ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର ଖର୍ଚଦାବି ପାରିତ

ଭୁବନେଶ୍ୱର : ଫମ୍ପା ମାଠିଆର ଶବ୍ଦ ବେଶି। ଦୀର୍ଘ ୧୮ ବର୍ଷ ଧରି ସରକାର ରାଜ୍ୟରେ ଶିଳ୍ପାୟନ ଏବଂ ଶିଳ୍ପର ଅଭିବୃଦ୍ଧି ଘଟିଛି ବୋଲି ଯେତେ ପ୍ରଚାର କରୁଛନ୍ତି, ଯେତିକି ପ୍ରତିଶ୍ରୁତି ଦେଇଛନ୍ତି, ସେଥିମଧ୍ୟରୁ ଅଧିକାଂଶ ରକ୍ଷା କରିପାରିନାହାନ୍ତି। ଗୋଟିଏ ବି ଅଣଖଣିଜ ଶିଳ୍ପ ପ୍ରତିଷ୍ଠା ହେଉନାହିଁ। ଶିଳ୍ପ ନୀତି ଲୋକଙ୍କ ପାଇଁ ନୁହେଁ, ଶିଳ୍ପପତିମାନଙ୍କୁ ସୁହାଇଲା ଭଳି ବଦଳୁଛି। ସ୍ଥାନୀୟ ଲୋକ ନିଯୁକ୍ତି ସୁବିଧା ପାଉନାହାନ୍ତି କି ରାଜ୍ୟ ଶିଳ୍ପ ମାଧ୍ୟମରୁ ସୁଫଳ ପାଉନାହିଁ। କ୍ଷୁଦ୍ର କି ମଧ୍ୟମ ଶିଳ୍ପ ସଂସ୍ଥା ସ୍ଥାପିତ ହେଲେ, ନିଯୁକ୍ତି ନିଶ୍ଚିତ ବଢ଼ିବ। କିନ୍ତୁ ସେଥିରେ ବି ସଫଳତା ମିଳୁନି।

ଆଜି ଅପରାହ୍ଣରେ ଗୃହରେ ଉଭୟ ଶିଳ୍ପ ଏବଂ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ଖର୍ଚଦାବି ଆଲୋଚନା ବେଳେ ସରକାରଙ୍କ ଉପରେ ଏମିତି ବର୍ଷିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଯଦିଓ ପୋସ୍କୋ ଇସ୍ପାତ ପ୍ରକଳ୍ପ ସ୍ଥାପିତ ହେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ, କିନ୍ତୁ ସରକାର ଏହି ପ୍ରକଳ୍ପ ନେଇ ଅତ୍ୟନ୍ତ ଉତ୍ସାହିତ ହୋଇ ପ୍ରଚାରରେ ବ୍ୟସ୍ତ ରହିଲେ। କିନ୍ତୁ ଜମି ଯୋଗାଇ ପାରିଲେନି। ଫଳରେ ରାଜ୍ୟରୁ ପୋସ୍କୋ ଗଲା। କଂଗ୍ରେସ ଦଳ ଶିଳ୍ପାୟନକୁ ନୁହେଁ, ଏହାର ଅବସ୍ଥିତିକୁ ବିରୋଧ କରୁଥିଲା। ସେହିପରି ବେଦାନ୍ତର ଅବସ୍ଥା। ରାଜ୍ୟରେ ନାମମାତ୍ର କିଛି ଶିଳ୍ପ ରହିଛି। କିନ୍ତୁ ସରକାର ଶିଳ୍ପାୟନର ଗୋଲାପି ଚିତ୍ର ଦେଖାଉଛନ୍ତିି ବୋଲି ସେ କହିଥିଲେ।

ଟାଟା କମ୍ପାନିକୁ ଲୁଟେରା ଅଭିହିତ କରି ଶ୍ରୀ ମିଶ୍ର ଏହି କମ୍ପାନି ସ୍ୱାଧୀନତା ପୂର୍ବରୁ ଏବଂ ପରବର୍ତୀ ସମୟରେ ରାଜ୍ୟରୁ ଖଣିଜ ଲୁଟିଚାଲିଥିବା କହିଥିଲେ। ଏହି କମ୍ପାନିକୁ କଳିଙ୍ଗନଗର ଜମି ଦେବା ପାଇଁ ଆଦିବାସୀମାନଙ୍କୁ ଗୁଳି କରି ସରକାର ଅତ୍ୟନ୍ତ ବର୍ବରତାର ସହ ହତ୍ୟା କରିଥିଲେ। ଜଘନ୍ୟ ଭାବେ ସେମାନଙ୍କର ହାତ ପାପୁଲି କଟାଯାଇଥିଲା। ଏହି କମ୍ପାନିରୁ ରାଜ୍ୟ କେତେ ଲାଭ ପାଉଛି ଏବଂ ଏଥିରେ କେତେ ସ୍ଥାନୀୟ ଲୋକେ କର୍ମଚାରୀ, ଅଧିକାରୀ, ଇଞ୍ଜିନିୟର ଭାବେ କାମ କରୁଛନ୍ତି ବୋଲି ସେ ପଚାରିଥିଲେ। ବେଦାନ୍ତ, ଭୂଷଣ ଭଳି ଶିଳ୍ପ ସଂସ୍ଥାଙ୍କୁ କେତେ ବିଦ୍ୟୁତ୍‌ ଶୁଳ୍କ ଛାଡ଼ କରାଯାଇଛି? ବେଦାନ୍ତକୁ ୩୦୦ କୋଟିରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ଶୁଳ୍କ ଛାଡ଼ କରାଯାଇଥିବା ସେ କହିଥିଲେ।

ବଲାଙ୍ଗୀରକୁ ଏକ ଶିଳ୍ପ ଶୂନ୍ୟ ଜିଲ୍ଲା ଦର୍ଶାଇ ସରକାର ପଛୁଆ ଜିଲ୍ଲାରେ ଯେଉଁଠି ଜମି ବହୁଳ ଭାବେ ଉପଲବ୍ଧ ସେଠରେ ଶିଳ୍ପାୟନ ପାଇଁ ଆଗ୍ରହୀ ନୁହନ୍ତି ବୋଲି ବିରୋଧୀ ଦଳ ନେତା କହିଥିଲେ। ଓଡ଼ିଶାକୁ ଆସୁଥିବା ଶିଳ୍ପପତି, କମ୍ପାନିମାନଙ୍କ ନଜର ରାଜ୍ୟର ଖଣିଖାଦାନ ଉପରେ। ଫଳରେ ରାଜ୍ୟରେ ଅଣଖଣିଜ ଶିଳ୍ପ ସଂସ୍ଥା ଗଢ଼ି ଉଠୁନାହିଁ। କୃଷିକୁ ଶିଳ୍ପ ଭାବେ ବିବେଚନା କରାଯାଉଛି କି ବୋଲି ଶ୍ରୀ ମିଶ୍ର ପଚାରିଥିଲେ। ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ବ୍ରଜରାଜନଗରରେ ଶିଳ୍ପ ସଂସ୍ଥାଗୁଡ଼ିକର ସ୍ଥିତି ସଂପର୍କରେ ମନ୍ତ୍ରୀଙ୍କୁ ପଚାରିଥିଲେ।

ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ ଖଣ୍ଡନ କରି ସରକାରୀ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ କହିଲେ, ଟାଟା କମ୍ପାନି ଲୁଟେରା ନୁହେଁ। ଏହି କମ୍ପାନି ବାର୍ଷିକ ୯ ନିୟୁତ ମେଟ୍ରିକ ଟନ୍‌ ଇସ୍ପାତ ଉତ୍ପାଦନ କରୁଛି। ଏହି କ୍ଷମତାର ଆହୁରି ଅଧିକ ସମ୍ପ୍ରସାରଣ କରାଯାଉଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଶିଳ୍ପପତି, କମ୍ପାନିମାନଙ୍କ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଥିବା ସେ କହିଥିଲେ। ସରକାରଙ୍କ ଶିଳ୍ପ ବିକାଶ ଯୋଜନା ସଂପର୍କରେ କହିଥିଲେ ବିଜେଡି ବିଧାୟକ ରବିନାରାୟଣ ମହାପାତ୍ର।

ଆଲୋଚନା ଶେଷରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କହିଲେ, ସରକାରଙ୍କ ମାଠିଆରେ ଜଳ ଭର୍ତି। ମୁଖ୍ୟମନ୍ତ୍ରୀ କେବେ ଶବ୍ଦ କରନ୍ତିନି। ପୋସ୍କୋ, ଟାଟା ଆଦି ପ୍ରସଙ୍ଗ ନେଇ ଗୃହରେ ବାରମ୍ବାର ଆଲୋଚନା ହୋଇଛି। ତା’ର ପୁନରାବୃତ୍ତି କରିବାକୁ ସେ ଚାହାନ୍ତିନି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ରାଜ୍ୟରେ ୧୮ଟି ଶିଳ୍ପ ସେକ୍ଟରରେ ୩୭୬ଟି ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ପ୍ରାୟ ୧୦.୭୨ ଲକ୍ଷ କୋଟିର ନିବେଶ ହେଉଥିବା ସେ ଦର୍ଶାଇଥିଲେ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ତାଙ୍କ ବିଭାଗକୁ ଅନେକେ ଜାଣିନଥିବେ। ତେବେ ତାଙ୍କ ବିଭାଗ ଷ୍ଟାଣ୍ଡିଂ କମିଟି ସୁପାରିସକୁ ଗ୍ରହଣ କରୁଛି। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଜରିଆରେ ରାଜ୍ୟରେ ୧୩ ଲକ୍ଷ ୨୦ ହଜାର ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ସେ କହିଥିଲେ। ଶିଳ୍ପ ବିଭାଗର ୩୩୩ କୋଟି ୪୯ ଲକ୍ଷ ୫୩ ହଜାର ଟଙ୍କାର ଖର୍ଚଦାବି ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର ୨୧୨ କୋଟି ୫୮ ଲକ୍ଷ ୨୪ ହଜାର ଟଙ୍କା ଖର୍ଚଦାବି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର