ରାଜ୍ୟସଭା ଉପାଧ୍ୟକ୍ଷ ଦୌଡରେ ପ୍ରସନ୍ନ ଆଚାର୍ଯ୍ୟ ? କାହିଁକି ରାଜ୍ୟସଭାରେ ରହିଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ଭୂମିକା, ଜାଣନ୍ତୁ

ଭୁବନେଶ୍ୱର : ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଧରିଛି । ବର୍ତ୍ତମାନ ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ.କୁରିଅନଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି । ଏଣୁ ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ରାଜ୍ୟ ସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଦୌଡ଼ରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ରାୟଙ୍କ ନାଁ ରହିଥିବା କେତେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ କଂଗ୍ରେସ ବିରୋଧୀ ଦଳଙ୍କ ମଧ୍ୟରେ ଏକତା ଆଣିବାକୁ ଚାହୁଁଛି । ଏଥିପାଇଁ କଂଗ୍ରେସ ରାଜ୍ୟସଭାରେ ବିଜେଡିର ପ୍ରାର୍ଥିତ୍ୱକୁ ସମର୍ଥନ କରିବା ଲାଗି ପ୍ରସ୍ତୁତ ଅଛି ବୋଲି କୁହାଯାଉଛି । ଏ ନେଇ କଂଗ୍ରେସ ପକ୍ଷରୁ ବିଜେଡି ସହିତ ଯୋଗାଯୋଗ ମଧ୍ୟ କରାଯାଇଛି ବୋଲି  ଚର୍ଚ୍ଚା ଚାଲିଛି । ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ଅଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ସହ ସମଦୂରତ୍ୱ ରକ୍ଷା କରୁଥିବା ବିଜେଡି ଯଦି ବିରୋଧୀ ଦଳ ଶିବିରକୁ ଯାଏ ତେବେ ସେମାନଙ୍କ ମୋଟ ସଦସ୍ୟ ସଂଖ୍ୟା ୧୨୨ ଟପିଯିବ, ଫଳରେ ଉପାଧ୍ୟକ୍ଷ ନିର୍ବାଚନରେ ଜିତିବା ସହଜ ହେବ । ଅନ୍ୟପକ୍ଷରେ ରାଜ୍ୟସଭାରେ ଏନଡିଏର ୧୦୫ ସଦସ୍ୟ ଅଛନ୍ତି, ଆଉ ୬ ଜଣ ସ୍ୱାଧୀନ ସଦସ୍ୟ ଏମାନଙ୍କୁ ସମର୍ଥନ କରୁଛନ୍ତି । ବିଜେପି ଯଦି ବିଜେଡି, ଟିଆରଏସ ଓ ଓ୍ଵାଏସଆର କଂଗ୍ରେସ ସଦସ୍ୟଙ୍କ ସମର୍ଥନ ଲାଭ କରେ ତେବେ ବିଜେପି ପ୍ରାର୍ଥୀ ଜିତିବା ସହଜ ହେବ ।

ତେବେ ଏ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିଛି । ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେଓ କହିଛନ୍ତି ଯେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସମୟ ଆସିଲେ ସେ ବିଷୟରେ ଦଳର ସଭାପତି ନିଷ୍ପତ୍ତି ନେବେ। ଏହା ଗଣମାଧ୍ୟମର ଏକ ଆକଳନ ମାତ୍ର।

ସମ୍ବନ୍ଧିତ ଖବର