ବଢ଼ିଲା ଦିନର ତାପମାତ୍ରା, ୩୧ ଡିଗ୍ରି ଟପିଲା ଭୁବନେଶ୍ବର, ୧୦ ଡିଗ୍ରି ତଳେ ୭ ସହର

ଭୁବନେଶ୍ବର: ବଢ଼ୁଛି ରାତିର ପାରଦ। ଆଉ ସ୍ବାଭାବିକ ହେଉଛି ସ୍ଥିତି। ‌ତିନି ସପ୍ତାହ ‌ହେଲା ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିପକାଇଥିବା ଥଣ୍ଡା ଏବେ ଦୂର ହେଉଛି। ରାତି ସମେତ ଦିନର ତାପମାତ୍ରା ବଢ଼ୁଛି। ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ଇତି ମଧ୍ୟରେ ୮ ଡିଗ୍ରି ଟପିଛି। ଅନୁଗୁଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରହିଥିଲା। ଆଜି ମୋଟ ୭ଟି ସହରର ସର୍ବନିମ୍ନ ପାରଦ ୧୦ ଡିଗ୍ରି ତଳେ ରହିଥିଲା। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ବ୍ୟତୀତ ସାରା ଓଡ଼ିଶାରେ ଦିନର ତାପମାତ୍ରା ବଢ଼ୁଛି। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଆଜି ୩୦ ଡିଗ୍ରି ଟପିଛି। ଏଠାରେ ଦିନର ତାପମାତ୍ରା ୩୧.୨ ଡିଗ୍ରି ରେକର୍ଡ ହୋଇଛି, ଯାହାକି ରାଜ୍ୟରେ ସର୍ବାଧିକ। ଏଥିସହ ତାଳଚେର ସହରର ତାପମାତ୍ରା ବି ୩୧ ଡିଗ୍ରିରେ ପହଞ୍ଚିଛି। ଏକ ମାସରୁ ଅଧିକ ସମୟ ଧରି ଦିନର ତାପମାତ୍ରା ୩୦ ଡିଗ୍ରି ତଳେ ରହୁଥିବା ବେଳେ ଏବେ ବଢ଼ୁଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ଏପାଖସେପାଖ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଥିବା ଡିପ୍ରେସନ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟ ଗଭୀର ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର