ନକ୍ସଲ ଅଞ୍ଚଳରେ ବି ତ୍ରିରଙ୍ଗା : ପ୍ରଥମଥର ଉଡ଼ିଲାନି କଳାପତାକା

ମାଲକାନଗିରି : ପ୍ରଥମଥର ପାଇଁ ମାଲକାନଗିରି ଜିଲ୍ଲ‌ାରେ କଳାପତାକା ଉଡ଼ାଇବାକୁ ସକ୍ଷମ ହୋଇନାହାନ୍ତି ମାଓବାଦୀ। ସ୍ବାଧୀନତା ଦିବସ ହେଉ କିମ୍ବା ଗଣତନ୍ତ୍ର ଦିବସ, ପ୍ରତିବର୍ଷ ସେହିଦିନ କଳାପତାକା ଉଡ଼ାଉଥିଲେ। ସେହି ଅଞ୍ଚଳର ଗ୍ରାମବାସୀ ବି ମାଓବାଦୀଙ୍କ କଥାରେ ସେଠାରେ ଉପସ୍ଥିତ ହେଉଥିଲେ। ଚଳିତବର୍ଷ ଏହାର ବ୍ୟତିକ୍ରମ ଘଟିଛି। କଳାପତାକା ବଦଳରେ ଉଡ଼ିଛି ଜାତୀୟ ପତାକା। ସହିଦ ସପ୍ତାହ ସରିବା ପରେ ମାଲକାନଗିରି ଜିଲ୍ଲାରେ ସ୍ବାଧୀନତା ଦିବସ ପାଳନକୁ ଭଣ୍ଡୁର କରିବାକୁ ଯୋଜନା କରିଥିଲେ ମାଓବାଦୀ। ଏଥିପାଇଁ ସପ୍ତାହକ ପୂର୍ବରୁ ଦୁର୍ଗମ ତଥା ବିଚ୍ଛିନ୍ନାଞ୍ଚଳରେ ମାରିଥିଲେ ବ୍ୟାନର ଓ ପୋଷ୍ଟର। ସ୍ବାଧୀନତା ଦିବସକୁ କଳାଦିବସ ରୂପେ ପାଳନ କରିବାକୁ ଆହ୍ବାନ ଦେଇଥିଲେ। ଏହାସତ୍ତ୍ବେ ବି ଯେଉଁ ଗ୍ରାମର ଲୋକଙ୍କ ଉପରେ ସନ୍ଦେହ ହୋଇଥିଲା ରାତି ଅଧରେ ପଶି ସେମାନଙ୍କୁ ଭୟଭୀତ କରାଇଥିଲେ। ସ୍ବାଧୀନତା ଦିବସ ପାଳନ ନକରିବାକୁ ତାଗିଦ୍ କରିଥିଲେ। ଏପରିକି ଯଦି ସ୍ବାଧୀନତା ଦିବସ ପାଳନ କରିବେ ଏଥିପାଇଁ ଦଣ୍ଡ ଭୋଗିବା ନିମନ୍ତେ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଥିଲେ। ମାଓବାଦୀଙ୍କ ଏହି ରଣନୀତି ପୁଲିସ ପାଇଁ ବଡ଼ଚ୍ୟାଲେଞ୍ଜ ଥିଲା।

ଏହାକୁ ଆହ୍ବାନ ଭାବେ ଗ୍ରହଣ କରିଥିଲେ ପୁଲିସ୍‌ ଓ ବିଏସ୍‌ଏଫ୍‌। ସ୍ବାଧୀନତା ଦିବସର ୨୪ଘଣ୍ଟା ପୂର୍ବରୁ ପୁଣି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ବିଏସ୍‌ଏଫ୍‌ ଏବଂ ଏସ୍‌ଓଜି ତରଫରୁ ଘନଘନ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏସ୍‌ପି ଜଗମୋହନ ମୀନାଙ୍କ ନେତୃତ୍ବରେ ଏମିତି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଯାହାକି ଏଭଳି ଅଭେଦ୍ୟ ଦୁର୍ଗରେ ପଶିବାକୁ ସାହସ କରିପାରି ନଥିଲେ ମାଓବାଦୀ। ଯାହାଫଳରେ ଯେଉଁ ଅଞ୍ଚଳରେ ପୂର୍ବରୁ କେବେ ତ୍ରିରଙ୍ଗା ଉଡ଼ି ନଥିଲା ପ୍ରଥମ ଥର ପାଇଁ ସେଠାରେ ଜାତୀୟ ପତାକା ଉଡ଼ିଛି। ସ୍ବାଧୀନତା ଦିବସ ପୂର୍ବରୁ ଘନ ଘନ ଚଡାଉ ଏବଂ ନକ୍ସଲ କ୍ୟାମ୍ପକୁ ଧ୍ବଂସ କରିବାରେ ପୁଲିସ ଏସଓଜି, ଡିଭିଏଫ ଏବଂ ବିଏସଏଫ ଯବାନଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର