ଖୁବ୍‌ ଶୀଘ୍ର ଆଇପିଏସ ସ୍ତରର ହେବାକୁ ଯାଉଛି ଅଦଳବଦଳ : ବଦଳିବେ ଟ୍ୱିନ୍ ସିଟି ପୁଲିସ କମିଶନର ସତ୍ୟଜିତ ମହାନ୍ତି, ମିଳିପାରେ ପ୍ରମୋଶନ !

ଭୁବନେଶ୍ୱର : ବଦଳିବେ ଟ୍ୱିନ୍ ସିଟି ପୁଲିସ କମିଶନର। ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ ହେବାକୁ ଥିବା ବେଳେ କଟକ-ଭୁବନେଶ୍ୱର ପୁଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରମୋଶନ ପାଇପାରନ୍ତି। ୧୯୮୮ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀ ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପ୍ରମୋଶନ ପାଇପାରନ୍ତି।

ମିଳିଥିବା ସୂଚନା ମୁତାବକ, ଡିଜି ପଦରୁ କେ.ବି ସିଂହ ଅବସର ନେବା ପରେ ଗୋଟିଏ ଡିଜି ପଦ ଖାଲି ପଡିଛି। ଶୁଣିବାକୁ ମିଳୁଛି ଆଗାମୀ ଦିନରେ ହେବାକୁ ଥିବା ଆଇପିଏସ ସ୍ତରର ଅଦଳବଦଳ ବେଳେ ଏଡିଜି ର‌୍ୟାଙ୍କରେ ଥିବା ସତ୍ୟଜିତ ମହାନ୍ତି ଡିଜି ପାହ୍ୟାକୁ ପ୍ରମୋଶନ ପାଇ ଯାଇପାରନ୍ତି।

ଯଦି ଏଭଳି ହୁଏ ତେବେ ଟ୍ୱିନ୍ ସିଟି ପୁଲିସ କମିଶନର ପଦ ଖାଲି ପଡିବ। କାରଣ ନିୟମ କହୁଛି, ଏହି ପଦରେ ଏଡିଜି ର‌୍ୟାଙ୍କର ଜଣେ ଅଧିକାରୀ ରହିପାରିବେ। ଏବେ ଏଡିଜି ର‌୍ୟାଙ୍କରେ ଥିବା କୌଣସି ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ ନା କୌଣସି ଆଇପିଏସ ଅଧିକାରୀଙ୍କୁ ପ୍ରମୋଶନ ଦେଇ ଏହି ପଦରେ ବସାଯିବ ତାହା ଉପରେ ନଜର ରହିଛି।

ଟ୍ୱିନ୍ ସିଟିରେ କମିଶନର ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। କାରଣ ଉଭୟ କଟକ ଓ ଭୁବନେଶ୍ୱରରେ ବିଭିନ୍ନ ଆନ୍ଦୋଳନ ସହ ସମ୍ବେଦନଶୀଳ ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ। ଏପରିକି ଟ୍ୱିନ୍ ସିଟିରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପୁଲିସ କମିଶନରଙ୍କ ପାଇଁ ବଡ ଚ୍ୟାଲେଞ୍ଜ। ତେଣୁ ଅଭିଜ୍ଞତା ଓ ଦକ୍ଷ କାର୍ଯଶୈଳୀ ତଥା ସର୍ବୋପରି ଆନୁଗତ୍ୟ ବଡ ମାପଦଣ୍ଡ ଭାବେ ଉଭା ହେବ। କେବଳ ପୁଲିସ କମିଶନର ନୁହେଁ ବରଂ ଆଇପିଏସ ସ୍ତରରେ ମଧ୍ୟ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି। ଯଦି ସତ୍ୟଜିତ ମହାନ୍ତିଙ୍କୁ ଡିଜି ପାହ୍ୟାକୁ ପ୍ରମୋଶନ ଦିଆଯାଏ ତେବେ କେଉଁ ଡିଜି ଭାବେ ଦାୟିତ୍ୱ ମିଳିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। ଏହାଛଡା ବିଭିନ୍ନ ଜିଲ୍ଲାର ଏସପି ମଧ୍ୟ ଅଦଳବଦଳ ହୋଇପାରନ୍ତି। କେବଳ ଆଇପିଏସ ନୁହେଁ ବରଂ ଆଇଏଏସ ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହୋଇପାରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର