ଅର୍ଥ ମଞ୍ଜୁର ହୋଇଛି, ଠିକାଦାର ମିଳୁ ନାହାନ୍ତି

ଇନ୍ଦ୍ରାବତୀ ଜଳଭଣ୍ଡାର ପୋଲର ଟେଣ୍ଡର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟରେ ଏକ ପୋଲ ହେବା ପାଇଁ ୨୦୧୪ ମସିହାରୁ ଅର୍ଥ ବରାଦ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ପୋଲ କାମ ଆରମ୍ଭ ହୋଇନପାରିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ପୋଲ କାମ କରିବାକୁ କୌଣସି ଠିକା କମ୍ପାନି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପ୍ରକାଶ ଥାଉକି, ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ଦୁଇଟି ଉଚ୍ଚ ପୋଲ ନିର୍ମାଣ ପାଇଁ ସରକାର ୫୪ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ, ୨ଟି ଝୁଲା ପୋଲ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବହୁବର୍ଷ ଧରି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଅଦ୍ୟାବଧି କାମ ଆରମ୍ଭ ହେବାର ନା ଧରୁ ନାହିଁ। ଅଳ୍ପ ଦିନତଳେ ଭିତରପଦର ଗାଁର ଆଦିବାସୀ ଯୁବକ ମହେନ୍ଦ୍ର ମାଝୀ ଜଳ ଭଣ୍ଡାରରେ ବୁଡି ପ୍ରାଣ ହରାଇଥିଲେ। ଏହି ଘଟଣାରେ ଦିଲ୍ଲୀପ ଦାସଙ୍କ ପକ୍ଷରୁ ଦାୟର ମାମଲାରେ ଜାତୀୟ ମାନବାଧିକାର କମିସନଙ୍କ ନୋଟିସର ଜବାବ ଦେବାକୁ ଯାଇ ମୁଖ୍ୟଯନ୍ତ୍ରୀ ଓମ୍‌ ପ୍ରକାଶ ପଟେଲ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ବାରମ୍ବାର ଟେଣ୍ଡର ଆହ୍ଵାନ କରାଗଲେ ମଧ୍ୟ କୌଣସି ଠିକାସଂସ୍ଥା ଟେଣ୍ଡରରେ ଭାଗ ନେଉ ନାହାନ୍ତି। ମହୁଲପାଟଣା ଠାରୁ ୧ କିଲୋମିଟର ଦୂର କେନ୍ଦୁଗୁଡା ଘାଟରେ ୩୮.୪୨ କୋଟି ଟଙ୍କା ବ୍ୟୟ ଅଟକଳରେ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଚାରିଚାରି ଥର ଟେଣ୍ଡର ଆହ୍ଵାନ ହୋଇଥିଲେ ମଧ୍ୟ କେହି ଟେଣ୍ଡର ପକାଉ ନଥିବାରୁ ପୋଲ କାମ ଆରମ୍ଭ ହୋଇପାରୁ ନାହିଁ। ଶେଷ ଥର ପାଇଁ ଗତ ୨୦୧୮ ମସିହା ମଇ ୮ ତାରିଖରେ ଟର୍ନ-କି ଆଧାରରେ ଟେଣ୍ଡର ଖୋଲା ଯିବାର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି ଟେଣ୍ଡର ଦାଖଲ ହୋଇ ନଥିଲା। ପୋଲ ନଥିବାରୁ ଅଡ୍ରି, ମାଲିଗାଁ, ଗୋପିନାଥପୁର, ପାଡେପଦର, ପୋଡାପଦର, ତଳନାଗୀ ପ୍ରଭୃତି ପଂଚାୟତର ଲୋକେ ଯାତାୟତ ନିମନ୍ତେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଦେଶୀଡଙ୍ଗାରେ ବିପଦସଂକୁଳ ଅବସ୍ଥାରେ ପାର ହେବାବେଳେ ବାରମ୍ବାର ଡଙ୍ଗାବୁଡି ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏପରିକି ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦେଶୀ ଡଙ୍ଗାରେ ଯାତାୟତ କରି ଗତ ୨୦ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଦାସ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଓ ହାଇକୋର୍ଟ ଏ ବାବଦରେ ସରକାରଙ୍କୁ ନୋଟିସ୍‌ ମଧ୍ୟ ଜାରି କରିସାରିଛନ୍ତି। ରାସ୍ତାଘାଟର ଅସୁବିଧା ସାଙ୍ଗକୁ ଜଳଭଣ୍ଡାରରେ ଡଙ୍ଗାରେ ଯିବାକୁ ପଡୁଥିବାରୁ ପ୍ରାୟ ୪୦ ଖଣ୍ଡ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଅପହଞ୍ଚ ହୋଇଛି। ୨୫ ଟଙ୍କାର ପିଡିଏସ୍‌ ଚାଉଳ ପାଇଁ ୧୦୦ ଟଙ୍କା ଡଙ୍ଗାଭଡ଼ା ଦେବାକୁ ପଡ଼େ। ଭତ୍ତା ପାଇଁ ୮୦ ବର୍ଷର ବୁଢାବୁଢୀ ମଧ୍ୟ ଜୀବନକୁ ବାଜି ଲଗେଇ ଡଙ୍ଗାରେ ଯିବାକୁ ପଡୁଛି। ଜଳଭଣ୍ଡାର ଭିତରେ ଥିବା ଗାଁ ମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଯନ୍ତ୍ରଚାଳିତ ଡଙ୍ଗା ରହିଥିଲେ ମଧ୍ୟ, ତେଲ ଅଭାବରୁ ଡଙ୍ଗା ଚାଲିପାରୁ ନାହିଁ। ଡାକ୍ତର ଅଭାରୁ ରୋଗୀମାନେ ଗୁଣିଆ ଓ କ୍ୱାକ ମାନଙ୍କ ଭରସାରେ ଭାଗ୍ୟକୁ ଆଦରି ପଡ଼ିରହନ୍ତି। କେନ୍ଦୁଗୁଡା ଘାଟରେ ପୋଲଟିଏ ହେଲେ ଗୋପିନାଥପୁର ଓ ମହୁଲପାଟଣା ମଧ୍ୟରେ ଦୂରତା ମାତ୍ର ୫ କିଲୋମିଟର ଭିତରେ ରହିବ ଓ ମୁଖିଗୁଡା, ଜୟପାଟଣା ପ୍ରଭୃତି ଡାକ୍ତରଖାନା ଯିବାକୁ ଆଉ ୪୦ କିଲୋମିଟର ବୁଲିବାକୁ ପଡ଼ିବ ନାହିଁ। ତଥାପି ଏବେ ପୋଲ ନିର୍ମାଣ ଆଶା ଅଞ୍ଚଳବାସୀ ଛାଡ଼ିନାହାନ୍ତି।

ସମ୍ବନ୍ଧିତ ଖବର