ଗତବର୍ଷ ଜାତୀୟ ସ୍ତରର ଦୁଇଟି ମର୍ଯ୍ୟାଦାଜନକ ସାପ୍ତାହିକ ପତ୍ରିକା ‘ଇଣ୍ଡିଆ ଟୁଡେ’(ଜୁଲାଇ ୩,୨୦୧୭) ଓ ‘ଆଉଟ୍ଲୁକ୍’ର (ସେପ୍ଟେମ୍ବର ୪,୨୦୧୭) ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇଟି ପତ୍ରିକାରେ ପ୍ରକାଶିତ ସାକ୍ଷାତକାରରେ ସେ କେତେକ ବ୍ୟକ୍ତିଗତ ଓ ପାରିବାରିକ ପ୍ରଶ୍ନର ଉତ୍ତର ଦେଇଥିଲେ। ନବୀନଙ୍କୁ ପଚରାଯାଇଥିବା କେତେକ ପ୍ରଶ୍ନ ଓ ସେ ଦେଇଥିବା ଉତ୍ତରର ଅନୁବାଦ ଏଠାରେ ଉପସ୍ଥାପନ କରୁଛୁ।
ଅନୁବାଦ : ପୁଷ୍ପମିତ୍ର ମହାନ୍ତି
Sambad is now on WhatsApp
Join and get latest news updates delivered to you via WhatsApp
ଆମମାନଙ୍କ ପାଇଁ ବିଜୁ ପଟ୍ଟନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସୀ ପାଇଲଟ୍, ଶିଲ୍ପଦ୍ୟୋଗୀ ଏବଂ ସଫଳ ରାଜନେତା। ତେବେ, ଆପଣ ଆପଣଙ୍କ ବାପା, ବିଜୁ ପଟ୍ଟନାୟକଙ୍କୁ କିଭଳି ଭାବେ ଚିତ୍ରଣ କରିବାକୁ ଚାହିଁବେ?
– ନିଶ୍ଚିତ ଭାବେ ସେ ଆମ ସମସ୍ତଙ୍କ ପାଇଁ ଥିଲେ ଜଣେ ପ୍ରିୟ ବାପା। ଏବଂ ଆପଣ ଯେପରି କହିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିଲ୍ପଦ୍ୟୋଗୀ ଏବଂ ପରେ ଜଣେ ସଫଳ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ।
ତେବେ, ଜଣେ ପିତା ଭାବେ ସେ ଆପଣଙ୍କୁ କିପରି ଭାବେ ପ୍ରଭାବିତ କରିଛନ୍ତି?
– ସେ ନିଜର ଚିନ୍ତାଧାରା ଓ କାର୍ଯ୍ୟରେ ତାଙ୍କ ସମୟ ଠାରୁ ଆଗରେ ଥିଲେ। ମୋ ମତରେ, ତାଙ୍କ ଜୀବନରେ ଏଇ ଜିନିଷଟା ହିଁ ଥିଲା ଅସାଧାରଣ।
ବାପାଙ୍କୁ କେବେ ଆପଣ ନିଜର ‘ରୋଲ୍ ମଡେଲ୍’ (ଆର୍ଦଶ) ଭାବେ ଗ୍ରହଣ କରିଥିଲେ କି? ଭବିଷ୍ୟତରେ ତାଙ୍କ ପରି ହେବାକୁ ଇଚ୍ଛା ରଖିଥିଲେ କି?
– ପ୍ରକୃତରେ ରାଜନୀତିରେ ପାଦ ରଖିବା ପାଇଁ କେବେ ହେଲେ ବି ମୋ ମନରେ ଇଚ୍ଛା କିମ୍ବା ଆବିଳତା ନଥିଲା। ହେଲେ, ୧୯୯୭ରେ ବାପାଙ୍କ ଦେହାନ୍ତ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟମାନେ ମୋତେ ତାଙ୍କ ସଂସଦୀୟ କ୍ଷେତ୍ରରୁ ଉପ-ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରିଥିଲେ। ମୁଁ ବି ଦେଖିଲି, ମୋ ବାପାଙ୍କ ପ୍ରତି ଓଡ଼ିଶାବାସୀଙ୍କ ମନରେ ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଛି। ସେଥିପାଇଁ ମୁଁ ରାଜନୀତିକୁ ଓହ୍ଲାଇ ଓଡ଼ିଶାବାସୀଙ୍କର ସେବା କରିବାକୁ ଆଗ୍ରହ ପ୍ରକାଶ କରିଥିଲି।
ତେବେ, ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପର୍ଯ୍ୟନ୍ତ ଆପଣ କ’ଣ କେବେହେଲେ ବି ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଭାବି ନଥିଲେ?
– ନା, ନା! ନା’ ମୁଁ କେବେ ଭାବିଥିଲି; ନା’ ବାପା ଚାହିଁଥିଲେ।
ରାଜନୀତି ବିଷୟରେ ଆଲୋଚନା କଲାବେଳେ ସେ କ’ଣ ଆପଣଙ୍କୁ ସାଙ୍ଗରେ ନେଉ ନଥିଲେ କି?
– ନା’ କେବେ ବି ନୁହେଁ।
ଆପଣଙ୍କ ପରିଣତ ଯୌବନରେ, ଆପଣ ଅନ୍ତର୍ଜାତିକ ସେଲିବ୍ରିଲିଟି… ଜ୍ୟାକ୍ଲିନ୍ କେନେଡି, ଦ’ ବିଟିଲସ୍ଙ୍କ ସହ ସଂପର୍କରେ ଥିଲେ, ସେ ସମୟ ଆପଣଙ୍କ ପାଇଁ କିପରି ଓ କେମିତି ଥିଲ।?
– ହଁ! ମିସେସ୍ କେନେଡିଙ୍କ ସହ ପ୍ରଥମେ ମୋର ଏକ ବୃତ୍ତିଗତ ସଂପର୍କ ଥିଲା। ସେ ମୋର ପ୍ରଥମ ଏବଂ ତୃତୀୟ ପୁସ୍ତକର ସଂପାଦନା କରିଥିଲେ। ଆମ ଦୁହିଁଙ୍କ ମଧ୍ୟରେ ଏକ ଦୃଢ଼ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରହିଥିଲା।
ଏହା କିପରି ଓ କେମିତି ଘଟିଥିଲା? ସେ କେମିତି ଆପଣଙ୍କ ପୁସ୍ତକର ସଂପାଦନା କଲେ? ଏମିତି ପ୍ରୟତଃ ହୋଇ ନଥାଏ!
– ଆମେରିକାରେ ରହୁଥିବା ମୋର କିଛି ବନ୍ଧୁ ତାଙ୍କୁ ଏ ପ୍ରସ୍ତାବ ଦେଇଥିଲେ। ସେତେବେଳେ ସେ କିଛି ପୁସ୍ତକ ପ୍ରକାଶ କରିବାକୁ ଚାହୁଁଥିଲେ।
ତେବେ ବିଟିଲସ୍???
– ୧୯୬୦ ଦଶକରେ ବିଟିଲସ୍ ସେମାନଙ୍କ ପତ୍ନୀମାନଙ୍କ ସହ ଏଠାକୁ ଆସି ମହର୍ଷିଙ୍କ ଆଶ୍ରମରେ ଅବସ୍ଥାନ କରୁଥିବା କାଳରେ ସେମାନେ ଭାରତର ବିଭିନ୍ନ ପ୍ରସଙ୍ଗ ଉପରେ ମୋ ଠାରୁ ପରାମର୍ଶ ଓ ଉପଦେଶ ଚାହୁଁଥିଲେ। ଏହା ମଧ୍ୟ ମୋର ବନ୍ଧୁମାନଙ୍କ ଜରିଆରେ ସଂପନ୍ନ ହୋଇଥିଲା।
୧୯୯୭, ଆପଣଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା। ଏହି ବର୍ଷ ଆପଣଙ୍କ ବାପାଙ୍କ ଦେହାନ୍ତ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଆପଣଙ୍କୁ ରାଜନୀତିରେ ସାମିଲ୍ ହେବାକୁ ପରାମର୍ଶ ଦେଇଥିଲେ। ମାତ୍ର, ନିଜ ଉପରେ ବିଶ୍ୱାସ ରଖୁଥିବା ଆପଣଙ୍କ ପରି ଜଣେ ବ୍ୟକ୍ତି କିପରି ଅନ୍ୟର କଥାରେ ପ୍ରଭାବିତ ହୋଇ ନିଜ ଜୀବନର ଏତେ ବଡ଼ ନିଷ୍ପତ୍ତି ନେଲେ?
– ନା। ମୁଁ ଏହା କରିବାକୁ ଚାହୁଁଥିଲି। ସେସମୟରେ, ଯେତେବେଳେ ସୁଯୋଗ ଆସି ମୋ ପାଖରେ ପହଞ୍ଚିଥିଲା, ସେତେବେଳେ ମୁଁ ତାହାକୁ ହାତଛଡ଼ା କରିବା ପାଇଁ ଚାହିଁ ନଥିଲି।
ଆପଣଙ୍କ ପାଇଁ କ୍ଷମତାର ମାନେ କ’ଣ?
– ମୁଁ କ୍ଷମତାରେ ବିଶ୍ୱାସ ରଖେ ନାହିଁ। ରାଜ୍ୟବାସୀଙ୍କ ସେବା ହିଁ ମୋର ପ୍ରଥମ ପ୍ରାଥମିକତା।
ଆପଣଙ୍କ ବାପା ବିଜୁ ପଟ୍ଟନାୟକ ଜୀବିତାବସ୍ଥାରେ ଆପଣଙ୍କୁ କୌଣସି ପ୍ରକାରର ରାଜନୈତିକ ଉପଦେଶ ଦେଇଥିଲେ କି?
– ନା, ସେ ମୋତେ କୌଣସି ପ୍ରକାରର ରାଜନୈତିକ ଉପଦେଶ ଦେଇ ନଥିଲେ। କାରଣ, ମୋର ରାଜନୀତିରେ ପ୍ରବେଶ ପାଇଁ କୌଣସି ପ୍ରକାରର ସ୍ଫୃହା ନଥିଲା। ସେ ମଧ୍ୟ କେବେ ବି ଭାବି ନଥିଲେ ଯେ ମୁଁ ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବି ବୋଲି। ମାତ୍ର, ମୁଁ ତାଙ୍କ ଠାରୁ ଏହା ଶିଖିଛି ଯେ ଲୋକମାନଙ୍କ ନିକଟତର କିପରି ହେବାକୁ ହୁଏ, ସେମାନଙ୍କ ସମସ୍ୟା ସବୁକୁ କିପରି ସାମନା କରିବାକୁ ପଡ଼େ ଏବଂ ସେଗୁଡ଼ିକର ସମାଧାନ କିପରି କରାଯାଏ।
ଲୋକଙ୍କ ମନରେ ଆପଣ କିପରି ଭାବେ ସ୍ଥାନ ପାଇବାକୁ ଚାହାନ୍ତି?
– ଏହା ମୁଁ ଲୋକମାନଙ୍କ ବିଚାର ଉପରେ ଛାଡୁଛି।