କୋଲକାତା ଉଠିଯିବ ଆଇସିସିଆର କାର୍ଯ୍ୟାଳୟ

ଭୁବନେଶ୍ୱର : ଓଡ଼ିଶାରେ ଥିବା ଆଇସିସିଆର(ଇଣ୍ଡିଆନ୍‌ କାଉନସିଲ୍‌ ଫର କଲ୍‌ଚରାଲ ରିଲେସନ୍ସ)ର କାର୍ଯ୍ୟାଳୟ କୋଲକାତା କାର୍ଯ୍ୟାଳୟ ସହ ମିଶିଯିବ। ଗତ ଏପ୍ରିଲ ୧୨ରେ ବସିଥିବା ଆଇସିସିଆର ଷ୍ଟାଚ୍ୟୁଟୋରି ବଡିଜ୍‌ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ବିହାରର ପାଟଣାରେ ଥିବା କାର୍ଯ୍ୟାଳୟକୁ କଲିକତା କାର୍ଯ୍ୟାଳୟ ସହ ମିଶାଇ ଦିଆଯିବ। କଲିକତା କାର୍ଯ୍ୟାଳୟ ଅଧୀନରେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ରହିବ ବୋଲି ବୈଠକରେ ସ୍ଥିର ହୋଇଛି। ସେହିପରି ଦେଶର ଅନ୍ୟ କେତେକ ରାଜ୍ୟରେ ଥିବା ଆଇସିସିଆର କାର୍ଯ୍ୟାଳୟକୁ ମଧ୍ୟ ମିଶାଇ ଦେବାକୁ ସ୍ଥିର କରାଯାଇଛି। ରାଜସ୍ଥାନର ଜୟପୁରଠାରେ ଥିବା କାର୍ଯ୍ୟାଳୟକୁ ଗୁଜୁରାଟର ଅହମ୍ମଦାବାଦ କାର୍ଯ୍ୟାଳୟ ସହ ମିଶାଇ ଦିଆଯାଇଥିବା ବେଳେ ଥିରୁଅନନ୍ତପୁରମ୍‌ କାର୍ଯ୍ୟାଳୟକୁ ଚେନ୍ନାଇ, ଲକ୍ଷ୍ନୌ କାର୍ଯ୍ୟାଳୟକୁ ବାରଣାସୀ, ମୁମ୍ବାଇ ଓ ଗୋଆ କାର୍ଯ୍ୟାଳୟକୁ ପୁନେ, ଗୋହ୍ଵାଟିରେ ଥିବା କାର୍ଯ୍ୟାଳୟକୁ ସିଲଙ୍ଗ କାର୍ଯ୍ୟାଳୟ ସହ ମିଶାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଜଣାପଡ଼ିବା ପରେ ସଂସ୍କୃତିପ୍ରେମୀମାନେ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଓଡ଼ିଶାରେ ଥିବା ଆଇସିସିଆର କାର୍ଯ୍ୟାଳୟ ପ୍ରଥମେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରହିଥିଲା। ୨୦୧୫ରେ ଏହା ଭୁବନେଶ୍ୱରର ପଳାସପଲ୍ଲୀକୁ ସ୍ଥାନାନ୍ତର ହୋଇ ଆସିଥିଲା।

ସମ୍ବନ୍ଧିତ ଖବର