ରତ୍ନଭଣ୍ଡାର ଉତ୍କଣ୍ଠା

ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥାବଳି

ମାତ୍ର କିଛି ଘଣ୍ଟା ପରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର। ଆଜି (ଏପ୍ରିଲ୍‌ ୪) ଅପରାହ୍ନ ପ୍ରାୟ ୨ଟା ବେଳେ ୧୭ଜଣିଆ ପ୍ରତିନିଧି ଦଳ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୀରା, ନୀଳା, ମୋତି, ମାଣିକ୍ୟ ତଥା ସୁନାରୁପା ଅଳଙ୍କାରରେ ପରିପୂର୍ଣ୍ଣ ଶ୍ରୀଜିଉଙ୍କ ଏହି ରତ୍ନଭଣ୍ଡାରରେ ପ୍ରବେଶ କରି ଭଣ୍ଡାରଘରର ସ୍ଥିତି ଯାଂଚ କରିବେ। ଯାଂଚ ପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବେ। ଏହି ରିପୋର୍ଟ ବଳରେ ଭଣ୍ଡାରଘର ମରାମତି କରାଯିବ କି ନାହିଁ ତାହା ସ୍ପଷ୍ଟ ହେବ। ତେବେ ରହସ୍ୟମୟ ରତ୍ନଭଣ୍ଡାର ଖୋଲିବାକୁ ନେଇ ବିଭିନ୍ନ ମହଲରେ ଲାଗି ରହିଛି ଆଶା ଓ ଆଶଙ୍କା। ମହାପ୍ରଭୁଙ୍କ ଭଣ୍ଡାରଘର ଦେଖିବାର ଅପୂର୍ବ ସୁଯୋଗ ପାଇ ଯାଂଚକାରୀ ଦଳ ଉତ୍‌ଫୁଲ୍ଲିତ। ପୁଣି ଅଘଟଣ ଆଶଙ୍କାରେ ବି ମନ ହେଉଛି ଆନ୍ଦୋଳିତ। ଏହି ଅବସରରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ପ୍ରତିବେଦନ…

୧ ରତ୍ନଭଣ୍ଡାର ଖୋଲିବା ପାଇଁ ଜଗମୋହନ ମରାମତି କାମ ବନ୍ଦ ରହିବ, ମଧ୍ୟାହ୍ନଧୂପ ପରେ ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବ। ଏହା ପରେ ଅନ୍ୟାନ୍ୟ ନୀତି ସ୍ଥଗିତ ରଖାଯିବ।
୨ ଶ୍ରୀମନ୍ଦିର ବାହାର ୪ଦ୍ଵାର ଓ ଭିତର ଗୁମୁଟ ଓ ପ୍ରତିହାରୀ ନିଯୋଗ ନିକଟ ଆନନ୍ଦ ବଜାର ଗେଟ ନିକଟରେ ପୁଲିସ ମୁତୟନ କରାଯିବ।
୩ ରତ୍ନଭଣ୍ଡାର ଖୋଲିବା ପାଇଁ ଅଧିକାରୀ, ବିଶେଷଜ୍ଞ ଓ ଅନ୍ୟ ସହଯୋଗୀମାନେ ଶ୍ରୀମନ୍ଦିର ଉପବନରେ ଥିବା ବିଶ୍ରାମ ଗୃହରେ ଉପସ୍ଥିତ ହେବେ, ସେଠାରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପି ସେମାନଙ୍କୁ ଭଣ୍ଡାର ଖୋଲିବା ପ୍ରକ୍ରିୟା ଉପରେ ଅବଗତ କରାଇବେ।
୪ ରତ୍ନଭଣ୍ଡାର ଖୋଲାଯିବାର ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତି ବନ୍ଦ ରହିବ।
୫ ଜଗମୋହନ ଗର୍ଭଗୃହ ଭିତର ସଂପୃକ୍ତ ପାଳିଆଙ୍କ ଦ୍ଵାରା ଶୋଧ କରାଯିବ।
୬ ଜୟବିଜୟ ଦ୍ଵାର ଓ କଳାହାଟ ଦ୍ଵାରରେ ଜେଟିପି ଓ ଜଣେ ଲେଖାଏଁ ଦ୍ଵାରଘର ପ୍ରତିହାରୀ ଉପସ୍ଥିତ ରହି ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛାଡିବେ ନାହିଁ।
୭ ଛତିଶା ନିଯୋଗ ସଭାପତି, ସଂପାଦକ ମୁକ୍ତି ମଣ୍ଡପ ତଳେ ରହି ଭଣ୍ଡାର ଖୋଲିବା ଦେଖିପାରିବେ।
୮ ଓସଡମା, ଅଗ୍ନିଶମ ଅଧିକାରୀ ସଂରଜାମ ସହ ଉପସ୍ଥିତ ରହିିବେ।
୯ ସ୍ନେକ୍‌ ହେଲପ୍‌ ଲାଇନ୍‌ର ଦୁଇଜଣ ସଦସ୍ୟ ଉପସ୍ଥିତ ରହିବେ।
୧୦ ପୁଲିସ ଓ ମାଜିଷ୍ଟ୍ରେଟ ଶ୍ରୀମନ୍ଦିର ଭିତରେ ଓ ବାହାରେ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବେ।
୧୧ ଜଗମୋହନ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ସ୍ୱତ୍ଵଲିପି ମୁତାବକ ଯାଞ୍ଚ କରାଯିବ।
୧୨ କେବଳ ଚଷମା ବ୍ୟତୀତ କୌଣସି ଜିନିଷ ଭିତରକୁ ଯାଇପାରିବ ନାହିଁ। ପିନ୍ଧିଥିବା ଚେନ୍‌ ଓ ମୁଦି ଇତ୍ୟାଦି ସଂଗରେ ନେଇ ଭିତରକୁ ଯାଇପାରିବେ ନାହିଁ।
୧୩ ଅଳିଆ ଆବର୍ଜନା ସଫା ହେବା ପରେ ନିଯୁକ୍ତ ଅଧିକାରୀ ପ୍ରବେଶ କରିବେ। ଏମାନଙ୍କୁ ମୁକ୍ତିମଣ୍ଡପ ଠାରେ ତଥା ବେହରଣ ଦ୍ଵାର ଠାରେ ପୁଲିସ ଯାଞ୍ଚ୍‌ କରି ଭିତରକୁ ଛାଡିବେ। ଫେରିବା ବେଳେ ମଧ୍ୟ ଏହି ପଦ୍ଧତିରେ ସେମାନଙ୍କୁ ଯାଞ୍ଚ୍‌ କରାଯିବ।
୧୪ ଜିଲ୍ଲାପାଳ ଟ୍ରେଜେରିରୁ ଚାବି ଆଣି ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରିବେ।
୧୫ ଏହି ପଦାଧିକାରୀମାନେ ଭଣ୍ଡାର ଭିତରକୁ ପ୍ରବେଶ କରିବା ପରେ ବିଶେଷଜ୍ଞମାନେ ସର୍ଚ୍ଚ ଲାଇଟ୍‌ ଆଲୋକରେ ଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବେ, ପରେ ଜଗମୋହନ ଦେଇ ବେହରଣ ଦ୍ଵାରରେ ବାହାରକୁ ବାହାରିବେ। ବାହାରିବା ପରେ ସେମାନଙ୍କୁ ପୁଲିସ ଦ୍ଵାରା ପୁନଃ ଯାଞ୍ଚ୍‌ କରାଯିବ।
୧୬ ଯାଞ୍ଚ ପ୍ରକ୍ରିୟାର ସଂପୂର୍ଣ୍ଣ ଭିଡିଓଗ୍ରାଫି କରାଯିବ, ସମସ୍ତଙ୍କ ସ୍ୱାକ୍ଷର ସମ୍ବଳିତ ଏହି ବିବରଣୀ ସହିତ ଭିଡିଓ ଗ୍ରାଫ୍‌ କ୍ୟାସେଟ୍‌କୁ ସିଲ୍‌ କରାଯିବ।
୧୭ ତନଖି ଶେଷ ହେବା ପରେ ସମସ୍ତେ ବାହାରକୁ ଆସିବେ ଓ ଭିତର ଭଣ୍ଡାର ଚାବି ପକାଇ ପୁରୀ ଟ୍ରେଜେରିରେ ଜମା କରାଯିବ।
୧୮ ଜଗମୋହନ ଅଣସର ପିଣ୍ଡି ପାଣି ପକାଇ ସଫା କରାଯିବ। ପରେ ଶ୍ରୀ ଜିଉଙ୍କ ପରବର୍ତ୍ତୀ ନୀତି ଆରମ୍ଭ କରାଯିବ।
୧୯ ଭିତର ଭଣ୍ଡାରର ତନଖି ପରେ ସମସ୍ତ ପ୍ରାଧିକୃତ ସଦସ୍ୟମାନେ ବାହାରକୁ ଆସିବେ। ସମସ୍ତଙ୍କ ସମ୍ମୁଖରେ ଭିତର ଭଣ୍ଡାରର ତାଲା ପକାଇ ସିଲ୍‌ କରାଯିବ। ଚାବିକୁ ପ୍ରଶାସକ(ନୀତି) ଜିଲ୍ଲା ଟ୍ରେଜରିରେ ରଖିବାକୁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯିବ।

ସୁରକ୍ଷା ବ୍ୟବସ୍ଥା

ରତ୍ନଭଣ୍ଡାର ଖୋଲିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରତ୍ନ ଭଣ୍ଡାର ଖୋଲିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିରରେ ତିନିଥାକିଆ ଯାଞ୍ଚ ବ୍ୟବସ୍ଥା ରହିବ। ବେହରଣ ଦ୍ଵାର ପାଖରେ ମନ୍ଦିର ପ୍ରଶାସନ ଗାମୁଛା ପ୍ରଦାନ କରିବେ। ୪ ଦ୍ଵାରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଶ୍ରୀମନ୍ଦିର ବାହାରେ ଓ ଭିତରେ ୪ ପ୍ଲାଟୁନ ପୁଲିସ ମୁତୟନ କରାଯିବ। ଦୁଇ ପ୍ଲାଟୁନ୍‌ ପୁଲିସ ବାହାରେ ମୁତୟନ କରାଯାଇଥିବା ବେଳେ ଭିତରେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ଭଣ୍ଡାର ଖୋଲିବାକୁ ମନୋନୀତ ପ୍ରତିନିଧିମାନଙ୍କୁ ତିନି ଥର ଯାଞ୍ଚ୍‌ କରାଯିବ। ପ୍ରଥମେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ୍‌ କରାଯିବ। ପରେ ବେହରଣ ଦ୍ଵାରା ପାଖରେ ପ୍ରତିନିଧିଙ୍କୁ ଗାମୁଛା ଦିଆଯିବ। ଗାମୁଛା ପିନ୍ଧିବା ପରେ ପୁୁଣିଥରେ ଯାଞ୍ଚ କରାଯିବ। ଯାଞ୍ଚ ପରେ ଜଗମୋହନ ଭିତରେ ପ୍ରବେଶ କରିିବେ। ବେହରଣ ଦ୍ଵାରରେ ଡାକ୍ତରୀ ଦଳ ରହିବେ। ଅଘଟଣ ପାଇଁ ଷ୍ଟ୍ରେଚର ଓ ଫାଷ୍ଟ୍‌ ଏଡ୍‌ ବ୍ୟବସ୍ଥା ରହିବ। ମନ୍ଦିର ବାହାରେ ଆମ୍ବୁଲାନସ୍‌ ପ୍ରସ୍ତୁତ ହୋଇରହିବ। ଶ୍ରୀମନ୍ଦିର ବ୍ୟବସ୍ଥାବଳିରେ ସ୍ନେକ୍‌ ହେଲପ୍‌ ଲାଇନର ଦୁଇଜଣ ସଦସ୍ୟ ରହିବେ ବୋଲି ଜଣାପଡ଼ିଛି। ଏଥିସହ ରତ୍ନ ଭଣ୍ଡାର ଯାଞ୍ଚ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ।

ଏମାନେ ଯିବେ ଭଣ୍ଡାରକୁ

୧. ତପନ କୁମାର ଭଟ୍ଟାଚାର୍ଯ୍ୟ (ପ୍ରତ୍ନତତ୍ତ୍ୱବିତ୍‌)
୨. ଚିତ୍ତରଂଜନ ଦାସ (ପ୍ରତ୍ନତତ୍ତ୍ୱବିତ୍‌)
୩. ଏଚ୍‌. ଏ. ନାୟକ (ପ୍ରତ୍ନତତ୍ତ୍ୱବିତ୍‌)
୪. ଜି.ସି. ମିତ୍ର( କୋର କମିଟି ସଦସ୍ୟ)
୫. ଏନ୍‌.ସି ପାଲ(କୋର କମିଟି ସଦସ୍ୟ)
୬. ଅମିୟ ମହାନ୍ତି (ଗଜପତିଙ୍କ ପ୍ରତିନିଧି)
୭. ଭଣ୍ଡାର ମେକାପ: ଗଣେଶ ମେକାପ
୮. ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର (ଛତିଶା ନିଯୋଗ ମହାନାୟକ)
୯. ପ୍ରଦୀପ କୁମାର ଜେନା(ମୁଖ୍ୟ ପ୍ରଶାସକ)
୧୦. ଏନ୍‌.କେ ମହାନ୍ତି (ହାଇକୋର୍ଟଙ୍କ ପ୍ରତିନିଧି ଆମିକସ୍‌କ୍ୟୁରି)
୧୧. ଅରବିନ୍ଦ ଅଗ୍ରୱାଲ (ଜିଲ୍ଲାପାଳ, ଉପମୁଖ୍ୟ ପ୍ରଶାସକ)
୧୨. ଡାକ୍ତର ସାର୍ଥକ ଷଡଙ୍ଗୀ(ଏସ୍‌ପି)
୧୩. ରାମଚନ୍ଦ୍ର ଦାସମହାପାତ୍ର (ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ)
୧୪. ଅନନ୍ତ ତିଆଡ଼ି (ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ)
୧୫. ପ୍ରଦୀପ ଦାଶ ( ନୀତି ପ୍ରଶାସକ)
୧୬. ଦେଉଳକରଣ (ଚନ୍ଦ୍ରଶେଖର ମଙ୍ଗରାଜ)
୧୭. ହିମାଂଶୁ ପଟ୍ଟନାୟକ (ତଡ଼ଉକରଣ)

ଯାଞ୍ଚକାରୀ ଦଳ ପିନ୍ଧିବେ ଖୋର୍ଦ୍ଧା ଓ କଲିକତି ଗାମୁଛା
ରତ୍ନଭଣ୍ଡାର ଯାଞ୍ଚ ପାଇଁ ନିଯୁକ୍ତ ପ୍ରତିନିଧି ଦଳଙ୍କୁ ବେହରଣ ଦ୍ଵାର ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗାମୁଛା ପ୍ରଦାନ କରାଯିବ। ପ୍ରତିନିଧିଙ୍କ ପାଇଁ ଆଜି ଖୋର୍ଦ୍ଧା ଓ କଲିକତି ଗାମୁଛା କିଣାଯାଇଛି। ଆସନ୍ତାକାଲି ଗାମୁଛା ପିନ୍ଧି ରତ୍ନ ଭଣ୍ଡାର ଭିତରକୁ ଯିବେ। ଅନ୍ୟ କୌଣସି ଜିନିଷ ନେଇପାରିବେ ନାହିଁ। କେବଳ ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥା କରାଯିବ। ବେହରଣ ଦ୍ଵାର ପାଖରେ ପୋଷାକ ବଦଳିବ।

ବାହାରେ ଆମ୍ବୁଲାନସ, ଭିତରେ ଷ୍ଟ୍ରେଚର

ରତ୍ନଭଣ୍ଡାରରେ କାଳେ କିଛି ଅଘଟଣ ଘଟିବ ତାକୁ ଦୃଷ୍ଟିରେ ରଖି ଜଗମୋହନ, ବେହରଣ ନିକଟରେ ଷ୍ଟ୍ରେଚର ପ୍ରସ୍ତୁତ ହୋଇ ରହିବ। ସାପ କାମୁଡ଼ା ପାଇଁ ଆଣ୍ଟି ଭେନମ୍‌ ରହିବ। ତୁରନ୍ତ ସେବା ପାଇଁ ବାହାରେ ଆମ୍ବୁଲାନସ୍‌ ରଖାଯିବ।

ପଡ଼ିବ ନୂଆ ତାଲା

ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାର ତାଲା ଚାବି କାଠିରେ ନ ଖୋଲିବାର ବିଶେଷ ସମ୍ଭାବନା ରହିଛି। ତେଣୁ ଏହି ତାଲା କାଟିବାକୁ କଟର୍‌ ଆସିବ ବୋଲି ଜଣାପଡ଼ିଛି। ରତ୍ନ ଭଣ୍ଡାର ପାଇଁ ନୂଆ ତାଲା କିଣାଯାଇଛି। ତାଲାର ଓଜନ ଦୁଇ କିଲୋରୁ ଅଧିକ ହେବ ବୋଲି ଜଣାପଡିଛି।

 

ଶ୍ରୀମନ୍ଦିରର ବାର୍ଷିକ ଆୟ (୨୦୧୭-୧୮)

ମୋଟ ଆୟ: ୧୮୫ କୋଟି
ଜମି ବାବଦକୁ ଆୟ: ୮ କୋଟି ୫୨ ଲକ୍ଷ
ଅନ୍ୟାନ୍ୟ ରାଜସ୍ୱରୁ ଆୟ: ୪୨ କୋଟି ୯୩ ଲକ୍ଷ
ମନ୍ଦିର ଆୟ: ୧୮ କୋଟି ୮ ଲକ୍ଷ
ଖଣିରୁ ଆନୁମାନିକ ଆୟ: ୫ କୋଟି
ରାଜଭାଗରୁ ଆୟ: ୭୫ ଲକ୍ଷ
ମାହାଲରୁ ଆୟ: ୫ କୋଟି ୫୦ ଲକ୍ଷ
ନୀଳାଚଳ ଭକ୍ତ ନିବାସ: ୯୫ ଲକ୍ଷ
ନୀଳାଚଳ ଯାତ୍ରୀ ନିବାସ: ୨୫ ଲକ୍ଷ
ଶ୍ରୀଗୁଣ୍ଡିଚା ଭକ୍ତ ନିବାସ: ୧ କୋଟି ୨୨ ଲକ୍ଷ
ନିଳାଦ୍ରୀ ଭକ୍ତ ନିବାସ: ୧ କୋଟି ୨୦ ଲକ୍ଷ
କର୍ପସ ଫଣ୍ଡ ଡୋନେସନ: ୧ କୋଟି
ଅବଶିଷ୍ଟ ରାଶି ଅନୁଦାନରୁ ପ୍ରାପ୍ତ

ସମ୍ବନ୍ଧିତ ଖବର