ବୃଦ୍ଧି ପାଉଛି ଇନ୍ଦ୍ରାବତୀ ଡ୍ୟାମ୍‌ର ଜଳପତ୍ତନ : ଗୋଟିଏ ଗେଟ୍‌ ଖୋଲା

ତେନ୍ତୁଳିଖୁଣ୍ଟ : ଲଗାଣ ବର୍ଷା ଜାରି ରହିଥିବାରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ଜଳସ୍ତର ଗୁରୁବାର ସଂଧ୍ୟା ସୁଦ୍ଧା ୬୪୦.୭୦ମିଟରରେ ପହଞ୍ଚିଛି। ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨.୫୦ମିଟର ହୋଇଥିବା ବେଳେ ଜଳପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗୁରୁବାର ଅପରାହ୍ନ ଗୋଟାଏରେ ଡ୍ୟାମ୍‌ର ୬ନମ୍ବର ଫାଟକ ଗୋଟିଏ ମିଟର ଉଚ୍ଚରେ ଖୋଲାଯାଇଛି। ଡ୍ୟାମ୍‌କୁ ପ୍ରତି ସେକେଣ୍ଡରେ ୩୪.୮୫୮ମିଲିୟନ କ୍ୟୁବିକ ମିଟର ଜଳ ପ୍ରବେଶ କରୁଥିବା ବେଳେ ୧୫.୯୪୮ ମିଲିୟନ କ୍ୟୁବିକ ମିଟର ଜଳ ନିଷ୍କାସିତ ହେଉଥିବା ମୁରାନ ବନ୍ଧ ବିଭାଗ ବୈଷୟିକ ଅଧିକାରୀ ଅଭିମନ୍ୟୁ ବାରିକ ସୂଚନା ଦେଇଛନ୍ତି। ବର୍ତମାନ ସୁଦ୍ଧା ଜଳଭଣ୍ଡାର ମଧ୍ୟରେ ୧୩୦୦.୦୨ ମିଲିୟନ କ୍ୟୁବିକ ମିଟର ଜଳ ଗଚ୍ଛିତ ଥିବା ବେଳେ ମୁଖିଗୁଡା ସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୪ଟି ଟରବାଇନ୍‌ ମାଧ୍ୟମରେ ୧୨୮୯୨.୫ ମେଗାଓ୍ଵାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କାର୍ତିକ ଡ୍ୟାମ୍‌ ଅଞ୍ଚଳ ଗସ୍ତ କରି ପରିସ୍ଥିିତି ଅନୁଧ୍ୟାନ କରିବା ସହ ସମସ୍ତ ସରକାରୀ କର୍ମଚାରୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର