ଚାପରେ ଅର୍ଥନୀତି, ଥୋକାଏ ମାଲାମାଲ

ଯେତିକି ଟିକସ ବକେୟା ଅଛି, ବଜେଟ୍‌ଠାରୁ ବି ଅଧିକ ହେବ
ଅଣାୟତ୍ତ ହୋଇପାେର ବେକାରୀ ସମସ୍ୟା
ଚିନ୍ତା ପ୍ରକଟ କଲେଣି ଅର୍ଥନୀତିଜ୍ଞ,
ଅକାମୀ ଯୋଜନା ବାଦ୍ ବେଳ ଆସିଛି
ବ୍ୟାଙ୍କରେ ବର୍ଷାଧିକ ଖର୍ଚ୍ଚ ନ ହୋଇ ଜମା ଥିବା ଅର୍ଥ ଫେରାଇ ଅଣାଯାଉ

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ) : ନୋବେଲ୍ ପୁରସ୍କାର ବିଜେତା ଅଭିଜିତ୍ ବାନାର୍ଜୀ ‘‘ଗୁଡ୍ ଇକୋେନାମିକ୍ସ ଫର୍ ହାର୍ଡ ଟାଇମ୍ସ’’ ପୁସ୍ତକ ମାଧ୍ୟମରେ ସଙ୍କେତ ଦେଇଛନ୍ତି, ସରକାର ନୀତି ନିର୍ଧାରଣ କରିବା ବେଳେ ଦାରିଦ୍ର୍ୟ, ବେକାରୀ ଓ ଉନ୍ନତ ମାନର ଜୀବନ ଧାରା ଅର୍ଥାତ୍ ଗୁଣାତ୍ମକ ଜୀବନ ଭଳି ମୁଖ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ନିବେଶ କରି ସେ ଦିଗରେ ସମାଧାନର ରାସ୍ତା କାଢିବା ଆବଶ୍ୟକ।

ଅଭିଜିତଙ୍କ ଏଭଳି ମତ ବର୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ ମହତ୍ବ ରଖୁଛି। ବିଶ୍ବ ସାମ୍ନାରେ କରୋନା ଏବେ ଯେତେ ବଡ଼ ପ୍ରସଙ୍ଗ ସମାନ୍ତରାଳ ଭାବେ ତା ଠାରୁ ଢେର୍ କେଇଗୁଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଯେ ଅର୍ଥନୀତିରେ କିଭଳି ସୁଧାର ଆସିବ, ଅର୍ଥାତ୍ ମୂଳ ରାସ୍ତାକୁ ଫେରିବ। ଲୋକେ ଗୁଣାତ୍ମକ ଜୀବନ ଜିଇଁବେ।

ଉଲ୍ଲେଖଯୋଗ୍ୟ, କରୋନା ପ୍ରଭାବରେ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା କରି ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିସାରିଲେଣି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଲୋକ ପ୍ରତିନିଧିମାନଙ୍କ ଏବଂ ସର୍ବଭାରତୀୟ ସେବା ପଦାଧିକାରୀଙ୍କ ଦରମାରେ ୭୦ ଓ ୫୦ ପ୍ରତିଶତ କାଟ୍ କରାଯାଇଛି, ଯାହା ପରବର୍ତୀ ସମୟରେ ଦିଆଯିବ। ଅର୍ଥନୈତିକ ବିଶେଷଜ୍ଞମାନେ ଅର୍ଥନୀତିରେ ସଜାଡିବା ଲାଗି ଏହା ଗୋଟିଏ ପଦକ୍ଷେପ ବୋଲି ମତ ରଖୁଥିଲେ ହେଁ, ଏଥିରୁ ବିଶେଷ କିଛି ଫାଇଦା ରାଜ୍ୟ ରାଜକୋଷକୁ ମିଳିବାର ନାହିଁ ବୋଲି କହିଛନ୍ତି। ଏହି ମହଲର ଯୁକ୍ତି ହେଉଛି, ସବୁ ବାଟ ବନ୍ଦ ପରେ ଏଭଳି ପଦକ୍ଷେପ ନେଇଥିଲେ ଅଧିକ ଗ୍ରହଣୀୟ ହୋଇଥାନ୍ତା। ସରକାରଙ୍କ ଏଭଳି ପଦକ୍ଷେପ କେଉଁଠି ନା କେଉଁଠି ସଙ୍କେତ ଦେଉଛି, ଯେମିତି ଅର୍ଥନୀତି ଏଭଳି ଭୁଶୁଡି ପଡିଛି ଯେମିତି ୫ବା ୧୦ କୋଟି ଟଙ୍କା ରାଜକୋଷରେ ନାହିଁ। ବରଂ ସରକାର ରାଜକୋଷକୁ ଅଧିକ ସଶକ୍ତ କରିବା ଲାଗି ଦୃଢ ମାନସିକତା ପୋଷଣ କରିବା ଉଚିତ୍ ବୋଲି ମତପ୍ରକାଶ ପାଇଛି।

ଅବସରପ୍ରାପ୍ତ ପ୍ରଶାସକ ସଂଜୀବ ହୋତା କହିଛନ୍ତି ଯେ ସରକାରଙ୍କ ପାଖରେ ଏବେ ଅନେକ ବିକଳ୍ପ ରାସ୍ତା ଅଛି, ଯାହା ମାଧ୍ୟମରେ ରାଜ୍ୟ ଅର୍ଥନୀତିକୁ ସୁଦୃଢ କରାଯାଇପାରିବ। ରାଜ୍ୟରେ ବିଭିନ୍ନ ଶିଳ୍ପସଂସ୍ଥା ଓ ଅନୁଷ୍ଠାନ ଉପରେ ଏତେ ପରିମାଣର ଟିକସ ବାକି ଅଛି, ଯାହା ଗୋଟିଏ ବଜେଟ୍ ପରିମାଣ ଠାରୁ ବି ଅଧିକ। ଏଥିରୁ ଅନେକ ଅଦାଲତରେ ବିଚାରାଧୀନ ରହିଛି, ଆଉ କିଛି ପ୍ରଶାସନିକସ୍ତରରେ ଅଟକିିଛି। ବିଭିନ୍ନ ଶିଳ୍ପସଂସ୍ଥା ଉପରେ ବାକିଥିବା ଜଳକର ଠାରୁ ଆରମ୍ଭ କରି ବକେୟା ଟିକସ ଅର୍ଥ ଆଦାୟ ଦିଗରେ ସରକାର ତତ୍ପରତା ଦେଖାଇବା ଦରକାର।

ଭୂ ରାଜସ୍ବ କ୍ଷେତ୍ରରେ ଏକ ବଡ଼ ଧରଣର ଟିକସ ଆଦାୟ ସମ୍ଭାବନା ରଖୁଛି। ରାଜ୍ୟର ପ୍ରମୁଖସ୍ଥାନମାନଙ୍କରେ ଯେଉଁ ଘର ରହିଛି, ସେ ସଂକ୍ରାନ୍ତ ନିର୍ଧାରଣ ହୋଇଥିବା ରାଜସ୍ବ ଅତ୍ୟନ୍ତ ନଗଣ୍ୟ। ଏଥିରେ ସଂଶୋଧନ ଅଣାଯାଇପାରିବ। ରାଜସ୍ବ ପର୍ଷଦ ସଦସ୍ୟ ଚାହିଁଲେ, ବର୍ଷବର୍ଷ ଧରି ବଡ଼ବଡିଆ ଯେଉଁ କୋହଳ ସୁବିଧା ହାତଉଛନ୍ତି, ତା ଉପରେ ପଦକ୍ଷେପ ନେଇପାରିବେ। ସେହିଭଳି ଏବେ ଜମିର କିସମ ପରିବର୍ତନ କରି ସରକାର କିଛି ରାଜସ୍ବ ପାଉଛନ୍ତି। ହେଲେ ଏବେ ବି ଜମିର ପ୍ରକାର ଭେଦ ନେଇ ସରକାରଙ୍କ ନୀତି ଅସ୍ପଷ୍ଟ ରହିଛି, ଯାହା ଉପରେ ପଦକ୍ଷେପ ନିଆଯିବା ଆବଶ୍ୟକ। ଜଙ୍ଗଲ ଓ ପରିବେଶ ବିଭାଗ ଠାରୁ ଆରମ୍ଭ କରି ରାଜସ୍ବ ବିଭାଗ ପର୍ଯ୍ୟନ୍ତ ସବୁ ବିଭାଗର ଟିକସ କ୍ଷେତ୍ର ଅନୁଧ୍ୟାନ କରିବାର ବେଳ ଆସିଛି ବୋଲି ଶ୍ରୀ ହୋତା କହିଛନ୍ତି।

ଶ୍ରୀ ହୋତା ଆହୁରି କହିଛନ୍ତି ଯେ ବେକାରୀ ସମସ୍ୟା ଏବେ ଏକ ବଡ଼ ଆହ୍ବାନ ପାଲଟିବ। ଯେଉଁମାନେ ଫେରିଆସିଛନ୍ତି, ହଠାତ୍ ସେମାନେ ପୁଣି ବୃତ୍ତିଗତ ଜୀବନକୁ ଯାଇପାରିବେ ନାହିଁ। ଅତଏବ ବେକାରୀ ସଂଖ୍ୟା ବଢିବ ହିଁ ବଢିବ। ସରକାର ରାଜସ୍ବ ବଳକା ଦେଖାଇବେ ବୋଲି ଅତି ଆବଶ୍ୟକ ପଦବି ଉଚ୍ଛେଦ ନୀତିରୁ ଓହରିଯିବା ଉଚିତ୍। ସରକାର ନିଯୁକ୍ତି ପାଇଁ ବାଟ ଖୋଲିଲେ, ବେକାରୀ ଯୁବକ ଯୁବତୀ ଆଶାବାଦୀ େହବେ ଓ କର୍ମସଂସ୍ଥାନର ରାସ୍ତା ଉନ୍ମୁକ୍ତ ହେବ। କେବଳ ସେତିକି ନୁହେଁ, ରାଜ୍ୟର ନିୟମିତ ସ୍ବାସ୍ଥ୍ୟ ସମସ୍ୟା ଆଦି ସହିତ କରୋନା ଭଳି ଏକ ବିପର୍ଯ୍ୟୟ ମୁକାବିଲା କଲାବେଳେ (ଗୋଟିଏ ଉଦାହରଣ ମାତ୍ର) ଯେଉଁ ମାନବ ସମ୍ବଳ ସଙ୍କଟ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି, ତାହାକୁ ପ୍ରତିହତ କରାଯାଇପାରିବ। ବିଶେଷକରି ସ୍ବାସ୍ଥ୍ୟ, ପୁଲିସ ଆଦି ବିଭାଗରେ ନିଯୁକ୍ତି କଟକଣା ଆଦୌ ଗ୍ରହଣୀୟ ନୁହେଁ। ବରଂ ସରକାର ବଡ଼ ବଡ଼ ଘୋଷଣା ବେଳେ ସଂଯମ ଆଚରଣ କରିବା ସହିତ ଦୀର୍ଘଦିନ ଧରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଆବଶ୍ୟକତା ଆଉ କିଛି କି ନାହିଁ, ତାହା ତର୍ଜମା କରିବା ଦରକାର।

ଅର୍ଥନୀତି ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ଏବେ ଭାଟ୍ ଯାଇ ଜିଏସଟି ହେଲାଣି। ହେଲେ ଭାଟ୍ ସମୟର କୋଟି କୋଟି ଟଙ୍କା ବକେୟା ରହିଛି, ଯାହା ଆଦାୟ କରାଯାଇପାରିନାହିଁ। ବିଭିନ୍ନସ୍ତରରେ ଏ ସଂକ୍ରାନ୍ତ ମାମଲା ରହିଛି। ରାଜ୍ୟରେ ଯେତେବେଳେ ବିକ୍ରିକର ବ୍ୟବସ୍ଥା ଉଚ୍ଛେଦ ହୋଇ ଭାଟ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା, ସେବେ ଓଟିଏସ୍ ଭଳି ବ୍ୟବସ୍ଥା ଲାଗୁ ହୋଇଥିଲା। ଏଥିରେ ବକେୟା ଆଦାୟ ପାଇଁ ରାସ୍ତା ଖୋଲିଥିଲା। ଏବେ ସରକାର ବକେୟା ଭାଟ୍ ଆଦାୟ କ୍ଷେତ୍ରରେ ଆକର୍ଷଣୀୟ ଓଟିଏସ୍ ବ୍ୟବସ୍ଥା ପ୍ରଚଳନ କରିବା ଆବଶ୍ୟକ ରହିଛି, ଯାହା ଦ୍ବାରା ପଡରହିଥିବା କୋଟି କୋଟି ଟଙ୍କା ରାଜସ୍ବ ଆସିବାର ବାଟ ଖୋଲିବ।

ସେହିଭଳି ବକେୟା ଟିକସ କ୍ଷେତ୍ରକୁ ବିଭିନ୍ନ ସ୍ତରରେ ମାମଲାରେ ଏମିତି ଛନ୍ଦି ଦିଆଯାଇଛି, ଯେଉଁଥିରୁ ସରକାର ତତ୍କାଳ ମୁକୁଳିବା ଆଶା କ୍ଷୀଣ। ହେଲେ ଏକଦା ହାଇକୋର୍ଟ ନିର୍ଦେଶ ଦେଇଥିଲେ େଯ ସରକାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି କରି ବକେୟା ଟିକସକୁ େନଇ ଥିବା ବିବାଦର ପରିସମାପ୍ତି କରନ୍ତୁ। ଏହାଦ୍ବାରା ମାମଲା ସଂଖ୍ୟା କମିବ। ସରକାର କମିଟି ଗଠନ କରିଥିଲେ ଓ ଏହି କମିଟି ଅନେକ ବିବାଦ ସମାଧାନ କରିଛନ୍ତି। କିନ୍ତୁ ଗତ ଦୁଇବର୍ଷ ଧରି ଏଭଳି କମିଟି ବୈଠକ ଆଉ ବସିନାହିଁ। ସଂପ୍ରତି ମୁଖ୍ୟସଚିବ ଏ ଦିଗରେ ପଦକ୍ଷେପ ନେବା ସହିତ ବିଭାଗୀୟ ଅଧିକାରୀଙ୍କସ୍ତରରେ ଥିବା ମାମଲାର ତୁରନ୍ତ ଫଏସଲା କରିବା ଲାଗି ନିର୍ଦେଶ ଦେବା ଜରୁରୀ ହୋଇପଡିଛି। ଏହାବ୍ୟତୀତ ରାଜ୍ୟର ଜରୁରୀ ଆର୍ଥିକସ୍ଥିତି ସଂପର୍କରେ ଅଦାଲତଙ୍କୁ ଅବଗତ କରି ଆଡଭୋକେଟ୍ ଜେନେରାଲଙ୍କ ମାଧ୍ୟମରେ କୋର୍ଟରେ ସମସ୍ତ ଟିକସ ସଂକ୍ରାନ୍ତ ମାମଲା ଫଏସଲା କରିବା ବେଳ ଆସିଛି ବୋଲି ଅର୍ଥନୀତିଜ୍ଞମାନେ ମତ ରଖୁଛନ୍ତି।

ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକମାନଙ୍କର କହିବା କଥା ହେଉଛି, ରାଜ୍ୟ ସରକାର ଏବେ ସବୁ ଯୋଜନାକୁ ଆଉଥରେ ନିରେଖି ଦେଖିବା ଦରକାର। ଯେଉଁ ଯୋଜନା କେନ୍ଦ୍ର ସରକାର ପ୍ରଚଳନ କରିଛନ୍ତି, ସେଭଳି ଯୋଜନାକୁ ସ୍ବତନ୍ତ୍ର ଭାବେ କାର୍ଯ୍ୟକାରୀ କରିବାର ଆଉ କୌଣସି ପ୍ରାସଙ୍ଗିକତା ନାହିଁ। ଏହାଦ୍ବାରା ବଡ଼ ଧରଣର ଅର୍ଥ ରାଜକୋଷରେ ବଳକା ରହିବ। ସେହିଭଳି ବିଭିନ୍ନ ବ୍ୟାଙ୍କରେ ଖର୍ଚ୍ଚ ନ ହୋଇ ୧୦ହଜାର କୋଟିରୁ ଅଧିକ ଟଙ୍କା ରହିଛି। ଏସବୁ ଅର୍ଥ ମଧ୍ୟରୁ କେତେକରେ ବିନିଯୋଗ ପ୍ରମାଣ ପତ୍ର ଦିଆସରିଛି, ଅଥଚ ଟଙ୍କା ଖର୍ଚ୍ଚ ହୋଇନାହିଁ। ଏ ସଂପର୍କରେ ଏଜି ପୂର୍ବରୁ ତାଙ୍କର ରିପୋର୍ଟ ଦେଇସାରିଛନ୍ତି। ଏବେ ସରକାର ତାକୁ ଟ୍ରେଜେରିକୁ ଆଣିବାରେ କିଛି ଅସୁବିଧା ନାହିଁ। ବିଭିନ୍ନ ବିଭାଗରେ ମାଳ ମାଳ ଓଏସଡି, ପରାମର୍ଶଦାତା ନିଯୁକ୍ତିକୁ ତୁରନ୍ତ ବନ୍ଦ କରିବାର ବେଳ ଆସିଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ନିଜସ୍ବ ପ୍ରଶାସନିକ ଅଧିକାରୀଙ୍କ ହାତରେ କାମ ରହୁନି ଓ ଅଯଥା ଅର୍ଥ ଶ୍ରାଦ୍ଧ ହେଉଛି। ମୁଖ୍ୟଶାସନ ସଚିବ ଏ ଦିଗରେ ଯେଉଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି, ତାକୁ କିଏ ଅଟକାଉଛି?

ସମ୍ବନ୍ଧିତ ଖବର