ସିବିଆଇର ଚୂଡ଼ାନ୍ତ ରିପୋର୍ଟ ଉପରେ ନିମ୍ନ ଅଦାଲତ ନେବେ ନିଷ୍ପତ୍ତି

ହାଇକୋର୍ଟରେ ଇତିଶ୍ରୀ ହତ୍ୟା ମାମଲା

କଟକ : ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ସବିଆଇ ଦାଖଲ କରିଥିବା ଚୂଡାନ୍ତ ରିପୋର୍ଟକୁ ବିଚାରକୁ ନେବାକୁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇର ରିପୋର୍ଟକୁ ବିଚାରକୁ ନେଇ ଏହି ମାମଲାରେ ନିମ୍ନ ଅଦାଲତ ଉପଯୁକ୍ତ ଆଦେଶ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ପୂର୍ବତନ ସ୍କୁଲ ଇନ୍ସପେକ୍ଟର ନେତ୍ରାନନ୍ଦ ଦଣ୍ଡସେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ୨୦୧୭, ନଭେମ୍ବର ୨୪ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ସଂପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସିବିଆଇ ୨୦୧୭, ମେ’ ୨ରେ ଦାଖଲ କରିଥିବା ଷ୍ଟାଟସ୍‌ ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ ତଦନ୍ତ ସମୟରେ ସବୁ ପ୍ରକାର ଚେଷ୍ଟା ସତ୍ୱେ ଚିହ୍ନଟ ହୋଇନଥିବା ଆକ୍ରମଣକାରୀଙ୍କ ପରଚୟ ମିଳି ପାରୁ ନାହିଁ। ଏପରି ସ୍ଥିତିରେ ସିବିଆଇ ନିମ୍ନ ଅଦାଲତରେ ଚୂଡାନ୍ତ ରିପୋର୍ଟ (ଫାଇନାଲ ଫର୍ମ) ଦାଖଲ କରି ସାରିଛି। ଏପରି ପରିସ୍ଥିତିରେ ସିବିଆଇ ରିପୋର୍ଟ ଉପରେ ମାମଲା ବିଚାରାଧୀନ ଥିବା ନିମ୍ନ ଅଦାଲତ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିମ୍ନ ଅଦାଲତ ଏହି ପ୍ରସଂଗରେ କୌଣସି ରାୟ ପ୍ରଦାନ କରି ନାହାନ୍ତି ବୋଲି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏପରି ପରିସ୍ଥିତିରେ ନିମ୍ନ ଅଦାଲତ ଏହି ମାମଲାରେ ସାନି ନିର୍ଦ୍ଦେଶନାମା ଜାରି କରିବା ପରେ ଏ ସଂପର୍କିତ ରେକର୍ଡ ହାଇକୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଶ୍ରୀ ଦଣ୍ଡସେନାଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର