ମରୀଚିକା ପାଲଟିଛି ପ୍ରସ୍ତାବିତ ଇନ୍ଦ୍ରାବତୀ ସେତୁ : ଚାରି ଚାରି ଥର ଟେଣ୍ଡର ଆହ୍ୱାନ କରି ପୁନର୍ବାର ବାତିଲ, ବ୍ରିଜ୍ ତିଆରି ବିଳମ୍ବ ନେଇ ବଡ଼ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଲୋକେ

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଭୌଗୋଳିକ ପରିସୀମା ମଧ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ସୃଷ୍ଟି ହେଲା। ଗୋପୀନାଥପୁର, ଅଡ୍ରି, ମାଳିଗାଁ, ପାଡେପଦର, ଘୁଟୃଖାଲ ଆଦି ପଞ୍ଚାୟତର ଅନେକାଂଶ ଇଲାକା ଜଳଭଣ୍ଡାର ମଧ୍ୟରେ ବିଲୀନ ହେଲା ପରେ ଲୋକଙ୍କୁ ବିସ୍ଥାପିତ କରାଗଲା। କିନ୍ତୁ ଆବଶ୍ୟକ ସମ୍ବଳ ଜୁଟାଇବାରେ ବିଫଳ ହୋଇଥିବା ମଣିଷମାନେ ସେହି ଅଞ୍ଚଳରେ ହିଁ ଉଚ୍ଚସ୍ଥଳୀମାନ ଦେଖି ଗାଁ ବସେଇଲେ। ଏହି ପ୍ରଭାବିତ ଲୋକମାନଙ୍କ ଗମନାଗମନ ସୁବିଧା, ସମାଜିକ ସମ୍ପର୍କ ଓ ଅର୍ଥନୀତି ସାଙ୍ଗରେ ଉଭୟ ପାଶ୍ୱର୍ର ସମ୍ପର୍କ ଯୋଡ଼ି ହୋଇଥିବାରୁ ଲୋକେ ଜଳଭଣ୍ଡାର ଆରମ୍ଭରୁ ହିଁ ଏକ ସମ୍ପର୍କର ସେତୁ ପାଇଁ ଦାବି କରି ଆସୁଥିଲେ। ଇତିମଧ୍ୟରେ ଚାରି ଚାରି ଥର ଟେଣ୍ଡର ଆହ୍ୱାନ କରି ପୁନର୍ବାର ବାତିଲ ହେଉଥିବା ଘଟଣାକୁ ଏବେ ଆଉ ଲୋକେ ହଜମ କରି ପାରୁନାହାନ୍ତି।

ଏହି ଘଟଣାକୁ ସରକାରଙ୍କର ଇଚ୍ଛାଶକ୍ତିର ଅଭାବ ବୋଲି ଲୋକେ ଆଖ୍ୟା ଦେଉଥିବା ବେଳେ ଏବେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ସଂପୃକ୍ତ ମନ୍ତ୍ରୀଙ୍କୁ ବ୍ରିଜ୍ ତିଆରି ସମ୍ପର୍କରେ ଚିଠି ଲେଖିବା ଘଟଣା ଅଞ୍ଚଳର ଲୋକଙ୍କ ପାଇଁ ଆଉ ଏକ ନୂତନ ଆଶାର ଜାଗୃତି କରିଛି। ଇନ୍ଦ୍ରାବତୀ ଜଳଭଣ୍ଡାର କାର୍ଯ୍ୟ ଆରମ୍ଭ ହେବା ପରେ ତତ୍ ସଂଲଗ୍ନ କୋକେଲପଦର ପାଖରେ ଏକ ପଙ୍କ ଅବରୁଦ୍ଧ ସେତୁର କାର୍ଯ୍ୟାରମ୍ଭ ହେଲା। ଏହି ପଙ୍କ ଅବରୁଦ୍ଧ ସେତୁ ଜଳଭଣ୍ଡାରର ଜଳ ପତ୍ତନର ଊର୍ଦ୍ଧ୍ବରେ ରହିଥିବାରୁ ଲୋକଙ୍କ ଯାତାୟାତର ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟକ୍ଷମ ହେବାର ଚିନ୍ତା କରାଯାଇଥିଲା। କିନ୍ତୁ ପୂର୍ଣ୍ଣାଙ୍ଗ ହେବା ପରେ ପରେ ସେତୁ ଭାଙ୍ଗି ଯିବା ସହିତ ଲୋକଙ୍କ ସମସ୍ତ ସଂଭାବନା ପାଣିରେ ମିଶିଗଲା। କାଠ ଡଙ୍ଗାରେ ଭରସା କରି ସବୁବେଳେ ଆଶଙ୍କା ମଧ୍ୟରେ ଦିନ କାଟୁଥିବା ଲୋକଙ୍କ ଜୀବନ ଯାତ୍ରା ଦୁର୍ବିସହ ହୋଇପଡ଼ିଲା। ଜଳଭଣ୍ଡାର ପୂର୍ଣ୍ଣାଙ୍ଗ ହେବା ପରେ ଡଙ୍ଗାବୁଡ଼ିରେ ଅନେକ ଲୋକଙ୍କ ଜୀବନ ଗଲା। ପରେ ପ୍ରଶାସନର ତତ୍ପରତା ମଧ୍ୟ ବଢ଼ିଲା। ତତ୍କାଳୀନ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ସମୟରେ ପ୍ରଥମ ଟେଣ୍ଡର ଆହ୍ୱାନ କରାଗଲା। କେନ୍ଦୁଗୁଡ଼ା ଘାଟରରେ ଏକ ହାଇଲେବୁଲ ବ୍ରିଜ୍ ତିଆରି ପାଇଁ ୪୬ କୋଟି ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଲା। କିନ୍ତୁ କ୍ରମାଗତ ଭାବରେ ୪ ଥର ଟେଣ୍ଡର ଆହ୍ୱାନ ହେବା ପରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବା ସହିତ ବାତିଲ ପ୍ରକ୍ରିୟା ମଧ୍ୟ ଯୋଡ଼ି ହୋଇଗଲା।

ଏବେ ଓଡ଼ିଶା ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଜଳବନ୍ଦୀ ଅଞ୍ଚଳର ‌ଲୋକଙ୍କ ପାଇଁ ତୁରନ୍ତ ସେତୁ ନିର୍ମାଣ କରିବାକୁ ଦାବି କରିଛନ୍ତି। ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ କେନ୍ଦୁଗୁଡ଼ା ଠାରେ ପ୍ରସ୍ତାବିତ ବ୍ରିଜକୁ ଯଥାଶୀଘ୍ର ସମସ୍ତ ଇଚ୍ଛାଶକ୍ତି ଏକଜୁଟ କରି ସେତୁକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ଜଣାପଡ଼ିଛି। ସରକାର ଏହି ଅଞ୍ଚଳର ଜନ ସାଧାରଣଙ୍କ ସ୍ୱରକୁ ଉପେକ୍ଷା କରି ଚାଲିଥିବା ବେଳେ ବ୍ରିଜ୍ ତିଆରି ନେଇ ବିଳମ୍ବ ଘଟିଲେ ଏହାକୁ ଏକ ରାଜନୈତିକ ମୁଦ୍ଦା ସହିତ ବଡ଼ଧରଣର ଆନ୍ଦୋଳନ ପାଇଁ ଲୋକେ ପ୍ରସ୍ତୁତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର