ବଜ୍ରକାପ୍ତା ଚୋରା ଚାଲାଣ ଘଟଣା : ୧୦ ଅଭିଯୁକ୍ତଙ୍କୁ ମିଳିତ ଜେରା ଆଜି, ଆଉ ୨ ଗିରଫ

କଟକ/ଆଠଗଡ଼ : ଅତି ବିରଳ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଶୁକ୍ରବାର ବନବିଭାଗ ପୁଣି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ତିଗିରିଆ ଥାନା ନୂଆପାଟଣା ପାଇକସାହିର ସୁବାସ ନାୟକ ଓ ରାଜକିଶୋର ବେହେରାଙ୍କ ନିକଟରୁ ୪ଟି ବଜ୍ରକାପ୍ତା କାତି, ବାର୍‌ହା ନଖ, ଲକେଟ୍‌ ଆଦି ଜବତ କରାଯାଇଛି। ଅନ୍ୟପଟେ ଘଟଣାରେ ଥିବା ବିଦେଶୀ ଲିଙ୍କ୍‌ ତଦନ୍ତ ପାଇଁ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଏକ ଦୁଇଜଣିଆ ପ୍ରତିନିଧିଦଳ ଗତକାଲିଠାରୁ ଆଠଗଡ଼ରେ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଆଜି ଦିନତମାମ ଡବ୍ଲୁସିସିବି ଟିମ୍‌ ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କ ସହ ଜବତ ହୋଇଥିବା ଭିଡିଓ କ୍ଲିପିଂ, କାତି ତଥା ବିଭିନ୍ନ ଲିଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥି‌ଲେ। ଗିରଫ ହୋଇଥିବା ୧୦ଜଣ ଅଭିଯୁକ୍ତଙ୍କୁ ଶନିବାର ଦିନଟିଏ ପାଇଁ ରିମାଣ୍ଡରେ ଆଣିବାକୁ ବନବିଭାଗ ଆବେଦନ କରି ଅଦାଲତଙ୍କ ଅନୁମତି ପାଇଛି। ବନବିଭାଗ ଓ ଡବ୍ଲୁସିସିବି ଟିମ୍‌ ମିଳିତ ଭାବେ ସେମାନଙ୍କୁ ଜେରା କରିବାର କାର୍ଯ୍ୟକ୍ରମ ରହିଛି।

ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଜାମିନ ଆବେଦନକୁ ଏସ୍‌ଡିଜେଏମ୍‌ ନାମଞ୍ଜୁର କରିବା ପରେ ଅଭିଯୁକ୍ତମାନଙ୍କ ପକ୍ଷରୁ ଆଠଗଡ଼ର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। ଶୁକ୍ରବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅରବିନ୍ଦ ପଟ୍ଟନାୟକ ଗିରଫ ୭ଜଣଙ୍କ ଜାମିନ ଆବେଦନ ଖାରଜ କରିଥିବା ନେଇ ଅତିରିକ୍ତ ପବ୍ଳିକ ପ୍ରସିକ୍ୟୁଟର ଶରତ କୁମାର ଦାଶ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବର୍ଷ ବର୍ଷ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିରଳ ବଜ୍ରକାପ୍ତା ବେଧଡ଼କ ଭାବେ ଚାଲାଣ ହେଉଛି। ରାଜ୍ୟର ଅଧା ଜଙ୍ଗଲ ଓ ଅଧା ଜିଲ୍ଲା ଏବେ ବଜ୍ରକାପ୍ତା ମାଫିଆଙ୍କ କବ୍‌ଜାରେ। କେବଳ ସେତିକି ନୁହେଁ, ଅନ୍‌ଲାଇନ ବେପାର ଭଳି ମୋବାଇଲରେ କୋଡିଂ ବ୍ୟବସ୍ଥା ମାଧ୍ୟମରେ ମାଫିଆମାନେ ବିଦେଶକୁ ବଜ୍ରକାପ୍ତା, ବଜ୍ରକାପ୍ତା କାତି ଓ ମାଂସ ଚାଲାଣ କରୁଛନ୍ତି। ଏଭଳି ଏକ ବଡ଼ ଧରଣର ରାକେଟ୍‌କୁ ଗତ ୧ତାରିଖ ଦିନ ଆଠଗଡ଼ ବନବିଭାଗ ଧରିବା ପରେ ଖୋଲିଥିଲା ଅନେକ ଗୁମର। ବନବିଭାଗ ଆରମ୍ଭ କରିଥିଲା ‘ଅପରେସନ୍‌ ପାଙ୍ଗୋଲିନ୍‌। ପ୍ରଥମ ପର୍ଯ୍ୟାୟରେ ୭ଜଣ, ତାପରେ ୩ଜଣ ଓ ଆଜି ଆଉ ୨ଜଣ ଏହିପରି ମୋଟ ୧୨ ଜଣ ଏହି ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ସେମାନଙ୍କ ନିକଟରୁ ବଜ୍ରକାପ୍ତା ସମେତ ୨୬ଟି ବଜ୍ରକାପ୍ତା କାତି ଓ ବିଭିନ୍ନ ବନ୍ୟଜନ୍ତୁଙ୍କ ଶିଙ୍ଗ, ନଖ ଆଦି ଜବତ୍‌ ହୋଇଛି। ବଜ୍ରକାପ୍ତା ଚାଲାଣ ରାକେଟ୍‌ରେ ବିଦେଶ୍‌ ଲିଙ୍କ୍‌ ଜଣାପଡ଼ିବା ପରେ ଆଠଗଡ଼ ଡିଏଫ୍‌ଓ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ(ଡବ୍ଲୁସିସିବି)କୁ ସମସ୍ତ ତଥ୍ୟ ପ୍ରମାଣ ଦେବା ସହ ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଗତକାଲିଠାରୁ ଡବ୍ଲୁସିସିବି ଟିମ୍‌ର ଜବଲପୁର ଶାଖା ଗୁଇନ୍ଦା ଅଧିକାରୀ ଦେବେନ୍ଦ୍ର ସିଂ ‌ରାଠୋରଙ୍କ ନେତୃତ୍ବରେ ୨ଜଣିଆ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଅନ୍ୟପଟେ, ଘଟଣାରେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଶନିବାର ଦିନଟିଏ ରିମାଣ୍ଡ୍‌ରେ ଆଣି ବନବିଭାଗ ଓ ଡବ୍ଲୁସିସିବି ଟିମ୍‌ ଜେରା କରିବାର କାର୍ଯ୍ୟକ୍ରମ ରହିଛି।

ଏଠାରେ ସୂଚନାଯୋଗ୍ୟ, ବଜ୍ରକାପ୍ତା କାତିରୁ ବିଭିନ୍ନ ରୋଗର ଔଷଧ, ବୁଲେଟ୍‌ ପ୍ରୁଫ୍‌ ଜାକେଟ୍ ତିଆରି ହେଉଥିବା ବେଳେ ଚୀନ, ମିଆଁମାର, ଭିଏତ୍‌ନାମାକୁ ଏହା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରାଜ୍ୟର ବୌଦ୍ଧ, ନୟାଗଡ, ଢେଙ୍କାନାଳ, ଆଠଗଡ଼, ଅନୁଗୁଳ ଜିଲ୍ଲାର ସାତକୋଶିଆ ଜଙ୍ଗଲରୁ ମାଫିଆମାନେ ଏହା ଚାଲାଣ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର