ଜଗମୋହନ ଖୋଲିବାର ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ନିର୍ଦ୍ଦେଶ

ଶ୍ରୀମନ୍ଦିର ମାମଲା ଶୁଣାଣି ବେଳେ ବିଗିଡ଼ିଲେ ହାଇକୋର୍ଟ

କଟକ: ପୁରୀ ଶ୍ରୀ ମନ୍ଦିରର ଜଗମୋହନ କେବେ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନ କୌଣସି ନିର୍ଦ୍ଦିଷ୍ଟ ତାରିଖ ଅଥବା ସମୟ ରଖୁ ନଥିବାରୁ ଆଜି ମାମଲାର ଶୁଣାଣି ସମୟରେ ଅଦାଲତ ବିରକ୍ତି ପ୍ରକାଶ କରିଛନ୍ତି। ବିଭିନ୍ନ ଆଳରେ ଜଗମୋହନ ଖୋଲିବା କାହିଁକି ବିଳମ୍ବ ହେଉଛି ବୋଲି ଅଦାଲତ ପ୍ରଶ୍ନ କରିବା ସହ ଆସନ୍ତା ଏପ୍ରିଲ ୧୦ ତାରିଖରେ ହେବାକୁ ଥିବା ଶୁଣାଣି ସମୟରେ ଜଗମୋହନ ଖୋଲିବା ତାରିଖ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆଜି ଶୁଣାଣି ସମୟରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି, ତାହାକୁ ନେଇ ଜଗମୋହନ ଖୋଲିବାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ସତ୍ୟପାଠରେ ଦର୍ଶାଯାଇଛି ଯେ ଏପ୍ରିଲ ୪ ତାରିଖରେ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଛି। ଏଏସଆଇକୁ ଏ ସଂପର୍କିତ ସବିଶେଷ ରିପୋର୍ଟ ୭ରୁ ୧୦ ଦିନ ଭିତରେ ପ୍ରଦାନ ପାଇଁ କୁହାଯାଇଛି। ଏପ୍ରିଲ ୪ରେ ଶ୍ରୀମନ୍ଦିର ପରିଚାଳନା କମଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଏ ପ୍ରସଙ୍ଗ ଆଲୋଚିତ ହୋଇଛି। କିନ୍ତୁ ଆଜି ଶୁଣାଣି ସମୟରେ ଉପସ୍ଥିତ ଥିବା ଇଂଜିନିୟର ଏନ୍‌.କେ.ମହାନ୍ତି କମିସନ ଅଦାଲତଙ୍କୁ ଅବଗତ କରିଥିଲେ ଯେ ରତ୍ନ ଭଣ୍ଡାରର କାନ୍ଥ ଓ ଅନ୍ୟ କେତେକ ସ୍ଥାନ ଦୁର୍ବଳ ଅବସ୍ଥାରେ ରହିଛି। ଏହି ମରାମତି କାର୍ଯ୍ୟ ସମୟ ଅନୁସାରେ ହୋଇ ପାରିବ। କିନ୍ତୁ ଜଗମୋହନ ସଂପର୍କରେ ସତ୍ୟପାଠ ଦେବାକୁ ଯାଇ ଶ୍ରୀ ମନ୍ଦିର ପ୍ରଶାସନ ଉଲ୍ଲେଖ କରିଛି ଯେ ଜଗମୋହନ ଭିତରକୁ ଭକ୍ତମାନେ ପ୍ରବେଶ କରିବାକୁ ହେଲେ ଏକମାତ୍ର ବାଟ ହେଉଛି ଜୟବିଜୟ ଦ୍ୱାର। ଜଗମୋହନ ଓ ନାଟ ମଣ୍ଡପକୁ ସଂଯୋଗ କରୁଛି ଜୟବିଜୟ ଦ୍ୱାର। ୨୦୧୮, ଫେବ୍ରୁଆରି ୨୨ରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର କୋର କମିଟି ଜୟବିଜୟ ଦ୍ୱାରର ଅନୁଧ୍ୟାନ କରିଥିଲେ। ଜୟବିଜୟ ଦ୍ୱାରର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିବା ବେଳେ ତୁରନ୍ତ ମରାମତିର ଆବଶ୍ୟକତା ରହିଛି। ତେଣୁ ଜୟ ବିଜୟ ଦ୍ୱାରା ବାଟ ଦେଇ ବର୍ତ୍ତମାନ ସ୍ଥିତିରେ ଜଗମୋହନକୁ ଭକ୍ତଙ୍କୁ ଛାଡ଼ିବା ବିପଦ। ଅନ୍ୟପକ୍ଷରେ ନାଟମଣ୍ଡପ ମରାମତି ଆରମ୍ଭ ହେଲେ ସଂପୂର୍ଣ୍ଣ ହେବା ପାଇଁ ୯୦ ଦିନ ଲାଗି ପାରେ। ଦୁର୍ବଳ ନାଟମଣ୍ଡପର ତୁରନ୍ତ ମରାମତି ଆବଶ୍ୟକ ଥିବା ବେଳେ ଜଗମୋହନ ଖୋଲିବା ପରେ ଏହି କାର୍ଯ୍ୟ ଆରମ୍ଭ ହୋଇ ପାରିବ।

