ମାଓ ମୁକାବିଲା ନେଇ ରାଜଧାନୀରେ ଉଚ୍ଚସ୍ତରୀୟ ବୈଠକ : ଏଣିକି ମିଳିତ କମ୍ବିଂ ଅପରେସନ୍‌

୭ ରାଜ୍ୟର ପୁଲିସ ମୁଖ୍ୟଙ୍କ ସହ ଡିଜିଙ୍କ ଆଲୋଚନା

ଭୁବନେଶ୍ୱର : ମାଓ ଅଧ୍ୟୁଷିତ ଜିଲ୍ଲାର ସୀମାବର୍ତୀ ଅଞ୍ଚଳ ବିଶେଷକରି ବିଛନ୍ନାଞ୍ଚଳରେ ଆଉ ଓଡ଼ିଶା ପୁଲିସ ଏକୁଟିଆ କମ୍ବିଂ ଅପରେସନ୍‌ରେ ସାମିଲ୍‌ ହେବ ନାହିଁ। ପଡୋଶୀ ରାଜ୍ୟ ପୁଲିସ ମଧ୍ୟ କମ୍ବିଂ ଅପରେସନ ସାମିଲ ହୋଇ ମାଓ ଗଡ଼କୁ ଧ୍ୱଂସ କରିବ। କେବଳ ମାଓବାଦୀ ଦମନ କାହିଁକି ଆନ୍ତଃଦେଶୀୟ ଅପରାଧୀ, ସାଇବର ଅପରାଧୀ, ଠକେଇ, ଗ୍ୟାଙ୍ଗ୍‌ଷ୍ଟର ଓ ଅନ୍ୟ ଦୁର୍ଦାନ୍ତ ଅପରାଧୀମାନଙ୍କୁ ଗିରଫ କରିବା ନେଇ ପରସ୍ପର ମଧ୍ୟରେ କିଭଳି ସମନ୍ଵୟ ରକ୍ଷା କରାଯାଇ ପାରିବ ସେ ନେଇ ପଡୋଶୀ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ନେଇ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଭୁବନେଶ୍ୱରର ପୁଲିସ ଭବନଠାରେ ଏକ ବୈଠକ କରାଇଥିଲେ। ଯେଉଁଥିରେ ୭ଟି ପଡୋଶୀ ରାଜ୍ୟର ପୁଲିସ ମୁଖ୍ୟମାନେ ସାମିଲ ହୋଇଥିଲେ।

ମିଳିଥିବା ସୂଚନା ମୁତାବକ, ମାଓ ଦମନ ନେଇ ସ୍ୱତନ୍ତ୍ର ରଣନୀତି, ମାଓବାଦୀଙ୍କ ଗତବିଧି, ମାଓବାଦୀଙ୍କୁ ଦମନ ଆଦି ସମ୍ପର୍କରେ ପଡୋଶୀ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ରାଜ୍ୟର ପୁଲିସ ମୁଖ୍ୟ, ବିଏସ୍‌ଏଫ୍‌, ସିଆରପିଏଫ୍‌ ମୁଖ୍ୟଙ୍କ ସହିତ ବୈଠକ ବସିଥିଲା। ଯେଉଁଥିରେ କେନ୍ଦ୍ର ଗୃହ ବିଭାଗର ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ମାଓ ଦମନ ନେଇ ସ୍ୱତନ୍ତ୍ର ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। କେମିତି ଆଗାମୀ ଦିନରେ ଦେଶରୁ ମାଓ ସମସ୍ୟାକୁ ସଂପୂର୍ଣ ଭାବେ ମୂଳୋତ୍ପାଟନ କରାଯିବ ତାହା ଉପରେ ବିଷଦ ଆଲୋଚନା କରାଯାଇଥିଲା। ମାଓବାଦୀଙ୍କ ନିକଟକୁ ଆସୁଥିବା ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହଯୋଗକୁ କେମିତିି ବନ୍ଦ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ମାଓବାଦୀଙ୍କୁ ଆର୍ଥିକ ଓ ମାନସିକ ଭାବେ ସହଯୋଗ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡିକ ଉପରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେ ବିଜୟ କୁମାର ଗରୁତ୍ୱାରୋପ ଦେଇଥିଲେ।

ପୁଲିସ ଡିଜି ଶର୍ମା କହିଛନ୍ତି, ମାଓବାଦୀଙ୍କ ବିରୋଧରେ କମ୍ବିଂ ଅପରେସନ୍‌ବେଳେ ଏବେ ପଡୋଶୀ ରାଜ୍ୟ ପୁଲିସର ସହଯୋଗ ନିଆଯିବ। ଗୁଇନ୍ଦା ତଥ୍ୟର ମଧ୍ୟ ଆଦାନ ପ୍ରଦାନ କରାଯିବ। ଏହାପରେ ମିଳିତ ଭାବେ ଅପରେସନ ଆରମ୍ଭ କରାଯିବ। ବୋଲି ଡିଜି ଶର୍ମା କହିଛନ୍ତି।

ବୈଠକରେ ବିଏସ୍‌ଏଫ୍‌ ଡିଜି ଅରୁଣ କୁମାର, ଆନ୍ଧ୍ରପ୍ରଦେଶର ଏଡିଜିପି ଏବି ଭେଙ୍କଟେଶ୍ୱର ରାଓ, ତେଲେଙ୍ଗାନା ଡିଜିପି ମହେନ୍ଦ୍ର କୁମାର ରେଡ୍ଡି, ଛତିଶଗଡ଼ ଡିଜିପି ଡିଏମ୍‌ ସ୍ୱାତୀ, ପଶ୍ଚିମବଙ୍ଗର ଆଇଜି ରାଜୀବ ମିଶ୍ରା, ଝାରଖଣ୍ଡର ଏଡିଜିପି ଆର୍‌କେ ମଲ୍ଲିକ, ଏସ୍‌ଆଇବି ସହ ନିର୍ଦେଶକ ଭିନିତା ଶର୍ମା, ଗୁଇନ୍ଦା ନିର୍ଦେଶକ ସୁନୀଲ ରଏ, କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର