ଜେଲ୍‌ ଭିତରେ କେଳେଙ୍କାରୀ : ଫୁଲବାଣୀ, ନୀଳଗିରିରେ ତନାଘନା

ଫୁଲବାଣୀ/ଭୁବନେଶ୍ବର : ରାଜ୍ୟର ଜେଲ୍‌ ଭିତରେ ଯେଉଁଭଳି କେଳେଙ୍କାରୀ ଚାଲିଛି, ତାହାକୁ ନେଇ ଆଲୋଡ଼ନ ସୃଷ୍ଟି ‌େହାଇଛି। ଫୁଲବାଣୀରେ କଏଦୀ ଆକ୍ରମଣରେ କଏଦୀର ମୃ୍ତ୍ୟୁ ଘଟଣାରେ ଆଜି ତନାଘନା କରାଯାଇଛି। ଅପରପକ୍ଷେ, ନୀଳଗିରି ଜେଲ୍‌ରେ ସ୍ବାମୀଙ୍କ ରାଜୁତି ଘଟଣାର ତଦନ୍ତ କରିବେ ଜେଲ୍‌ ବିଭାଗ ଡିଆଇଜି।

ଫୁଲବାଣୀ ଜିଲ୍ଲା କାରଗାରରେ କଏଦୀ କାହ୍ନୁଚରଣ ପ୍ରଧାନଙ୍କ ଆକ୍ରମଣରେ ଅନ୍ୟ ଜଣେ କଏଦୀ ଲକ୍ଷ୍ମଣ ନାୟକ(୭୫)ଙ୍କର ମୃତ୍ୟୁ ‌େହାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ତୁମୁଡିବନ୍ଧ-ମୁନିଗୁଡ଼ା ରାସ୍ତା ଖଣ୍ତିଆଗୁଡା ଛକରେ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ଅଞ୍ଚଳବାସୀ ଆଜି ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୀର୍ଘ ୮ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ଏଥିରେ ବିଭିନ୍ନ ସ˚ଗଠନ ଓ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇ ସାମିଲ ହୋଇଥିଲେ। ଏପଟେ ଜେଲ୍ ଭିତରେ ସୁରକ୍ଷା ଢିଲା, ଜେଲ୍ ଅନୁଶାସନ ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘଟଣାର ତଦନ୍ତ ଦିଗରେ ଜେଲ୍ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ଜେଲ୍ ଡିଆଇଜି ରଘୁନାଥ ମାଝି ପହଞ୍ଚି ଜେଲ୍ ଅଧିକ୍ଷକ, କର୍ମଚାରୀ ଓ କିଛି କଏଦୀଙ୍କୁ ଘଟଣା ସଂପର୍କରେ ମାରାଥନ୍ ଜେରା କରିଛନ୍ତି।

ଅନ୍ୟପକ୍ଷରେ, ବାଲେଶ୍ବର ଜିଲ୍ଲା ନୀଳଗିରି ସବଜେଲ୍‌‌େର ଜେଲର୍‌ଙ୍କ ସାମୀଙ୍କ ରାଜୁତି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଜେଲ ଡିଆଇଜି ଏହି ଘଟଣାର ତଦନ୍ତ କରିବାକୁ ପୁଲିସ ମୁଖ୍ୟାଳୟରୁ ଚିଠି ହୋଇଛି। କେଉଁ ପରିସ୍ଥିତି‌ରେ ଜେଲର୍‌ ମମତା ବାଳା ପ୍ରଧାନଙ୍କ ସ୍ବାମୀ ମାଧବାନନ୍ଦ ଜ୍ୟୋତିଷ ଜେଲ୍‌ର ସବୁ କାମ ବୁଝାବୁଝି କରୁଥଲେ ତାର ତଦନ୍ତ ହେବ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଏଠାରେ ପ୍ରକାଶଥାଉକି, ଉକ୍ତ ଜେଲ୍‌ରେ ଏବେ ୪ ଜଣ କଏଦୀ ଓ ୫୫ ଜଣ ବିଚାରଧୀନ କଏଦୀ ବନ୍ଦୀ ଅଛନ୍ତି। ବର୍ତମାନର ଜେଲର୍‌ ଶ୍ରୀମତୀ ପ୍ରଧାନ ସେଠାରେ ଦୁଇ ବର୍ଷ ହେବ କାମ କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ତାଙ୍କ ସ୍ବାମୀ ମାଧବାନନ୍ଦ ସମସ୍ତ ସରକାରୀ କାର୍ଯ୍ୟ, କର୍ମଚାରୀଙ୍କ ଛୁଟି ଦେବା ସହିତ ନି‌ର୍ଦେଶ ଦେବା ଓ ବନ୍ଦୀମାନଙ୍କ କଥା ବୁଝାସୁଝା କରୁଥିବା ଅଭିଯୋଗ ହୋଇଛି। ଏପରିକି କେତେକ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ନେଇ ସମ୍ବାଦରେ ଆଜି ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର