ଆଇଟିଆର୍‌ରେ ଉଦ୍‌ଘାଟିତ ହେଲା ଆନ୍ତର୍ଜାତିକ ସମ୍ମିଳନୀ : ଯୋଗଦେଲେ ୧୮ଟି ଦେଶର ବୈଜ୍ଞାନିକ

ଯୁବଶକ୍ତିକୁ ଅଧିକ କ୍ଷମତା ଦିଆଯିବା ଦରକାର: ଡ.କିରନ୍ କୁମାର

ବାଲେଶ୍ବର : ଚାନ୍ଦିପୁରସ୍ଥିତ ଆଇଟିଆର୍‌ ଡିଆର୍‌ଡିଏ ଅଡିଟୋରିଅମ୍‌ରେ କ୍ଷେପଣାସ୍ତ୍ର ଓ ମହାକାଶକୁ ନେଇ ଆଜିଠାରୁ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ୧୮ଟି ଦେଶର ବୈଜ୍ଞାନିକ ଯୋଗ ଦେଇଛନ୍ତି।

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଖ୍ୟାତନାମା ବୈଜ୍ଞାନିକ ଡ. କିରନ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ ଯେ, ଆଜି ଦିନରେ ଜ୍ଞାନକୌଶଳ(ଟେକ୍ନୋଲୋଜି) ବହୁତ ଆଗକୁ ଯାଇଛି। ଭାରତରେ ଇସ୍ରୋ ବର୍ତ୍ତମାନ ସୁଦ୍ଧା ୪୯ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଛି। ସାଧାରଣ ଲୋକଟିଏ ଆଜି ଲେଖିବା ଓ ପଢିବା ଜାଣିନଥିଲେ ବି ଜ୍ଞାନକୌଶଳକୁ ବ୍ୟବହାର କରିପାରୁଛି। ଜ୍ଞାନକୌଶଳରେ ଯୁବଶକ୍ତିକୁ ଆହୁରି ଅଧିକ କ୍ଷମତା ଦିଆଯିବା ଦରକାର।

ସମ୍ମାନିତ ଅତିଥି ଭାବେ ଡିଆରଡିଓର ପୂର୍ବତନ ସେକ୍ରେଟେରି ଡ. ଅବିନାଶ ଚନ୍ଦର କହିଥିଲେ ଯେ, ବିଗତ ତିନି ବର୍ଷ ଭିତରେ ଆଇଟିଆର୍‌ ନିଜ ଜ୍ଞାନକୌଶଳରେ ବହୁତ ବଡ଼ ବଡ଼ ସଫଳତା ହାସଲ କରି ପାରିଛି। ଯାହାଦ୍ବାରା ଆମେ ବିଦେଶରୁ ଟେକ୍ନୋଲୋଜିର ସାହାଯ୍ୟ ନେବା ଦରକାର ହେଉନାହିଁ। ମିସାଇଲ ଡାଇରେକ୍ଟର ଜେନେରାଲ ଏମ୍‌ଏସ୍‌ଆର୍‌ ପ୍ରସାଦ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଆଇଟିଆର୍‌ ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ବୈଜ୍ଞ‌ାନିକ ନୀଲମ କୁମାର ପାଲ ମଞ୍ଚ ପରିଚାଳନା କରିଥିଲେ। ସମ୍ମିଳନୀର ଆବାହକ ତଥା ବୈଜ୍ଞାନିକ ବି ସୁଚରିତା ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ କାନାଡ଼ା, ଆମେରିକା, ଇଟାଲୀ, ଜର୍ମାନୀ, ଇସ୍ରାଏଲ, ସିଙ୍ଗାପୁର, ନ୍ୟୁଜିଲାଣ୍ଡ, କାତାର, ଦକ୍ଷିଣ କୋରିଆ, ଫ୍ରାନ୍‌ସ ଆଦି ୧୮ଟି ଦେଶରୁ ବୈଜ୍ଞାନିକମାନେ ଏହି ସମ୍ମିଳନୀ‌ରେ ଯୋଗ ଦେଇଛନ୍ତି। ସେହିପରି ବିଭିନ୍ନ ଦେଶରୁ ୨୦୦ରୁ ଅଧିକ ସନ୍ଦର୍ଭ ଆସିଥିବା ବେଳେ ସେଥିରୁ ଚୟନ ହୋଇଥିବା ୭୭ଟି ସନ୍ଦର୍ଭକୁ ଏହି ସମ୍ମିଳନୀ‌ରେ ଆଳୋଚନା ଓ ତର୍ଜମା କରାଯିବ।

ସମ୍ବନ୍ଧିତ ଖବର