ନିର୍ବାଚନ ଆସିଲେ ମନେପଡ଼େ ଇନ୍ଦ୍ରାବତୀ

ନବରଙ୍ଗପୁର : ଗତ ୪୦ବର୍ଷ ମଧ୍ୟରେ କେତେ ପାଣି ବୋହି ଗଲାଣି ଇନ୍ଦ୍ରାବତୀ ନଦୀରେ। କିନ୍ତୁ ପ୍ରତ୍ୟେକ ଥର ନିର୍ବାଚନ ଆସିଲେ ପ୍ରମୁଖ ପ୍ରସଙ୍ଗ ପାଲଟେ ନବରଙ୍ଗପୁର ଜିଲ୍ଲାର ଏହି ତଥାକଥିତ ଲାଇଫ ଲାଇନ୍। କେତେ ନେତା ଏବଂ ପ୍ରଶାସକ ଏହି ନଦୀର ପାଣିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଯାହାର କୌଣସି ହସାବ ନାହିଁ। ତଥାପି ଜିଲ୍ଲାବାସୀଙ୍କୁ ପ୍ରତ୍ୟେକ ଥର ମିଳେ ନୂଆ ନୂଆ ପ୍ରତିଶ୍ରୁତି ଘୋଷଣା। ଏଥର ନିର୍ବାଚନରେ ବି ସବୁ ରାଜନୈତିକ ଦଳ ପାଇଁ ଇନ୍ଦ୍ରାବତୀ ନଦୀ ଏବଂ ପ୍ରକଳ୍ପ ବଡ଼ ପ୍ରସଙ୍ଗ ଭାବେ ପୁଣି ଉଭା ହୋଇଛି। ଏବେ ଦେଖିବାକୁ ବାକି ରହିଲା ପାଣିକୁ ନେଇ ଚାଲିଥିବା ରାଜନୀତିରେ କିଏ କ’ଣ ପ୍ରତିଶ୍ରୁତି ଦେଉଛି।

ନବରଙ୍ଗପୁର ଜିଲ୍ଲାର ସର୍ବବୃହତ ଜଳଭଣ୍ଡାର ଏବଂ ଜଳବିଦ୍ୟୁତ ପ୍ରକଳ୍ପ ହେଲା ଇନ୍ଦ୍ରାବତୀ। କିନ୍ତୁ ତଳ ମୁଣ୍ଡରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଯୋଗୁଁ ନବରଙ୍ଗପୁର ଜିଲ୍ଲାବାସୀ ଏହାର ପାଣି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର, ନନ୍ଦାହାଣ୍ଡି ଓ କୋଷାଗୁମୁଡା ବ୍ଲକ ଦେଇ ଇନ୍ଦ୍ରାବତୀ ନଦୀ ପ୍ରବାହିତ ହୋଇଥିବା ବେଳେ ବର୍ଷା ପରିମାଣ କମିଲେ ଏହି ଅଞ୍ଚଳ ଗୁଡ଼ିକ ଏକ ପ୍ରକାର ଶୁଖିଲା ପଡ଼େ। ଯାହାକି କୃଷି ପ୍ରଧାନ ନବରଙ୍ଗପୁର ଜିଲ୍ଲାବାସୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଏ। ତେଣୁ ଇନ୍ଦ୍ରାବତୀ ପାଣିକୁ ନେଇ ରାଜନୀତି କରିବାକୁ ପଛାଇ ନଥାନ୍ତି ରାଜନୈତିକ ଦଳ ଗୁଡ଼ିକ। ବିଗତ ନିର୍ବାଚନ ଗୁଡ଼ିକରେ ପ୍ରାୟ ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହାରରେ ଇନ୍ଦ୍ରାବତୀ ନଦୀ କଥା ଉଠାଇଛନ୍ତି। ଯାହାକୁ ପରବର୍ତୀ ମୁହୂର୍ତରେ ଭୁଲି ଯିବାର ବି ନଜିର ରହିଛି।

ଚଳିତ ଥର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଚାର ଚଳାଇଥିଲେ ରାଜନୈତିକ ଦଳର ନେତା। ତେବେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇନ୍ଦ୍ରାବତୀ କଥା ଉଠାଇ ପ୍ରସଙ୍ଗକୁ ତାଜା କରି ଦେଇଛନ୍ତି। ନିର୍ଦ୍ଦିଷ୍ଟ ପାଣ୍ଠି କରି ଇନ୍ଦ୍ରାବତୀ ପ୍ରକଳ୍ପର ପାଣିକୁ ଜିଲ୍ଲାର ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ନବରଙ୍ଗପୁର ଜିଲ୍ଲା ଗସ୍ତ କରୁଛନ୍ତି। ତେଣୁ ଭୋଟର ନଜର ଏବେ ନବୀନଙ୍କ ପ୍ରତିଶ୍ରୁତି ଉପରେ ରହିଛି। ଯଦିଓ କଂଗ୍ରେସ ଏପର୍ଯ୍ୟନ୍ତ ଇନ୍ଦ୍ରାବତୀ ପ୍ରକଳ୍ପକୁ ନେଇ କୌଣସି ବଡ଼ଧରଣର ପ୍ରତିଶ୍ରୁତି ଦେଇ ନାହିଁ। କିନ୍ତୁ ଆଗାମୀ ଦିନରେ ନିଶ୍ଚିତ ରୂପେ ଏହାକୁ ପ୍ରସଙ୍ଗ କରିବ ବୋଲି ଶୁଣିବାକୁ ମିଳୁଛି।

ଇନ୍ଦ୍ରାବତୀ ପ୍ରକଳ୍ପ ହେବା ପୂର୍ବରୁ ଇନ୍ଦ୍ରାବତୀ ନଦୀରେ ପୋଡାଗଡ, କପୁର ଓ ମୁରାନ ନଦୀ ପାଣି ଆସି ମିଶୁଥିଲା। ତେଣୁ ଏହି ନଦୀ ଚିରସ୍ରୋତା ହୋଇଥିଲା। ତ‌େବେ ନଦୀର ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ହେଲା ପରେ ନଦୀର ଜଳ ପତ୍ତନ କମିବାରେ ଲାଗିଛି। ତଳ ମୁଣ୍ଡରେ ଥିବା ଚାଷ ଜମିକୁ ପାଣି ମିଳୁନି। ସାରା ଦେଶରେ ଇନ୍ଦ୍ରାବତୀ ଏଭଳି ଏକ ପ୍ରକଳ୍ପ ଯେଉଁଥିରେ ଉପରମୁଣ୍ଡ ପାଣି ତଳମୁଣ୍ଡକୁ ଆସିପାରୁ ନାହିଁ। ୧୯୭୫ ମସିହାରେ ୪ ଟି ନଦୀର ଜଳକୁ ଗଚ୍ଛି ରଖି କଳାହାଣ୍ଡି ଜିଲ୍ଲାକୁ ଜଳସଚେନ ସହ ବିଦ୍ୟୁତ ଉତ୍ପାଦନ କରିବା ପାଇଁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୧୯୭୮ ମସିହାରେ ମୁଖିଗୁଡା ଠାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ, ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଓ ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ। ୧ ଲକ୍ଷ ୯ହଜାର ହେକ୍ଟର ଜମିକୁ ଜଳସେଚନ ଓ ୬ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଥିଲା। ସେହି ସମୟରେ ନବରଙ୍ଗପୁରବାସୀ ଆନ୍ଦୋଳନ କରିବାରୁ ତଳ ମୁଣ୍ଡରେ ଥିବା ୫୦ହଜାର ‌ଏକର ଜମିକୁ ଜଳସେଚନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ତେବେ ପ୍ରତିଶ୍ରୁତିକୁ ପାଳନ କରାନଯିବାରୁ ତତ୍କାଳୀନ ମନ୍ତ୍ରୀ ହବିବୁଲ୍ଲା ଖାନ୍ ଉଚ୍ଚ ନ୍ୟାୟ‌ାଳୟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କିନ୍ତୁ ପରିବର୍ତ୍ତୀ ସମୟରେ ଉକ୍ତ ମାମଲାକୁ ପ୍ରତ୍ୟାହାର କରାଯାଇଥିଲା। ତା’ପରେ ପୁଣି ଆନ୍ଦୋଳନ ମୁଣ୍ଡ ଟେକିବାରୁ ହାର୍ଜା କମିସନ୍ ଇନ୍ଦ୍ରାବତୀ ଓ ମୁରାନ୍ ଡ୍ୟାମରୁ ୭ କ୍ୟୁସେକ୍ ଜଳ ବର୍ଷ ତମାମ ଛାଡ଼ିବାକୁ ପଡ଼ିବ ବୋଲି ପ୍ରସ୍ତାବ ଦେଇଥିଲେ। ଏଥିସହିତ ଟୁରୀ ଓ ବାଙ୍ଗରୀ ନାଳରେ ଡ୍ୟାମ ନିର୍ମାଣ କରିଲେ ଶୁଖା ଅଞ୍ଚଳରେ କିଛି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ଦେଇଥିଲେ। ତେବେ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅପରପକ୍ଷରେ ବିଜେଡି କ୍ଷମତାକୁ ଆସିବା ପରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାଣି କେନାଲ ମାଧ୍ୟମରେ ୪୦କିମି ଅଞ୍ଚଳରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲା। ହେଲେ କେନ୍ଦ୍ରୀୟ ଜଳ ଆୟୋଗର ଅନୁମତି ନଥିବାରୁ ଏହି ପ୍ରକଳ୍ପ ଅଗ୍ରଗତି ହୋଇପାରୁନି। ଯାହାଫଳରେ ଏଥର ଇନ୍ଦ୍ରାବତୀ ପ୍ରକଳ୍ପକୁ ନେଇ କେଉଁ ଦଳ ପ୍ରତିଶ୍ରୁତି ଲୋକଙ୍କୁ ପ୍ରଭାବିତ କରିବ ତାହା ବଡ଼ ପ୍ରଶ୍ନ ହୋଇଛି।

ସମ୍ବନ୍ଧିତ ଖବର