ଖୋର୍ଦ୍ଧା ଜିଲ୍ଲାରେ ଭୂତଳ ଜଳ ଶୋଷୁଛି ଶିଳ୍ପାଞ୍ଚଳ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଆଇଆଇଟି, ନାଇଜର ଭଳି ବୃହତ୍ ଶିକ୍ଷାନୁଷ୍ଠାନ ସମେତ ଶିଳ୍ପାଂଚଳରେ ଥିବା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଏନେଇ ପଦକ୍ଷେପ ନେବାକୁ ଖୋର୍ଦ୍ଧା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ ଭୁବନେଶ୍ବର କେନ୍ଦ୍ରୀୟ ସେଚ ସର୍କଲର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲୋୟର ମହାନଦୀ ବେସିନ୍‌ର ବନ୍ୟା ନିୟନ୍ତ୍ରଣ ଓ ବେସିନ୍ ପରିଚାଳନା ବିଭାଗର ମୁଖ୍ୟ ଯନ୍ତ୍ରୀ ଚିଠି ଲେଖି ତାଗିଦ୍‌ କରିଛନ୍ତି।

ସୂଚନାନୁସାରେ, ଚଳିତ ବର୍ଷ ଜୁଲାଇ ମାସ ୨୯ ତାରିଖରେ ଚିଠି ସଂଖ୍ୟା ୨୦୨୧୬ରେ ଲୋୟର ମହାନଦୀ ବେସିନ୍‌ର ବନ୍ୟା ନିୟନ୍ତ୍ରଣ ଓ ବେସିନ୍ ପରିଚାଳନା ବିଭାଗର ମୁଖ୍ୟ ଯନ୍ତ୍ରୀ ଚିଠି ଲେଖି ଜଟଣୀ –ଅରୁଗୁଳ ନିକଟସ୍ଥ ଆଇଆଇଟି ଓ ଜଟଣୀ–ଖୋର୍ଦ୍ଧା ରୋଡ୍‌ରେ ଥିବା ନାଇଜର ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରୁଥିବା ସୂଚନା ଦେଇ ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଯେଭଳି ଭୂତଳ ଜଳ ପରିବର୍ତ୍ତେ ଇଡ୍‌କୋ ଓ ଜନସ୍ବାସ୍ଥ୍ୟ ବିଭାଗ ଠାରୁ ଭୂପୃଷ୍ଠ ଜଳ ନେବେ ସେନେଇ ବ୍ୟବସ୍ଥା କରିବାକୁ ଦର୍ଶାଇ ଥିଲେ। ଏନେଇ ଅଗଷ୍ଟ ମାସ ୧୪ ତାରିଖରେ ଚିଠି ସଂଖ୍ୟା ୧୭୯୫୨ରେ ରାଜ୍ୟ ଜଳ ସମ୍ପଦ ବିଭାଗ ଲୋୟର ମହାନଦୀ ବେସିନ୍‌ର ବନ୍ୟା ନିୟନ୍ତ୍ରଣ ଓ ବେସିନ୍ ପରିଚାଳନା ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖି ଉକ୍ତ ଶିକ୍ଷାନୁଷ୍ଠାନ ଓ ଅନ୍ୟ ଶିଳ୍ପାନୁଷ୍ଠାନକୁ ତାଗିଦ୍‌ କରାଯାଇଥିବା ଓ ତୁରନ୍ତ ବୋର୍‌ୱେଲଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ। ତେବେ ଏହାର ଦୀର୍ଘ ୨ ମାସ ପରେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ପୁଣି ସେପ୍ଟେମ୍ବର ମାସ ୭ ତାରିଖରେ ଚିଠି ସଂଖ୍ୟା ୨୩୮୪୭ରେ ଏହା ଦର୍ଶାଇ ‘ଫର୍ମ– ଜେ’ରେ ଗୋ ସ୍ବିଫ୍ଟ୍ ପୋର୍ଟାଲରେ ଭୂପୃଷ୍ଠ ଜଳ ବ୍ୟବହାର ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଭୂପୃଷ୍ଠ ଜଳ ବ୍ୟବହାର କରିବାକୁ ଆବେଦନ ଦେଇ ଭୂତଳ ଜଳ ବ୍ୟବହାର କରୁଛନ୍ତି। ସେହିଭଳି ଶିଳ୍ପାଂଚଳରେ ଥିବା ଶତାଧିକ ଶିଳ୍ପାନୁଷ୍ଠାନଗୁଡ଼ିକ ବର୍ତ୍ତମାନ ସୁଦ୍ଧା ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରୁଥିବା ବେଳେ ସେମାନଙ୍କ ଉପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ୧୯ଟି ଶିଳ୍ପାଂଚଳ ରହିଛି। ଏହା ସହ ସାରୁଅ, ମୁକୁନ୍ଦପ୍ରସାଦ ଆଦି ଇଲାକାରେ ପୁଣି ୩ଟି ନୂତନ ଶିଳ୍ପାଂଚଳ ପାଇଁ କାମ ଆରମ୍ଭ ହୋଇଛି। ଏହା ମଧ୍ୟରେ ମୋଟ ୧୩୪୯୧ଟି ପଞ୍ଜୀକୃତ ଶିଳ୍ପ ପ୍ରତିଷ୍ଠାନ ରହିଥିବା ବେଳେ ମଧ୍ୟମ ଓ ବୃହତ୍ ଶିଳ୍ପାନୁଷ୍ଠାନ ସଂଖ୍ୟା ୭୫। ଏଥିରେ ମୋଟ ୨୯,୪୦୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହୋଇଛି।

ସମ୍ବନ୍ଧିତ ଖବର