‘ଯାଦୁକରରୁ ସନ୍ନ୍ୟାସୀ’ ଲୋକାର୍ପିତ

ଚନ୍ଦ୍ରଶେଖରପୁର : କଟକର ଜନଗହଳିପୂର୍ଣ୍ଣ ନିମ୍‌ଚଉଡ଼ି ଛକ। ସୋରିଷ ପଡ଼ିବାକୁ ସ୍ଥାନ ନାହିଁ। ସଂକୀର୍ଣ୍ଣ ଗଳି ଥିବା ହଜାର ବର୍ଷର ଏହି ସହରରେ ଆଖିରେ କଳାପଟି ବାନ୍ଧି ୪୩ବର୍ଷ ତଳେ ଜଣେ ଯୁବକ ସ୍କୁଟର୍‌ ଚଲାଇଥିଲେ। ବିନା କୌଣସି ଅଘଟଣରେ ପୁଣି ଥରେ ନିଧାର୍ଯ୍ୟ ସ୍ଥାନକୁ ଫେରିଆସିଥିଲେ। ଅନ୍ଧ ଭାବରେ କଟକ ସହର ମଧ୍ୟରେ ସ୍କୁଟର ଚଳାଇ ସମସ୍ତଙ୍କୁ ଚମତ୍କୃତ କରିଥିବା ସେହି ଯୁବକ ଥିଲେ ପ୍ରସିଦ୍ଧ ଯାଦୁକର ପି. ଭାସ୍କର। ଓଡ଼ିଶାରେ ଯାଦୁକରୀ କଳାର ଅୟଂଆରମ୍ଭ କରିଥିଲେ ସେ। ସେ ଜଣେ ବିଖ୍ୟାତ ଯାଦୁକର ପୁଣି ସନ୍ନ୍ୟାସୀ। ବାଲ୍ୟକାଳରେ ଚଗଲାମି କରୁଥିବା ସେହି ଦୁଷ୍ଟ ବାଳକ ଆଜି ସ୍ୱାମୀ ଜ୍ଞାନାନନ୍ଦ ସରସ୍ୱତୀ ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି। ଆଉ ଯାଦୁକରରୁ ସନ୍ନ୍ୟାସୀ ଜୀବନର ଯାତ୍ରାକୁ ନେଇ ରଚିତ ହୋଇଥିବା ତାଙ୍କ ଆତ୍ମଜୀବନୀ ‘ଯାଦୁକରରୁ ସନ୍ନ୍ୟାସୀ’ ସମକାଳୀନ ସମାଜର ଇତିହାସକୁ ଜଣାଇବାରେ ବିଶେଷ ଭୂମିକା ଗ୍ରହଣ କରିବ। ଏହାସହିତ ଏହି ପୁସ୍ତକରୁ ଓଡ଼ିଶାର ପ୍ରଥମ ତଥା ପ୍ରସିଦ୍ଧ ଯାଦୁକର ପି. ଭାସ୍କର ଓ ପରେ ସ୍ୱାମୀ ଜ୍ଞାନାନନ୍ଦ ସରସ୍ୱତୀଙ୍କ ଜୀବନଯାତ୍ରା ସମ୍ବନ୍ଧରେ ସୂଚନା ମିଳିପାରିବ ବୋଲି ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମତ ଦେଇଛନ୍ତି।

ଆଜି ସ୍ଥାନୀୟ ରେଳ ଅଡିଟୋରିୟମ୍‌ରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ସାଂସଦ ଶ୍ରୀ ପଟ୍ଟନାୟକ ଏହି ପୁସ୍ତକକୁ ନେଇ ତାଙ୍କର ରହିଥିବା କୌତୂହଳ ସଂପର୍କରେ ବର୍ଣ୍ଣନା କରିଥିଲେ। ଯୁବ ଯାଦୁକରମାନେ ଏହି ପୁସ୍ତକରୁ ଅନେକ ଉପାଦେୟ ତଥ୍ୟ ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୁଲିସ୍‌ ପ୍ରଶାସକ ତଥା ସାହିତ୍ୟିକ ବଟକୃଷ୍ଣ ତ୍ରିପାଠୀ, ସାହିତ୍ୟିକ ବୈଷ୍ଣବ ମହାନ୍ତି ଏବଂ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ ଗଞ୍ଜାମ ଜିଲ୍ଲାର ଗୁମାରେ ଜନ୍ମଲାଭ କରିଥିବା ଭାସ୍କର ପଣ୍ଡା ପରେ ହୁଅନ୍ତି ଲୋକପ୍ରିୟ ଯାଦୁକର ପି. ଭାସ୍କର ଏବଂ ପରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଜ୍ଞାନାନନ୍ଦ ସରସ୍ୱତୀଙ୍କ ଦୀର୍ଘ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ଯାଦୁକୁ ରାଜ୍ୟ ସରକାର କଳାର ମାନ୍ୟତା ଦେବା ଆବଶ୍ୟକ। ଏହା କେଉଁ କଳାଠାରୁ ମଧ୍ୟ କମ୍‌ ନୁହେଁ। ଥରେ ଦେଖିଲେ ଆଖି ଲାଖିଯାଏ। ମାତ୍ର ଏହାକୁ ସରକାରୀ ପୃଷ୍ଠପୋଷକତା ନମିଳିବା କ୍ଷୋଭର ବିଷୟ ବୋଲି ପ୍ରକାଶ କରିଛନ୍ତି ପୁସ୍ତକର ରଚୟିତା ଯାଦୁକର ପି. ଭାସ୍କର। ସନ୍ନ୍ୟାସୀ ହୋଇଥିଲେ ମଧ୍ୟ ଯାଦୁକୁ କେବେ ମଧ୍ୟ ଜୀବନରୁ ଅଲଗା ହେବାକୁ ଦେଇ ନଥିବା ସେ ପ୍ରକାଶ କରିଥିଲେ।

ପୁସ୍ତକ ଉନ୍ମୋଚନ ମଧ୍ୟ ଯାଦୁକରୀ କଳାର ଅପୂର୍ବ ଚାତୁରୀରୁ ଆରମ୍ଭ ହୋଇଥିଲା। ସ୍ୱୟଂ ସ୍ୱାମୀ ଜ୍ଞାନାନନ୍ଦ ତଥା ଯାଦୁକର ପି. ଭାସ୍କର ନିଜେ ଅନେକ ଯାଦୁକଳା ପ୍ରଦର୍ଶନ କରିଥିଲେ। ପି. ଭାସ୍କରଙ୍କର ପୁତ୍ର ଜୁନିୟର୍‌ ପି. ଭାସ୍କର ମଧ୍ୟ ଏହି ଅବସରରେ ଅନେକ ଯାଦୁ ବିଦ୍ୟା ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର