅସଂଗଠିତ କୃଷି କ୍ଷେତ୍ର କାରଣରୁ ଏହା ଲାଭଦାୟକ ହେଉନାହିଁ। କୃଷକମାନଙ୍କ ନିକଟରୁ ତାଙ୍କ ଜମି ନ ନେଇ କୃଷି କ୍ଷେତ୍ରକୁ ସଂଗଠିତ କରି ଏହି କ୍ଷେତ୍ରରେ ହେଉଥିବା ଆୟକୁ ୩ରୁ ୮ଗୁଣାକୁ ବୃଦ୍ଧି କରିବାକୁ ଆମେ ବିଭିନ୍ନ ବ୍ୟବସ୍ଥା ଉପରେ କାର୍ଯ୍ୟକରୁଛୁ। ଚାଷକୁ କୃଷିଭିତ୍ତିକ ବ୍ୟବସ୍ଥାରୁ ବୃକ୍ଷ ଭିତ୍ତିକ ଚାଷରେ ରୂପାନ୍ତରିତ କଲେ ଏହା ବେଶ୍‌ ଲାଭଦାୟକ ହୋଇପାରିବ। ବର୍ତ୍ତମାନ ଭାରତ ୪୩,୦୦୦କୋଟି ଟଙ୍କାର କାଠ ଆମଦାନି କରୁଛି। କାରଣ ନିଜ ଜମିରେ ଗଛଟିଏ ଲଗାଇଲେ ମଧ୍ୟ ଏହାକୁ କାଟିବା ନିମନ୍ତେ ବିଭିନ୍ନ ଆଇନଗତ ବାଧା ରହିଛି। ତେଣୁ କେହି ଗଛ ଲଗାଉନାହାନ୍ତି। ତେଣୁ ଆମେମାନେ ଯେପରି ଧାନ କାଟୁଛୁ ସେହିପରି ଗଛ କାଟିବାକୁ ଅନୁମତି ଦିଆଗଲେ ଲକ୍ଷ ଲକ୍ଷ ଏକର ଜାଗାରେ ବୃକ୍ଷରୋପଣ ହୋଇପାରିବ।

ବିଗତ କିଛି ଦଶନ୍ଧି ମଧ୍ୟରେ ଅନେକ ବ୍ୟକ୍ତି ଗାଁ ତଥା ନିଜ ମୂଳ ସ୍ଥାନରୁ ଭଲ ସୁଯୋଗ ନିମନ୍ତେ ବାହାରକୁ ଯାଉଥିବା ଦେଖାଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ଓଡ଼ିଆ ବ୍ୟକ୍ତି ସଫଳତାର ସହିତ କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେତେ ସଫଳ ହେଲେ ମଧ୍ୟ ମୂଳ ସ୍ଥାନ ସହିତ ଯୋଡ଼ି ହୋଇ ରହିବା କିପରି ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବୁଛନ୍ତି ଏବଂ ଜଣେ କିପରି ଏହାକୁ ସଂପାଦନ କରିବ?
ସଦ୍‌ଗୁରୁ: ପ୍ରଥମ ପିଢ଼ି ଏହାକୁ ସଂପାଦନ କରିବ, ଦ୍ୱିତୀୟ ପିଢ଼ି ଏ କ୍ଷେତ୍ରରେ ଆହ୍ଵାନର ସମ୍ମୁଖୀନ ହେବ ଏବଂ ପରବର୍ତ୍ତୀ ପିଢ଼ି ଏ ନେଇ ଆଗ୍ରହ ଦେଖାଇବ ନାହିଁ। ତେବେ ଗୁଜୁରାଟୀମାନଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହୋଇଯିବ ଯେ ସେମାନେ ଯେଉଁଠି ରହିଲେ ମଧ୍ୟ ସେମାନଙ୍କର ଭାଷା, ସଂସ୍କୃତି ଓ ଖାଦ୍ୟ ଆଦିକୁ ଛାଡ଼ିନାହାନ୍ତି। ଏକ ଗୋଷ୍ଠୀ ଭାବରେ ଏକତ୍ର ବାସ କରିବା ସହିତ ସଫଳତା ହାସଲ କରିଛନ୍ତି। ଆରବ ଦେଶସମୂହ ଓ ଆଫ୍ରିକୀୟ ଦେଶକୁ ଯାଉଥିବା ଭାରତୀୟମାନେ ନିଜ ସଂସ୍କୃତିକୁ ବିଭିନ୍ନ ଉପାୟରେ ରକ୍ଷା କରିବାରେ ସଫଳ ହୋଇପାରିବେ। କିନ୍ତୁ ଆମେରିକା ପରି ଦେଶକୁ ଯାଇ ସ୍ଥାୟୀ ଭାବରେ ବାସ କରୁଥିବା ବ୍ୟକ୍ତି ଦୁଇ ତିନିଟି ପିଢ଼ି ପରେ ନିଜ ସଂସ୍କୃତିକୁ ରକ୍ଷା କରିବାରେ ଅସୁବିଧାର ସମ୍ମୁଖୀନ ହେବ। କାରଣ ବଞ୍ଚିବା ପାଇଁ ସେଠାରେ କୌଣସି ବାହ୍ୟ ଅସୁବିଧା ନାହିଁ। ସେଠିକାର ସମାଜ ସହିତ ଆପଣ ଖାପଖୁଆଇ ପାରିଲେ ଆପଣ ସଫଳ ହୋଇପାରିବେ। ତେଣୁ ଆପଣ ଲକ୍ଷ୍ୟ କରିବେ ସେଠିକାର ଦ୍ୱିତୀୟ ପିଢ଼ିର ଭାରତୀୟଙ୍କ ନିମନ୍ତେ ଏହା କଷ୍ଟକର ହେବ।

ଏ ନେଇ କଣ ଅସୁବିଧା ଥିବା ଆପଣ ଭାବୁଛନ୍ତି?
ସଦ୍‌ଗୁରୁ: ସାରା ବିଶ୍ୱରେ ଭାରତ ହେଉଛି ଏକ ଅନନ୍ୟ ଦେଶ। ଏଠାରେ ୧୪୦୦ରୁ ଊର୍ଧ୍ୱ ଭାଷା ବ୍ୟବହୃତ ହେଉଛି। ଭୌଗୋଳିକ ପରିସୀମା ପରିବର୍ତ୍ତନ ହେଲେ ଭାଷା, ପୋଷାକ ପରିଚ୍ଛଦ, ଖାଦ୍ୟପାନୀୟ ଓ ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ଆସୁଥିବା ଆପଣ ଲକ୍ଷ୍ୟ କରିବେ। ଏହା ଏକ ଚମତ୍କାର ବ୍ୟବସ୍ଥା। ଆପଣ ବର୍ତ୍ତମାନ ଓଡ଼ିଆ ଭାଷା କଥା କହିଲେ। ବିଶ୍ୱର ବ୍ୟବସ୍ଥାକୁ ଦେଖିଲେ ଆପଣଙ୍କୁ ନିଜର ସଂସ୍କୃତିକୁ ବଜାୟ ରଖିବାକୁ ପଡ଼ିବ। ସବୁଆଡ଼େ ଏକ ପ୍ରକାର ସଂସ୍କୃତି ରହିଲେ ଆପଣ ବୋର୍‌ ହୋଇଯିବେ। ମାତ୍ର ବିବିଧତାରେ ଏକତା ହିଁ ଭାରତର ବିଶେଷତ୍ୱ। ଅର୍ଥନୈତିକ ଅନଗ୍ରସରତା ଆମର ଏକମାତ୍ର ଦୁର୍ବଳତା ହୋଇପଡ଼ିଛି। ଏହି କାରଣରୁ ହିଁ ନାନା ଅବ୍ୟବସ୍ଥା ଦେଖାଦେଉଛି। ଏଥିରୁ ମୁକୁଳିବା ତଥା ନିଜ ସଂସ୍କୃତିକୁ ଅତୁଟ ରଖିବାକୁ ହେଲେ ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧିର ନିତାନ୍ତ ଆବଶ୍ୟକତା ରହିଛି। ଆମର ଭାଷା ଓ ବିବିଧତାକୁ ବଞ୍ଚାଇ ରଖିବାକୁ ହେଲେ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଦିଗରେ କାର୍ଯ୍ୟ କରିବାକୁ ହେବ। ଅନ୍ୟଥା ଆମକୁ କଠିନ ସମୟର ସାମ୍ନା କରିବାକୁ ପଡ଼ିବ।

ସମାଜ ବା ଦେଶକୁ କିଛି ଦେବାର କଥା ରହିଛି। ମାତ୍ର ଜଣେ ସାଧାରଣ ଲୋକ ସୀମିତ ଅର୍ଥନୈତିକ ସମ୍ବଳ ମଧ୍ୟରେ ସମାଜ ବା ଦେଶକୁ କଣ ଦେଇପାରିବ?
ସଦ୍‌ଗୁରୁ: ଆପଣ ଯଦି ଅଧିକ କିଛି ନ ନେବେ ତେବେ ଦେବାର ମଧ୍ୟ କିଛି ଆବଶ୍ୟକତା ନାହିଁ। ସର୍ବଦା ନେବା ପରେ ଦେବାର କଥା ଆମେ ଚିନ୍ତା କରିଥାଉ। ତେଣୁ ଆମକୁ ଆମର ବ୍ୟବସାୟ ଓ ସମସ୍ତ କାର୍ଯ୍ୟପଦ୍ଧତିକୁ ଏପରି ବ୍ୟବସ୍ଥିତ କରିବାକୁ ପଡ଼ିବ ଯେପରି ଆମର ଚତୁଃପାର୍ଶ୍ୱରେ ବାସ କରୁଥିବା ସମାଜ ଏହାର ଲାଭ ସିଧାସଳଖ ପାଇପାରିବ। ଆପଣଙ୍କଠାରୁ ସବୁକିଛି ନେଇ ଏକ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତିଷ୍ଠା କରି ଉତ୍ପାଦକୁ ତିନିଗୁଣା ଅଧିକ ଦାମ୍‌ରେ ବିକିବା ଓ ପରେ ବିଭିନ୍ନ ବ୍ୟବସ୍ଥାରେ ଦାନ କରିବା ସଠିକ୍‌ ବ୍ୟବସ୍ଥା ନୁହେଁ। ତେଣୁ ଆମେ ଅନ୍ତର୍ଭୁକ୍ତିକରଣ ଅର୍ଥନୈତିକ ବ୍ୟବସ୍ଥା ଉପରେ ବିଚାର କରିବା ଆବଶ୍ୟକ। ଯଦ୍ଦ୍ଵାରା ଏହି ଦେବା ନେବା ବ୍ୟବସ୍ଥାକୁ କମ୍‌ କରାଯାଇପାରିବ। ଯିଏ ଅଧିକ ବିତ୍ତଶାଳୀ ସେ ଅର୍ଥ ପ୍ରଦାନ କରିପାରିବ ଅନ୍ୟଥା ଆପଣ ଅନେକ ଉପାୟରେ ଆପଣଙ୍କର ଯୋଗଦାନ ରଖିପାରିବେ। ନିଜର କାର୍ଯ୍ୟକଳାପ, ଚିନ୍ତାଚେତନା ଆଦି ସମସ୍ତ ଉପାୟରେ ଆମେ ଆମର ଯୋଗଦାନ ଦେଇପାରିବା। ମୋର କୌଣସି ଅର୍ଥ ନାହିଁ ମାତ୍ର ମୁଁ ସମାଜ ପ୍ରତି ମୋର ପ୍ରତିବଦ୍ଧତା ରଖୁଛି।

ସମ୍ବନ୍ଧିତ ଖବର