‘ଭାରତୀୟ ଖେଳାଳି ଚୀନ କମ୍ପାନି ବିଜ୍ଞାପନ ନ କରନ୍ତୁ’

ଭୁବନେଶ୍ୱର : ଭାରତୀୟ କ୍ରିକେଟ୍‌ ଖେଳାଳିମାନେ ଚୀନ କମ୍ପାନିର ବିଜ୍ଞାପନ ନ କରିବାକୁ ‘ସ୍ୱଦେଶୀ ଜାଗରଣ ମଞ୍ଚ’ ପକ୍ଷରୁ ଅନୁରୋଧ କରାଯାଇଛି। ଆଜି ସ୍ଥାନୀୟ ଆଦିମାତା ମନ୍ଦିର ପରିସରରେ ମଞ୍ଚ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଏ ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକ ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଓ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କୁ ଚୀନ କମ୍ପାନି ଦ୍ୱାରା ପ୍ରସ୍ତୁତ ବିଜ୍ଞାପନ ନ କରିବାକୁ ଅନୁରୋଧ କରାଯାଇଥିଲା। ମଞ୍ଚର ପ୍ରାନ୍ତ ସଂଗଠନ ସଂପାଦକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ରାଷ୍ଟ୍ରୀୟ ସଂଘର୍ଷ ବାହିନୀର ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଯୋଗ ଦେଇଥିଲେ। ବୈଠକରେ ପୂର୍ବରୁ ହୋଇଥିବା ‘ସ୍ୱଦେଶୀ ମେଳା’ର ସଫଳତା ଓ ଦିଲ୍ଲୀଠାରେ ଆୟୋଜିତ ଚାଇନା ବିରୋଧୀ ବିଶାଳ ସମାବେଶର ସମୀକ୍ଷା କରାଯାଇଥିଲା। ଏହାସହ ବାବୁଗେନ୍‌ଙ୍କ ସହିଦ ଦିବସକୁ ଆସନ୍ତା ୧୨ ତାରିଖ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପାଳନ କରିବା ଓ ଜାନୁଆରି ୨୮ରେ ସମାଜସେବୀ ପ୍ରସନ୍ନ ସାହୁଙ୍କ ସଂଯୋଜନାରେ ଏକ ‘ସ୍ୱଦେଶୀ ପରିବାର ମିଳନ’ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଭାରତୀୟ କ୍ରିକେଟ୍‌ ତାରକାଙ୍କ ଦ୍ୱାରା ବିଦେଶୀ ମୃଦୁପାନୀୟ ବିଜ୍ଞାପନକୁ ବହିଷ୍କାର ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି। ଏତଦ୍‌ବ୍ୟତୀତ ବିଭିନ୍ନ ଚୀନ କମ୍ପାନିର ବିଜ୍ଞାପନର ପ୍ରଚାର ନ କରିବାକୁ ଭାରତୀୟ ଖେଳାଳିଙ୍କୁ ଅନୁରୋଧ କରାଯାଇଛି ବୋଲି ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ରଘୁନାଥ ବେହେରା ପ୍ରକାଶ କରିଛନ୍ତି। ଏହି ବୈଠକରେ ସମାଜସେବୀ ଗୋବିନ୍ଦ ସାହୁ, ଜୀବନ ମିଶ୍ର ଓ ଚନ୍ଦନ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଧୁସାଶନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର