ଇସ୍କନ୍ ଧର୍ମାବଲମ୍ବୀମାନଙ୍କ ପକ୍ଷରୁ ଅଦିନରେ ରଥଯାତ୍ରା ଆୟୋଜନକୁ ନେଇ ତେଜିଲା ବିରୋଧ

ସଂସ୍କୃତି ମନ୍ତ୍ରୀଙ୍କୁ ଅଭିଯୋଗ କଲା ସଚେତନ ନାଗରିକ ମଞ୍ଚ

ଅପଶଦ୍ଦ ପ୍ରୟୋଗ ଯୋଗୁ ଅଭିଜିତ ନାୟାର ଜେଲ ଯାଇଥିଲେ
ଇସ୍କନ୍‌ ମୁଖ୍ୟ ଅମିତ ଗର୍ଗଙ୍କ ପ୍ରତି କୋହଳ ମନୋଭାବ କାହିଁକି?

ପୁରୀ : ଇସ୍କନ୍ ଧର୍ମାବଲମ୍ବୀମାନଙ୍କ ପକ୍ଷରୁ ଅଦିନରେ ରଥଯାତ୍ରା ଆୟୋଜନକୁ ନେଇ ବିବାଦ ତେଜିଛି। ଏହା କେବଳ ପୁରୀ ଜିଲ୍ଲା ଭିତରେ ସୀମିତ ରହିନି, ରାଜ୍ୟ ତଥା ରାଜ୍ୟ ବାହାରେ ବି ଏହା ବିରୋଧରେ ସ୍ବର ଉଠିଛି। ଆଜି ବିଭିନ୍ନ ଜିଲ୍ଲାରେ ଏହ‌ାକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ଏଭଳି ଖେଳକୁ ସାଂଘାତିକ ବୋଲି ଦର୍ଶାଇଛନ୍ତି ବିଭିନ୍ନ ସଂଗଠନ। ଯେଉଁଠି ଶ୍ରୀମନ୍ଦିର, କୋଣାର୍କ ମନ୍ଦିର ପ୍ରତି ଅଶାଳୀନ ମନ୍ତବ୍ୟ ପାଇଁ ଅଭିଜିତ୍ ନାୟାରଙ୍କୁ ଗିରଫ କରାଗଲା, ସେଠି ଇସ୍କନ୍‌ ମୁଖ୍ୟ ଅମିତ ଗର୍ଗଙ୍କ ପାଇଁ ସରକାର କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି। ଗତକାଲି ଇସ୍କନ୍ ମୁଖ୍ୟ ଅମିତ ଗର୍ଗଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଦୁଇ ସଂଗଠନ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ଆଜି ପୁରୀ ସଚେତନ ନାଗରିକ ମଞ୍ଚ ଏହା ବିରୋଧରେ ସଂସ୍କୃତି ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଆସନ୍ତା ନଭେମ୍ବର ୧୭ ତାରିଖରେ ପଞ୍ଜାବର ଲୁଧିଆନା ସହରରେ ଇସ୍କନ୍‌ ରଥଯାତ୍ରା ଆୟୋଜନ କରୁଛି। ଏହାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗତକାଲି ସିଂହଦ୍ବାର ଥାନାରେ ଇସ୍କନ୍ ମୁଖ୍ୟ ଅମିତ୍ ଗର୍ଗଙ୍କ ବିରୋଧରେ ଦୁଇଟି ଭିନ୍ନ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗରେ ଦର୍ଶାଯାଇଥିଲା କି, ପ୍ରତି ବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। କିନ୍ତୁ ଇସ୍କନ୍ ଅନୁଗାମୀମାନେ ତିଥି ନଥାଇ ଅଦିନରେ ରଥଯାତ୍ରା ଆୟୋଜନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି। ଭକ୍ତମାନଙ୍କ ଭାବାବେଗ ପ୍ରତି ଏହା କୁଠାରଘାତ ସଦୃଶ। ଏଭଳି ଧର୍ମ ବିରୋଧୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ ଧାରା ୨୯୫, ୨୯୫ (କ), ୨୯୬, ୨୯୭, ୨୯୮, ୧୫୩, ୧୫୩ (କ), ୧୭୦ (ଖ)ରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦୁଇ ଅନୁଷ୍ଠାନ ଦାବି କରିଛନ୍ତି। ଏ ସଂପର୍କରେ ଶ୍ରୀଜଗନ୍ନାଥ ସେନା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଭାରତର ମୁଖ୍ୟ ବିଚାରପତି, ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟ, ଜିଲ୍ଲାପାଳ, ଏସ୍‌ପିଙ୍କୁ ଲିଖିତ ଭାବେ ମଧ୍ୟ ଜଣାଇଛି। ଆଜି ସଚେତନ ନାଗରିକ ମଞ୍ଚ ସଂସ୍କୃତି ମନ୍ତ୍ରୀଙ୍କୁ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମଞ୍ଚର ସଭାପତି ପ୍ରସନ୍ନ କୁମାର ଦାଶ କହିଛନ୍ତି, ଅମିତ୍ ଗର୍ଗ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଯେଉଁ ଅପଶଦ୍ଦ ପ୍ରୟୋଗ କରିଛନ୍ତି, ତାହା ନିନ୍ଦନୀୟ। ଯେଉଁଠି କୋଣାର୍କ ମନ୍ଦିର ଓ ଶ୍ରୀମନ୍ଦିର ପ୍ରତି ଅପଶଦ୍ଦ ବ୍ୟବହାର କରି ଅଭିଜିତ ନାୟାର ଗିରଫ ହୋଇଥିଲେ, ସେଠି ଅମିତ ଗର୍ଗଙ୍କୁ କାହିଁକି ଗିରଫ କରାଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଧର୍ମ ତଥା ସଂସ୍କୃତି ବିରୋଧରେ କହି ୧୮୫୫, ୧୯୧୯, ୧୯୩୯ ଓ ୧୯୯୦ ମସିହାରେ ଅନେକଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। କୌଣସି ଧର୍ମ ବିରୋଧରେ ଅପଶଦ୍ଦ ପ୍ରୟୋଗକୁ ସମ୍ବିଧାନ ଅନୁମତି ଦେଇନାହିଁ। ଅମିତ୍ ଗର୍ଗ ଯେଉଁ ଅପଶଦ୍ଦ ପ୍ରୟୋଗ କରିଛନ୍ତି, ତାହା ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ପ୍ରତି ଅରୁଚିକର ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର