ଏସ୍‌ସିବିରେ ଜଗାବଳିଆଙ୍କ ପାଇଁ ପ୍ରସ୍ତୁତି : ନ୍ୟୁରୋସର୍ଜରୀ ବିଭାଗରେ ଭର୍ତ୍ତିହେବେ, ଗଠନ ହେଲା ୬ ଜଣିଆ ଡାକ୍ତରୀ ଦଳ

କଟକ : ଖୁବ୍‌ଶୀଘ୍ର ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିବେ ଜଗା-ବଳିଆ। ଯଦିଓ ଦିଲ୍ଲୀ ଏମ୍‌ସରୁ କେବେ ଡିସଚାର୍ଜ ହେବେ ଓ କେବେ ଏସ୍‌ସିବିରେ ଭର୍ତ୍ତି ହେବେ, ସେ ନେଇ ସ୍ପଷ୍ଟଭାବେ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ନାହିଁ। ତଥାପି ଏସ୍‌ସିବିରେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜଗା-ବଳିଆ ଏସ୍‌ସିବି ପହଞ୍ଚିବା ମାତ୍ରେ ନ୍ୟୁରୋସର୍ଜରୀ ବିଭାଗରେ ଭର୍ତ୍ତି ହେବେ ଓ ତୁରନ୍ତ ସେମାନଙ୍କୁ ସର୍ଜରୀ ବିଭାଗରେ ଥିବା ସାଂସଦ/ବିଧାୟକଙ୍କ ପାଇଁ ଥିବା କ୍ୟାବିନ୍‌ରେ ରଖାଯିବ ବୋଲି ସୂଚନା ମିଳିଛି। ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି, ଶିଶୁରୋଗ ବିଭାଗ, ସର୍ଜରୀ ବିଭାଗ ପ୍ରଫେସରଙ୍କୁ ନେଇ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଥିବା ଏସ୍‌ସିବି ମେଡିକାଲ କଲେଜର ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

କନ୍ଧମାଳର ଫିରିଙ୍ଗିଆ ବ୍ଲକ୍‌ର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ ହେବା ପରେ ଦୀର୍ଘ ଦୁଇ ବର୍ଷ ହେଲା ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି। ଜଗା-ବଳିଆଙ୍କ ବାପା ମା’ ଆଉ ଦିଲ୍ଲୀରେ ରହିବା ପାଇଁ ରାଜି ନ ହେବା ଓ ସେମାନଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରିବା‌ ପାଇଁ କହିଥିଲେ। କିନ୍ତୁ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବା ଦର୍ଶାଇ ଭୁବନେଶ୍ବର ଏମ୍‌ସରେ ସେମାନଙ୍କୁ ରଖିବା ପାଇଁ ମନା କରିଥିଲେ। ଶେ‌ଷରେ ଜଗା-ବଳିଆଙ୍କୁ କଟକ ବଡ଼ ମେଡିକାଲରେ ରଖି ଚିକିତ୍ସା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଭୁବନେଶ୍ବରରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର