ଚୌଦ୍ୱାର : ଚୌଦ୍ୱାରରେ ଦୀର୍ଘଦିନ ହେବ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହେବା ଫଳରେ ଏ ଅଂଚଳର ଶ୍ରମିକଙ୍କ ସମେତ ସାଧାରଣ ଲୋକ ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଛନ୍ତି। ପେଟ ପାଇଁ ସେମାନେ ଘରଦ୍ବାର ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳୁଛି। ଲୋକମାନଙ୍କର ଏହି ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଟିଏମ୍ ଓ ବଲ୍ଲାରପୁର କାଗଜ କାରଖାନା ଚାଲୁ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଚୌଦ୍ବାର ଅଂଚଳରେ ଛୋଟବଡ଼ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିଥିଲା। ଏହା ଉପରେ ଲୋକମାନେ ନିର୍ଭର କରିବା ସହିତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଥିଲା। ମାତ୍ର, କାରଖାନା ବନ୍ଦ ଫଳରେ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏ ଅଂଚଳ ଲୋକମାନଙ୍କର କୌଣସି ଚାଷଜମି ନଥିବାରୁ ଗୁଜୁରାଣ ମେଣ୍ଟାଇବା ପାଇଁ ଆଉ କିଛି ବିକଳ୍ପ ବି ନାହିଁ। ଫଳେର, ପେଟ ବିକଳରେ ଛଟପଟ ହୋଇ ଏଣେତେଣେ ଘର ଦ୍ବାର ଛାଡି ଚାଲି ଯାଉଥିବା ଦେଖିବାକୁ ମିଳୁଛି।
ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମହାବାତ୍ୟା ପରେ ଓଟିଏମ୍ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ୨୦୦୩ ମସିହାରେ ବଲ୍ଲାପୁର କାଗଜକଳ ବନ୍ଦ ହୋଇଯାଇଛି। ଚୌଦ୍ବାର ବଲ୍ଲାରପୁର କାଗଜକଳରେ ସମସ୍ତ ୬ ହଜାର ଶ୍ରମିକ କର୍ମଚାରୀ ଥିଲେ। ଓଟିଏମ୍ରେ ୧୦ ହଜାର ଶ୍ରମିକ ଥିଲେ। ଏହାଛଡ଼ା ଅନ୍ୟାନ୍ୟ କାରଖାନାକୁ ହିସାବକୁ ନେଲେ ୨୦ ହଜାରରୁ ୨୨ ହଜାର ଶ୍ରମିକ ନିୟୋଜିତ ହୋଇଥିଲେ। ଏବଂ, ପ୍ରତ୍ୟକ୍ଷ ଭାବେ କାରଖାନା ଉପରେ ନିର୍ଭର କରି ଚଳୁଥିଲେ।
ଅଭିଯୋଗ ଅନୁସାରେ, କମ୍ପାନି କର୍ତୃପକ୍ଷ ଶ୍ରମିକମାନଙ୍କ ସହିତ ଚଞ୍ଚକତା ଓ ଶଠତା ଅବଲମ୍ବନ କରି ବଲ୍ଲାପୁର ଓ ଓଟିଏମ୍ର ଯନ୍ତ୍ରାଂଶ ଗୁଡ଼ିକ ଅନ୍ୟତ୍ର ସ୍ଥାନାନ୍ତର କରି ଶ୍ରମିକମାନଙ୍କ ସହ ଖେଳ ଖେଳିବା ଆରମ୍ଭ କରିଦେଲେ। ଏ ବାବଦରେ ବାରମ୍ବାର ଆବେଦନ ଓ ନିବେଦନ କଲେ ମଧ୍ୟ ଶ୍ରମିକ ଆଜି ଅଦ୍ୟାବଧି କୌଣସି ସୁଫଳ ନ ପାଇ ନିରାଶ ଭାବ ପୋଷଣ କରି କାଳାତିପାତ କରି ଆସୁଛନ୍ତି। ଖୋଦ୍ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରି ବିଫଳ ହୋଇଥିଲାବେଳେ ଶିଳ୍ପ ବିଭାଗ ଓ ଶ୍ରମ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।
ଫଳରେ, ଶ୍ରମିକଙ୍କ ସମେତ ଚୌଦ୍ବାର ଅଂଚଳର ଲୋକମାନଙ୍କ ଉପରେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପଡ଼ିଛି। ପେଟର ଯନ୍ତ୍ରଣା ଓ ଭୋକିଲା ଅବସ୍ଥାରେ ଶ୍ରମିକ ଧୈର୍ଯ୍ୟହରା ହୋଇ ଧୀରେ ଧୀରେ ଓଟିଏମ୍ରୁ ୬ଶହରୁ ୭ଶହ ଏବଂ ବଲ୍ଲାରପୁରରୁ ୩ଶହରୁ ୪ଶହ ଶ୍ରମିକଙ୍କର ଅକାଳରେ ମୃତ୍ୟୁ ହୋଇଥିବା ଏକ ଅସମର୍ଥତ ପରିସଂଖ୍ୟାନରୁ ଜଣାପଡ଼ିଛି। ସେହିଭଳି, ଅନ୍ୟମାନେ ବି ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଛନ୍ତି।
କିଛି ଲୋକ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ ସମସ୍ତ ସୁଯୋଗ ଓ ସୁବିଧା ଥାଇ ମଧ୍ୟ କରାଖାନା ମାଲିକଙ୍କ ଉପଯୁକ୍ତ ତତ୍ତ୍ବାବଧାନ ଅଭାବରୁ କାରଖାନା ବନ୍ଦ ସହ ଶ୍ରମିକ ଶ୍ରେଣୀ ଓ ଏ ଅଞ୍ଚଳବାସୀ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଶ୍ରମିକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏପରି ଛୋଟ ଛୋଟ ପିଲାମାନେ ଖାଦ୍ୟାଭାବ ଓ ଅପପୃଷ୍ଟି ଏବଂ ରୋଗ ଯନ୍ତ୍ରଣାରେ ଅକାଳରେ ଝଡ଼ି ପଡୁଛନ୍ତି।’
‘ପେଟ ବିକଳରେ ଶ୍ରମିକ କେଉଁଆଡେ ଚାଲି ଯାଉଛନ୍ତି ତାର ହିସାବ ନାହିଁ। ଘୋର ଆର୍ଥିକ ସଂକଟ ସାଙ୍ଗକୁ ରୋଗାଗ୍ରସ୍ତ ଅବସ୍ଥାରେ କେହିକେହି ଆତ୍ମହତ୍ୟାକୁ ଆବୋରି ନେଉଥିବା, ’ ସେମାନେ କହିଛନ୍ତି ।
ଲୋକମାନଙ୍କ ପରିସ୍ଥିତି ସହିତ ଚୌଦ୍ବାର ଅଂଚଳର ଅର୍ଥନୈତିକ ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨ଟି ବଡ଼ କାରଖାନା ବଲ୍ଲାରପୁର ଓ ଓଟିଏମ୍ ଏବଂ ତତ୍ସଂଗେ ସଂଗେ ଅନ୍ୟାନ୍ୟ କାରଖାନା ଗୁଡ଼ିକୁ ପୁନରୁଦ୍ଧାର, ଚାଲୁ କରିବା ଦିଗରେ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଏବଂ କର୍ମହରା ଶ୍ରମିକମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ନେତା ଗୋପାଳଚନ୍ଦ୍ର ଦାଶ ଚେତାବନୀ ଦେଇଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ, ‘ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରନ୍ତି ତେବେ ଅଞ୍ଚଳବାସୀ ଓ ଶ୍ରମିକ ସମାଜ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ। ଏଥିସହିତ, ଆଗାମୀ ଦିନରେ ଭୋଟବର୍ଜନ କରିବେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/otm.jpg)