ଏଆଇସିଟିଇର ନିର୍ଦ୍ଦେଶନାମାକୁ ବେଖାତିର : ୩ ପାଠ୍ୟକ୍ରମରେ ନାମ ନଲେଖାଇବାକୁ ନିର୍ଦ୍ଦେଶ, ବନ୍ଦ ହୋଇଯିବ ଚୌଦ୍ୱାର ଆଇଟିଟି!
ଚୌଦ୍ୱାର-ମଙ୍ଗୁଳି : ଶିଳ୍ପାଞ୍ଚଳ ଭାବେ ପରିଚିତ ଚୌଦ୍ୱାର ଏବେ ଶିଳ୍ପ ବିହୀନ ହେବାକୁ ବସିଲାଣି। ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହୋଇଯାଉଥିବାରୁ ସ୍ଥାନୀୟ ବାସିନ୍ଦାମାନେ ରୋଜଗାର ହରାଉଛନ୍ତି। ଏପରିସ୍ଥଳେ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଚୌଦ୍ୱାର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ବାରିହେଉଛି। ଏବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ସଟାଇଲ୍ ଟେକ୍ନୋଲୋଜି (ଆଇଟିଟି)କୁ ବନ୍ଦ କରିବାକୁ ଚକ୍ରାନ୍ତ ହେଉଥିବା ଜଣାପଡ଼ିଛି। ୨୦୧୪ ମସିହାରୁ ପୋଷ୍ଟ ଡିପ୍ଲୋମା ଇନ୍ ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟିରେ ନାମଲେଖା ବନ୍ଦ ହୋଇଯାଇଥିଲାବେଳେ ଚଳିତ ବର୍ଷଠୁ ରାଜ୍ୟସରକାର ଇଲେକ୍ଟ୍ରୋନିକ୍ସ ଓ ସେକେଣ୍ଡ ସିଫ୍ଟର ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ବ୍ରାଞ୍ଚରେ ଆଡ୍ମିସନ୍ ନ କରାଇବା ପାଇଁ ଆଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଦେଶ ଏଆଇସିଟିଇର ନିୟମବିରୋଧୀ ବୋଲି କୁହାଯାଉଛି। ଚଳିତ ବର୍ଷ ପାଇଁ ଏଆଇସିଟିଇ ସମସ୍ତ ବ୍ରାଞ୍ଚ୍କୁ ଆଡ୍ମିସନ ପାଇଁ ଅନୁମୋଦନ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ଦୁଇ ବ୍ରାଞ୍ଚରେ ନାମ ନଲେଖାଇବାକୁ ଚିଠି (ନଂ ୨୪୨୭, ତା ୨୬.୫.୧୮) ରେ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚୌଦ୍ୱାର ଗାନ୍ଧିଛକସ୍ଥିତ ଆଇଟିଟି ୧୯୮୩ ମସିହାରୁ ପ୍ରତିଷ୍ଠା ହୋଇଥିଲାବେଳେ ପ୍ରଥମରୁ କେବଳ ଟେକ୍ସଟାଇଲ ଟେକ୍ନୋଲୋଜିରେ ୩ବର୍ଷିଆ ଡିପ୍ଲୋମା ଶିକ୍ଷା ପ୍ରଦାନ କରାଯାଉଥିଲା। ୧୯୯୪ ମସିହାରୁ ଏଠାରେ ସ୍ନାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ସମୟରେ ଡିଗ୍ରୀର ସିଟ୍ ସଂଖ୍ୟା ୪୦ ଓ ଡିପ୍ଲୋମାର ୨୦ଟି ସିଟ୍ରେ ନାମ ଲେଖାଯାଉଥିଲା। ୨୦୦୩ରେ ଫ୍ୟାସନ୍ ଟେକ୍ନୋଲୋଜିରେ ଡିଗ୍ରୀ ଆରମ୍ଭ ହୋଇଥିଲାବେଳେ ଏହା ସେଲ୍ଫ ଫାଇନାନ୍ସିଙ୍ଗ୍ ଭାବେ ପରିଚାଳିତ ହେଉଥିଲା। ମାତ୍ର ରାଜ୍ୟ ସରକାର ୨୦୦୬-୦୭ ମସିହାରେ ଡିଗ୍ରୀ ପାଠ୍ୟକ୍ରମ ଦ୍ୱୟକୁ ଭୁବନେଶ୍ୱରସ୍ଥିତ କଲେଜ ଅଫ୍ ଇଂଜିନିୟରିଂ ଆଣ୍ଡ୍ ଟେକ୍ନଲୋଜିକୁ ଉଠାଇନେଇଥିଲେ। ଯାହାଫଳରେ ଏହି ଅନୁଷ୍ଠାନରେ କେବଳ ଡିପ୍ଲୋମା କୋର୍ସରେ ହିଁ ଶିକ୍ଷାଦାନ ସୀମିତ ରହିଥିଲା। ସେହି ସମୟରେ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ଡିପ୍ଲୋମା ସିଟ୍ ସଂଖ୍ୟା ୨୦ରୁ ୪୦କୁ ବୃଦ୍ଧି କରାଇବା ସହିତ ୪୦ ସିଟ୍ ବିଶିଷ୍ଟ ମେକାନିକାଲ ଇଞ୍ଜିନିୟରିିଙ୍ଗ୍ ଏବଂ ଇଟିସି ଇଞ୍ଜିନିୟରିଙ୍ଗ୍ ବ୍ରାଞ୍ଚ ଆରମ୍ଭ କରାଇଥିଲେ। ପରବର୍ତ୍ତୀ ସମୟରେ ୨୦୧୦ ଓ ୨୦୧୧ ମସିହାରେ ଆଉ ତିନୋଟି ବ୍ରାଞ୍ଚ ଯଥା ଇଲେକ୍ଟକାଲ, ସିଭିଲ ଇଞ୍ଜିନିୟରିଙ୍ଗ୍ ଏବଂ ମେକାଟ୍ରୋନିକ୍ସ ଇଞ୍ଜିନିୟରିଂରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେଲଫ୍ ଫାଇନାନ୍ସିଂରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଆଦାୟ ହେଉଥିବା ଅର୍ଥକୁ ବିନିଯୋଗ କରିବାକୁ ଯାଇ ସେ ସମୟରେ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ନାନା ଉପକରଣ ଯଥା, ଇଲେକ୍ଟ୍ରିକାଲ ଓ ମେକାନିକାଲ ବିଭାଗର ବିଭିନ୍ନ ବ୍ୟୟବହୁଳ ଯନ୍ତ୍ରପାତି, ସିଏନ୍ସି, ପିଏଲ୍ସି କିଣିବା ସହ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିରେ ମଧ୍ୟ ଅନେକ ଉନ୍ନତି ଅଣାଯାଇଥିଲା। ୨୦୧୨ ମସିହା ସୁଦ୍ଧା ଏହି ଅନୁଷ୍ଠାନରେ କୌଣସି ନିୟମିତ ଶିକ୍ଷକ ନଥିଲେ ମଧ୍ୟ ୬ଟି ବ୍ରାଞ୍ଚକୁ ଚଳାଇବାକୁ ୭ଜଣ ନିୟମିତ ଓ ୧୯ଜଣ ଠିକା ଶିକ୍ଷକଙ୍କୁ ପରିଚାଳନା ସମିତି ନିଯୁକ୍ତି ଦେଇଥିଲା।
ଓଡ଼ିଶା ସରକାରଙ୍କ ଶିଳ୍ପବିଭାଗ ଆଇଟିଟିର ଭିତ୍ତିଭୂମିର ଯାଞ୍ଚ କରି ଏହାକୁ ପ୍ରଶିକ୍ଷଣ ଓ ଉତ୍ପାଦନ କେନ୍ଦ୍ର ଭାବେ ଘୋଷଣା କରିଥିଲେ। ୨୦୧୪ ପରେ ରାଜ୍ୟ ସରକାରଙ୍କ ଅବହେଳା ହେତୁ ଶିକ୍ଷାନୁଷ୍ଠାନ ଧୀରେ ଧୀରେ କ୍ଷତି ସହିବାକୁ ବସିଲାଣି। ଲକ୍ଷାଧିକ ଟଙ୍କାର ଉପକରଣ, ଭିତ୍ତିଭୂମିର ରକ୍ଷଣାବେକ୍ଷଣ ହୋଇନାପାରିବା ସହ ବହୁବର୍ଷ ଧରି କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଛାତ୍ରାବାସ ଏପର୍ଯ୍ୟନ୍ତ ବ୍ୟବହାର ନ ହୋଇ ପଡ଼ିରହିଛି। ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ନ ହେବାରୁ ଶିକ୍ଷାଦାନର ମାନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଧିରେଧିରେ ପାଠ୍ୟକ୍ରମରେ ନାମଲେଖା ବନ୍ଦ କରାଯାଉଥିବାରୁ ଏହି ଶିକ୍ଷାନୁଷ୍ଠାନ ଆଗକୁ ବନ୍ଦ ହୋଇଯିବା ଆଶଙ୍କା ଦେଖାଦେଇଛି। ଆଗାମୀ ଦିନରେ ରାଜ୍ୟ ସରକାର ନାମ ଲେଖାଇବାକୁ ଅନୁମତି ନଦେଲେ ଚୌଦ୍ୱାର ଅଞ୍ଚଳରେ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚର୍ଚ୍ଚା ହେଉଛି।