କୋଲକାତାରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ସମ୍ମିଳନୀ : ବିଜ୍ଞାନ ପାଇଁ ଅଧିକ ପ୍ରୋତ୍ସାହନ ଓ ପାଣ୍ଠିବରାଦ କରିବାକୁ ଓଡ଼ିଶାର ଦାବି

ଭୁବନେଶ୍ବର : କୋଲକାତାରେ ଚାଲିଥିବା ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ ପରିପ୍ରେକ୍ଷୀରେ ରାଜ୍ୟ ବିଜ୍ଞାନ ଓ କା‌ରିଗରୀ ବିଭାଗର ମନ୍ତ୍ରୀମାନଙ୍କ ସମ୍ମିଳନୀ ବିଶ୍ବ ବାଂଲା କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନ‌ୀରେ ଓଡ଼ିଶାର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ବିଭାଗର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ଅଧିକ ପ୍ରୋତ୍ସାହନ ଓ ପାଣ୍ଠି ବରାଦ ପାଇଁ କେନ୍ଦ୍ର ନିକଟରେ ଦାବି ରଖିଥିଲେ। ବିଶେଷ କରି ବିଜ୍ଞାନ କ୍ଷେତ୍ରରେ ଉଚ୍ଚତ୍ତର ଗବେଷଣା ଓ ଓରେଡା କାର୍ଯ୍ୟକ୍ରମକୁ ସୁଦୂରପ୍ରସାରୀ କରିବା ନିମନ୍ତେ ଅଧିକ ଅର୍ଥ ବ୍ୟବସ୍ଥା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ଓ ମନ୍ଦିରଗୁଡ଼ିକ ପାଖରେ ଥିବା ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ଆଧୁନିକ କାରିଗରୀ କୌଶଳ ଉପଯୋଗ ହେବା ଉଚିତ ବୋଲି ଶ୍ରୀ ପଣ୍ଡା କହିଥି‌ଲେ।

ଓଡ଼ିଶାରେ ବିଜ୍ଞାନ ଓ କାରିଗରୀ ବିଭାଗର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ, ମୌଳିକ ଓ ପ୍ରାୟୋଗିକ ବିଜ୍ଞାନରେ ଉପାଧ୍ୟୁତ୍ତର ଓ ପିଏଚ୍‌ଡି ଅଧ୍ୟୟନ ତଥା ଗବେଷଣା ନିମନ୍ତେ ଛାତ୍ରବୃତ୍ତି ପ୍ରଦାନ, ଜାତୀୟ ଓ ଆନ୍ତର୍ଜାତିକ କର୍ମଶାଳାରେ ଓଡ଼ିଶାର ପ୍ରତିନିଧିତ୍ବକୁ ପ୍ରୋତ୍ସାହନ, ରାଜ୍ୟରେ ବାୟୋ‌େଟକ୍ନୋଲୋଜି ପାର୍କ ନିର୍ମାଣ, ଇନ୍‌କ୍ୟୁବେସନ୍ ସେଣ୍ଟର୍‌ ଓ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ସାଙ୍ଗକୁ ଭିତ୍ତିଭୂମି ବିକାଶ, ଷ୍ଟାର୍ଟଅପ୍ ପ୍ରୋତ୍ସାହନ, ବିଭିନ୍ନ ବୃତ୍ତି ଓ ଫେଲୋସିପ୍ ପ୍ରଦାନ କାର୍ଯ୍ୟରେ ବିଭାଗର ସଂପୃକ୍ତି ରହିଛି। ଏହା ବାଦ୍ ରାଜ୍ୟରେ ଆଉ ୧୦ଟି ବିଜ୍ଞାନ କେନ୍ଦ୍ର ଓ ୬ଟି ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବ। ଓର୍‌ସାକ୍ ପକ୍ଷରୁ ହେଉଥିବା ଜିଓ ମ୍ୟାପିଂ ଅତ୍ୟନ୍ତ ପ୍ରଶଂସନୀୟ। ଓଡ଼ିଶାର ପ୍ରାୟ ୮୦୦ ପ୍ରକାର କଳାକୃତୀର ଡିଜିଟାଇଜେସନ୍ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ଲୋକଙ୍କ ସୁବିଧା ପାଇଁ ରୁଫ୍‌ଟପ୍‌ ସୋଲାର୍ ପ୍ଲାଣ୍ଟ୍‌ ସମେତ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଓ ବିଦ୍ୟୁତ ସେବା ଯୋଗାଇ ଦେବାକୁ ‘ଓରେଡା’ର ଉଦ୍ୟମ ଅବ୍ୟାହତ ରହିଛି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ କେନ୍ଦ୍ର ଅଧିକ ଅର୍ଥ ଯୋଗାଇ ଦେବାକୁ ଶ୍ରୀ ପଣ୍ଡା ଦାବି କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ପକ୍ଷରୁ କୋଲକାତାରେ ପଞ୍ଚମ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ ଆରମ୍ଭ ହୋଇଛି। ଏହା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଜ୍ଞାନର ଲୋକପ୍ରିୟତା ଓ କାରିଗରୀ କୌଶଳର ଉପଯୋଗ କ୍ରମେ ମାନବ ଜାତିର ହେଉଥିବା ଉପକାର ସାଙ୍ଗକୁ ବିଜ୍ଞାନ ଶିକ୍ଷା ପ୍ରତି ଦେଶବାସୀଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟ‌େର ଏହି ଉତ୍ସବ ୨୦୧୫ରୁ ଆୟୋଜିତ ହୋଇଆସୁଛି।

ସମ୍ବନ୍ଧିତ ଖବର