କନ୍ଧମାଳରେ ଶୀତ ବଢ଼ିଲା

ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ

ଦାରିଙ୍ଗବାଡ଼ି / ତୁମୁଡ଼ିବନ୍ଧ : ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଶୀତର ପ୍ରକୋପ ବଢ଼ିଛି। ଆଜି ଦାରିଙ୍ଗବାଡ଼ିରେ ତାପମାତ୍ରା ୯ ଡିିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ଲଘୁଚାପ ବର୍ଷା ପରେ ହଠାତ ଶୀତ ଉଭେଇ ଯାଇଥିଲା। ହେଲେ, ୨୩ ତାରିଖରୁ ପୁଣି ଶୀତ ବଢ଼ିବାରେ ଲାଗିଛି। ୨୩ ତାରିଖରେ ୧୪ ଡିଗ୍ରୀ, ୨୪ରେ ୧୨.୫ ଡିଗ୍ରୀ, ୨୫ରେ ୯.୫ ଡିିଗ୍ରୀ ଏବଂ ଆଜି ୯ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିବା ବ୍ଲକ ପାଣିପାଗ ସୂଚନା କେନ୍ଦ୍ରରୁ ଜଣାପଡ଼ିଛି। ଦିନରେ ଖରା ଟାଣ ହେଉଛି। ସଂଧ୍ୟାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଅଛି। ସନ୍ଧ୍ୟା ୬ଟା ପରେ ଶୀତର ପ୍ରକୋପ ଯୋଗୁଁ ବଜାର ଶୂନ୍‌ଶାନ ହୋଇଯାଉଛି। ଥଣ୍ଡା କାରଣରୁ ସକାଳେ ବିଭିନ୍ନ କାମରେ ଫୁଲବାଣୀ, ବାଲିଗୁଡ଼ା, ଭଞ୍ଜନଗର ଓ ବ୍ରହ୍ମପୁର ଯାଉଥିବା ବସ୍‌ରେ ଯାତ୍ରୀମାନେ ବିଶେଷ ଅସୁବିଧା ଭୋଗୁଛନ୍ତି। ଆସନ୍ତା ଦୁଇ ଦିନ ଭିତରେ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଆହୁରି କମିବା ସମ୍ଭାବନା ରହିଥିବା ବ୍ଲକ ପାଣିପାଗ ସୂଚନା କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

ସମ୍ବନ୍ଧିତ ଖବର