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ
ଜୟବିଜୟ ଦ୍ୱାର ଅତ୍ୟନ୍ତ ଦୁର୍ବଳ, ସେବାଟେ ଯିବା ବିପଦ
ରଥଯାତ୍ରା ନସରିବା ଯାଏ ଖୋଲି ହେବନି ଜଗମୋହନ
ରତ୍ନ ଭଣ୍ଡାର ଯାଞ୍ଚ ରିପୋର୍ଟ ୭ରୁ ୧୦ ଦିନରେ ଦେବ ଏଏସ୍‌ଆଇ

ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର ଓ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରିଥିଲେ। ମାମଲାର ଶୁଣାଣି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଛି ଯେ ଚଳିତବର୍ଷ ରଥଯାତ୍ରା ସଂପର୍କିତ ନୀତି ଏପ୍ରିଲ ୧୮ ତାରିଖ ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହେଉଥିବା ବେଳେ ଏଏସଆଇକୁ ନାଟମଣ୍ଡପ ମରାମତି ପାଇଁ ନିରୂପିତ ସ୍ଥାନ ପ୍ରଦାନ କରିବା ଏବେ ସମ୍ଭବ ନୁହେଁ। ରଥ ଅନୁକୂଳଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଜଗମୋହନକୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବା ସମ୍ଭବ ନୁହେଁ। ରଥଯାତ୍ରା ପରେ ପରେ ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ନିରୂପିତ ସ୍ଥାନ ହସ୍ତାନ୍ତର ପାଇଁ ଛତିଶା ନିଯୋଗ ବୈଠକ ଓ ମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ସହିତ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସାଧାରଣ ଭକ୍ତ ଓ ଭିଆଇପିଙ୍କୁ ଭିତରକାଠ ପର୍ଯ୍ୟନ୍ତ ଯିବା ଲାଗି ଅନୁମତି ଦେବାକୁ ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ ବି.ପି.ଦାସ କମିସନ୍‌ ୨୦୧୭, ଏପ୍ରିଲ ୨୦ର ଅନ୍ତରୀଣ ରିପୋର୍ଟରେ ପରାମର୍ଶ ଦେଇଥିଲେ। ଗର୍ଭଗୃହ ଭିତରକୁ କେବଳ ସେବାପୂଜା ସହିତ ଜଡିତ ସେବକଙ୍କୁ ଯିବାକୁ ଅନୁମତି ଦିଆଯାଉ। ପରମାଣିକ ଦର୍ଶନ ଓ ସାହାଣ ମେଲା ସମୟରେ ଭିତରକୁ ଯିବା ପାଇଁ କାହାକୁ ଅନୁମତି ଦିଆ ନ ଯାଉ ବୋଲି କମିସନ୍‌ ପରାମର୍ଶ ଦେଇଥିଲେ। କମିସନଙ୍କ ଏପରି ପରାମର୍ଶକୁ କାର୍ଯ୍ୟକାରୀ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଜୁଲାଇ ୨୫ରେ ରଥଯାତ୍ରା ସଂପର୍କିତ ସମସ୍ତ ନୀତି ଶେଷ ହେଉଥିବା ବେଳେ ଏହି ସମୟ ପର୍ଯ୍ୟନ୍ତ ଜଗମୋହନ ଖୋଲିବା ପ୍ରସଂଗରେ ସମୟ ଦେବାକୁ ଖଣ୍ଡପୀଠଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏପରି ପରିସ୍ଥିତିରେ ଦୁର୍ବଳ ହୋଇ ପଡିଥିବା ନାଟମଣ୍ଡପ ମରାମତି ଉପରେ ଶୁଣାଣି ସମୟରେ ଗୁରୁତ୍ୱାରୋପ କରାଯାଇଥିଲା। ଏବଂ କେବେ ଜଗମୋହନ ଖୋଲିବ ଓ କେବେ ନାଟମଣ୍ଡପ ମରାମତି ଆରମ୍ଭ ହୋଇ ପାରିବ ତା’ ଉପରେ ପକ୍ଷ ରଖିବାକୁ ଅଦାଲତ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର