ଘରକୁ ବାହୁଡ଼ିବେ ଜଗା-ବଳିଆ, ଅପେକ୍ଷାରେ ପୂରା ରାଜ୍ୟ

୨୦୧୫ ମସିହା ଏପ୍ରିଲ୍‌ ମାସ ୯ ତାରିଖ ରାତି ତିନିଟା ସମୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ଯୋଡ଼ାମୁଣ୍ଡ ଥିବା ଯମଜ ସନ୍ତାନ। ମୁଣ୍ଡରେ ଯୋଡ଼ି ହୋଇଥିବା ଦୁଇଟି ପୁତ୍ର ସନ୍ତାନ ଜନ୍ମ କଲାପରଠୁ ସେମାନଙ୍କ ଚିକିତ୍ସା ପାଇଁ ଅନବରତ ଉଦ୍ୟମ କରିଥିଲେ ପୁଷ୍ପାଞ୍ଜଳି ଓ ତାଙ୍କ ସ୍ୱାମୀ ଭୂୟାଁ କହଁର। ଚିକିତ୍ସା ପାଇଁ ଫିରିଙ୍ଗିଆରୁ ଆସିଲେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ। ସେଠାରେ ଚଉଦ ଦିନ ରହିବା ପରେ ଡାକ୍ତର କହିଲେ କଟକ ନେବାକୁ। ବାପା ମାଆ ଶିଶୁଙ୍କୁ କଟକ ଶିଶୁଭବନର ନ୍ୟୁରୋସର୍ଜରି ବିଭାଗରେ ଭର୍ତ୍ତି କଲେ। ଡାକ୍ତର ସୁଧାଂଶୁ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ଚିକିତ୍ସା। ଫିରିଙ୍ଗିଆ ବ୍ଲକ୍‌ ଡିମିରିଗୁଡ଼ା ପଞ୍ଚାୟତ ମିଲୁପଡ଼ା ଗାଁର ଭୂୟାଁ କହଁର ହେଉଛନ୍ତି ଗରିବ ଶ୍ରେଣୀର ଲୋକ। ସ୍ୱଳ୍ପ କିଛି ଜମିରେ ହଳଦୀ ଚାଷ କରି ସଞ୍ଚୟ କରିଥିବା ଅଳ୍ପ କିଛି ଟଙ୍କା ଖର୍ଚ୍ଚ ହୋଇଯାଇଥିଲା ଶିଶୁଙ୍କ ଚିକିତ୍ସାରେ। କଟକରେ ଡାକ୍ତର ଯେତେବେଳେ ଦିଲ୍ଲୀ ଏମ୍‌ସ୍‌ ଡାକ୍ତରଖାନାକୁ ନେଇ ଅପରେସନ୍‌ କରି ଉଭୟ ଶିଶୁଙ୍କୁ ଅଲଗା କରିବାକୁ କହିଲେ, ସେତେବେଳେ ପୁଷ୍ପା ଓ ଭୂୟାଁ ଭାଙ୍ଗି ପଡ଼ିଥିଲେ। ଜିଲ୍ଲା ପ୍ରଶାସନ ଓ ରେଡ୍‌କ୍ରସ୍‌ରୁ ମିଳିଥିବା ପ୍ରାୟ ତିରିଶ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଥିଲା। ଅଗଷ୍ଟ ୧୩ ତାରିଖରେ ବାଧ୍ୟହୋଇ ଛୁଆଙ୍କୁ ଧରି ଗାଁକୁ ଫେରିଆସିଥିଲେ ଭୂୟାଁ ଓ ତାଙ୍କ ସ୍ତ୍ରୀ। ତାଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନ ଥିଲା।

ଜନ୍ମ ପ୍ରମାଣପତ୍ର ଅନୁସାରେ ଦୁଇ ଶିଶୁଙ୍କ ନାଁ ଜଗା ଓ କାଳିଆ, କିନ୍ତୁ ଜଗା ଓ ବଳିଆ ନାଁରେ ସେମାନେ ବେଶି ପରିଚିତ। ଧୀରେ ଧୀରେ ବଡ଼ ହେଉଥିଲେ ଉଭୟ ଶିଶୁ। ଦୁହିଙ୍କୁ ସବୁ ସମୟରେ ଅତି ସତର୍କତାର ସହ ଲାଳନପାଳନ କରୁଥିଲେ ଭୂୟାଁ ଓ ପୁଷ୍ପାଞ୍ଜଳି। ଅର୍ଥାଭାବ ସତ୍ତ୍ୱେ ଯୋଡ଼ାଶିଶୁ ପାଳିବାର କଷ୍ଟକୁ ସେମାନେ ଅନାୟାସରେ ସହିଯାଉଥିଲେ। ତାଙ୍କ ଭିତରେ ଦୃଢ଼ ମନୋବଳଟିଏ ଲୁଚି ରହିଥିଲା, ଦିନେ ନା ଦିନେ ଯୋଡ଼ାଶିଶୁ ଅଲଗା ହେବେ ଏବଂ ସୁସ୍ଥ ଜୀବନଯାପନ କରିବେ।

କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ବହୁଲୋକ ସେମାନଙ୍କୁ ଦେଖିବା ପାଇଁ ଆସିଥିଲେ। ଭୂୟାଁଙ୍କ ପରିବାର ଅର୍ଥ ଅଭାବରୁ ଗାଁକୁ ଫେରିଯିବା ପରେ ଫୁଲବାଣୀର ଗଣମାଧ୍ୟମ ପ୍ରତିନିଧିମାନେ ଲାଗିପଡ଼ିଥିଲେ ଘଟଣାର ପ୍ରଚାର ସହ ସାହାଯ୍ୟ ଯୋଗାଡ଼ କରିବାକୁ। କିଛି ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ତଥା ଗଣମାଧ୍ୟମରେ କ୍ରମାଗତ ଭାବରେ ଖବର ପ୍ରକାଶ ପାଇବା ଫଳରେ ରାଜ୍ୟ ସରକାରଙ୍କ ଉପରେ ଚାପ ପଡ଼ିଥିଲା ସାହାଯ୍ୟ ଯୋଗାଇବାକୁ। ଶେଷରେ ୨୦୧୭ ଜୁନ୍‌ ମାସରେ ରାଜ୍ୟ ସରକାର ଜଗା ବଳିଆଙ୍କ ଅପରେସନ୍‌ ପାଇଁ ଆର୍ଥିକ ସାହାଯ୍ୟ ଦେବାକୁ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ ଏକ କୋଟି ଟଙ୍କାର ଆର୍ଥିକ ସାହାଯ୍ୟ। ଏହାପରେ ଭୂୟାଁ ଓ ପୁଷ୍ପାଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ରାଜ୍ୟ ସରକାରଙ୍କ ପରେ ଜିଲ୍ଲା ପ୍ରଶାସନ ମଧ୍ୟ ଏକ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ଡି. ବୃନ୍ଦାଙ୍କ ଅନୁରୋଧକ୍ରମେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଦିନକର ଦରମା ପ୍ରଦାନ କରିଥିଲେ ଜଗା ବଳିଆଙ୍କ ଚିକିତ୍ସା ପାଇଁ।

ତା’ପରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଏମ୍‌ସ୍‌ ଯାତ୍ରା। ଏମ୍‌ସ୍‌ ଦିଲ୍ଲୀରେ କାର୍ଯ୍ୟରତ ପ୍ରଖ୍ୟାତ ଓଡ଼ିଆ ସ୍ନାୟୁ ଶଲ୍ୟ ଚିକିତ୍ସକ ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଚିକିତ୍ସା ଆରମ୍ଭ ହୋଇଥିଲା। ପ୍ରାୟ ୪୦ ଜଣିଆ ଡାକ୍ତରୀ ଦଳ ପରୀକ୍ଷାନିରୀକ୍ଷା କରିଥିଲେ ଜଗା ବଳିଆଙ୍କ ଅପରେସନ୍‌ ପାଇଁ। କିଛି ଦିନ ପର୍ଯ୍ୟବେକ୍ଷଣ କଲାପରେ ଡାକ୍ତରୀ ଦଳ ସିଦ୍ଧାନ୍ତ ନେଇଥିଲେ ଦୁଇଟି ପର୍ଯ୍ୟାୟରେ ଅପରେସନ୍‌ କରି ଜଗା ଓ ବଳିଆର ମୁଣ୍ଡକୁ ଅଲଗା କରିବା ପାଇଁ। ଏଥିପାଇଁ ଅନେକ ବିଦେଶୀ ଡାକ୍ତରଙ୍କ ପରାମର୍ଶ ଓ ସାହାଯ୍ୟ ମଧ୍ୟ ନିଆଯାଇଥିଲା।

ପ୍ରଥମ ପର୍ଯ୍ୟାୟ ଅପରେସନ୍‌ କରାଯାଇଥିଲା ଚଳିତ ବର୍ଷ ଅଗଷ୍ଟ ମାସ ୨୮ ତାରିଖରେ। ୪୦ ଜଣିଆ ଡାକ୍ତରୀ ଦଳର ନେତୃତ୍ୱ ନେଇଥିଲେ ଜାପାନର ବିଖ୍ୟାତ ଡାକ୍ତର କେ. ତାକି ଜାଓ୍ଵା। ଏହି ବିରଳ ଅପରେସନ୍‌ ଉପରେ ସାରା ବିଶ୍ୱର ଡାକ୍ତରମାନଙ୍କ ଦୃଷ୍ଟି ରହିଥିଲା। ସାରା ଓଡ଼ିଶାର ଲୋକେ ମଧ୍ୟ ଜଗା ବଳିଆଙ୍କ ଅପରେସନ୍‌ ସମ୍ପର୍କିତ ଖବର ଜାଣିବାକୁ ଉତ୍ସୁକତାର ସହିତ ଅନେଇ ରହିଥିଲେ। ଅପରେସନ୍‌ରେ ସାମିଲ ହୋଇଥିଲେ ନ୍ୟୁରୋସର୍ଜରି, ପ୍ଲାଷ୍ଟିକ୍‌ ସର୍ଜରି, କାର୍ଡିଓଲୋଜି, ପେଡିଆଟ୍ରିକ୍‌ ଓ ଆନାସ୍ଥେସିଆ ବିଭାଗର ଅଭିଜ୍ଞ ଡାକ୍ତରମାନେ। ଦୀର୍ଘ ୨୫ ଘଣ୍ଟା ଧରି ଚାଲିଥିଲା ଅପରେସନ୍‌। ଏହି ଅପରେସନ୍‌ ଦ୍ୱାରା ଦୁଇ ଶିଶୁଙ୍କ ମସ୍ତିଷ୍କରେ ଶିରାପ୍ରଶିରା ପ୍ରତିରୋପଣ କରାଯାଇଥିଲା ଯାହାକି ଚିକିତ୍ସା ବିଜ୍ଞାନରେ ପ୍ରଥମ ଥର ପାଇଁ ହୋଇଥିବାର ଜଣାଯାଏ। ଉଭୟ ଶିଶୁଙ୍କ ମସ୍ତିଷ୍କ ଯୋଡ଼ି ହୋଇଥିବା ସ୍ଥାନରେ କୃତ୍ରିମ ଭାବେ ତିଆରି ହୋଇଥିବା ଶିରାପ୍ରଶିରା ପ୍ରତିରୋପଣ କରାଯାଇଥିଲା। ଚବିଶ ଘଣ୍ଟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ ସମୟ ସମାପ୍ତ ପରେ ପ୍ରଥମ ପର୍ଯ୍ୟାୟ ଅପରେସନ୍‌ ସଫଳ ହୋଇଥିବା ଜଣାପଡ଼ିଥିଲା। ଉଭୟ ଶିଶୁଙ୍କୁ ଆଇ.ସି.ୟୁ.ରେ ଅତ୍ୟନ୍ତ ସତର୍କତାର ସହିତ ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟର ସଫଳତା ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ଦେଢ଼ ମାସ ପରେ ଜଣେ ଆମେରିକୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ କରାଯିବାର ନିଷ୍ପତ୍ତି ନେଇଥିଲେ ଡାକ୍ତରୀ ଦଳ।

ଏହା ପରେ ଜଗା ବଳିଆଙ୍କ ସ୍ୱାସ୍ଥ୍ୟକୁ ନେଇ ସବୁଆଡ଼େ ଚର୍ଚ୍ଚା ହେବା ସହିତ ଉତ୍କଣ୍ଠା ମଧ୍ୟ ବଢ଼ିଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ପାଇଁ ନିର୍ଦ୍ଧାରିତ ସମୟ ଆଗରୁ ବଳିଆର ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖାଦେଇଥିଲା। ଜଣକର ହୃତ୍‌ପିଣ୍ଡ ଏବଂ ଆର ଜଣକର କିଡ୍‌ନିରେ କିଛି ବ୍ୟତିକ୍ରମ ଜନ୍ମିଥିବାର ଖବର ଅନେକଙ୍କୁ ଦ୍ୱନ୍ଦ୍ୱରେ ମଧ୍ୟ ପକାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ହିଁ ଜଗା ଓ ବଳିଆଙ୍କ ବଞ୍ଚିବାଟା ନିର୍ଦ୍ଧାରଣ କରିବ ବୋଲି ଡାକ୍ତରମାନେ କହିଥିଲେ। ଡାକ୍ତର ଅଶୋକ ମହାପାତ୍ର କହିଥିଲେ, ଏମିତି ବିରଳ ଅପରେସନ୍‌ରେ ବଞ୍ଚିବାର ହାର ହେଉଛି ମାତ୍ର ପନ୍ଦର ପ୍ରତିଶତ, କିନ୍ତୁ ଜଗା ବଳିଆଙ୍କ କ୍ଷେତ୍ରରେ ଆମର ପୂରା ବିଶ୍ୱାସ ଅଛି ଯେ ସେମାନେ ସୁସ୍ଥ ହୋଇ ଅଲଗା ହୋଇପାରିବେ। ଉଭୟଙ୍କ ଚିକିତ୍ସା ପାଇଁ ୨୦ଟି ଦେଶର ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶ ନିଆଯାଉଛି।

ବହୁ ପରୀକ୍ଷାନିରୀକ୍ଷା ପରେ ଏମ୍‌ସ୍‌ ଡାକ୍ତରୀ ଦଳ ଅକ୍‌ଟୋବର ୨୫ ତାରିଖରେ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ। ଆମେରିକାନ୍‌ ଡାକ୍ତରଙ୍କ ଅନୁପସ୍ଥିତିରେ ଡାକ୍ତର ମହାପାତ୍ରଙ୍କ ନେତୃତ୍ୱରେ ଏହା ଆରମ୍ଭ ହୋଇଥିଲା। ସକାଳ ଛଅଟାରେ ଅପରେସନ୍‌ ଥିଏଟର୍‌କୁ ଜଗା ବଳିଆଙ୍କୁ ନିଆଯିବା ପରେ ନଅଟାରେ ଆରମ୍ଭ ହୋଇଥିଲା ଅସ୍ତ୍ରୋପଚାର। ରାଜ୍ୟର କୋଣ ଅନୁକୋଣରେ ଲୋକେ ଜଗା ବଳିଆଙ୍କ ସ୍ୱାସ୍ଥ୍ୟ ପାଇଁ ପୂଜାର୍ଚ୍ଚନା କରିବା ସହିତ ଦୀପଦାନ, କ୍ୟାଣ୍ଡଲ୍‌ ର‍୍ୟାଲି ଆଦି କରିଥିଲେ। ସମସ୍ତଙ୍କ ମନରେ ଥିଲା ଗୋଟିଏ କଥା, ଭଲ ହୋଇଯାଆନ୍ତୁ ଜଗା ବଳିଆ। ଛୁଆଠୁ ବୁଢ଼ା, ଗାଁଠୁ ସହର ସବୁଆଡ଼େ ବହିଯାଉଥିଲା ଶୁଭେଚ୍ଛାର ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶିଶୁଙ୍କ ଆରୋଗ୍ୟ କାମନା କରିଥିଲେ। ଡାକ୍ତରମାନେ ମଧ୍ୟ ମନ୍ଦିର ଯାଇ ଦୀପ ଜାଳିଥିଲେ। ଡାକ୍ତରୀ ଦଳଙ୍କ ଏଗାର ଘଣ୍ଟିଆ ଅସ୍ତ୍ରୋପଚାର ଓ ଅକ୍ଳାନ୍ତ ପରିଶ୍ରମ ପରେ ଯେଉଁ ଖବର ଆସିଥିଲା ତାହା ସମଗ୍ର ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିଥିଲା, ସଫଳ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌, ଅଲଗା ହୋଇଥିଲେ ଜଗା ଓ ବଳିଆ। ଏହାପରେ ଉଭୟଙ୍କୁ ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ସଙ୍କଟ ସମୟ ଅତିକ୍ରମ କରିବା ପରେ ଟିଭି ପରଦାରେ ଜଗା ଓ ବଳିଆକୁ ଅଲଗା ହୋଇଥିବାର ଦେଖି ସମସ୍ତେ ଖୁସି ଓ ଆନନ୍ଦିତ ହୋଇଥିଲେ।

ଅପରେସନ୍‌ର ସାତ ଦିନ ପରେ ନଭେମ୍ବର ଏକ ତାରିଖରେ ଜଗାକୁ ଭେଣ୍ଟିଲେଟର୍‌ରୁ ବାହାର କରାଯାଇଥିଲା। ବଳିଆକୁ ଜ୍ୱର ହେବା ସହିତ ଥରେ ହୃଦ୍‌ଘାତ ହେବାରୁ ଡାକ୍ତରମାନଙ୍କ ଚିନ୍ତା ବଢ଼ିଯାଇଥିଲା। ତା’ପରେ ମଧ୍ୟ ଧୈର୍ଯ୍ୟର ସହିତ ଡାକ୍ତରୀ ଦଳ ଆମେରିକାର ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ଜାରି ରଖିଥିଲେ। ପରେ ବଳିଆର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। ଏପର୍ଯ୍ୟନ୍ତ ଉଭୟ ଜଗା ଓ ବଳିଆ ସୁସ୍ଥ ଅଛନ୍ତି। ଜଗାକୁ ଆଇ.ସି.ୟୁ.ରୁ ବାହାର କରାଯାଇ ସାଧାରଣ ଓ୍ଵାର୍ଡକୁ ଅଣାଗଲାଣି। ଭାତ, ଡାଲି ଓ ମାଂସ ଖାଇବା ସହିତ ସେ ଖେଳୁଛି ମଧ୍ୟ। ମୋବାଇଲ୍‌ରେ ଗୀତ ଶୁଣିବାକୁ ପସନ୍ଦ କରୁଥିବା ଜଗା ମୋବାଇଲ୍‌ ଛଡ଼ାଇଆଣିଲେ କାନ୍ଦୁଛି। ହସପିଟାଲ୍‌ର ଷ୍ଟାଫ୍‌ଙ୍କ ସହିତ ବଲ୍‌ ଖେଳୁଛି। ବଳିଆର ସ୍ୱାସ୍ଥ୍ୟରେ ବେଳେବେଳେ ସମସ୍ୟା ଦେଖାଦେଉଥିବାରୁ ତାହାକୁ ଆଇ.ସି.ୟୁ.ରେ ରଖାଯାଇ ଚିକିତ୍ସା କରାଯାଉଛି। ଏପର୍ଯ୍ୟନ୍ତ ଏମ୍‌ସର ଡାକ୍ତରୀ ଦଳ ନିରନ୍ତର ଭାବେ ଚିକିତ୍ସା ଜାରି ରଖିଛନ୍ତି। ନିଜ ଛୁଆଠୁ ଅଧିକ ଯତ୍ନ ନେଉଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏକାଧିକ ବାର ଦିଲ୍ଲୀ ଯାଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝାଶୁଝା କରିବା ସହିତ ଡାକ୍ତରମାନଙ୍କ ସହିତ ଆଲୋଚନା କରୁଛନ୍ତି। ଏଥି ସହିତ ଜୀବନରେ କେବେ ଆଶା କରି ନ ଥିବା ଭଳି ସାହାଯ୍ୟ, ସହଯୋଗ ଓ ସେବା ପାଇପାରିଛୁ ବୋଲି କହିଛନ୍ତି ଜଗା ବଳିଆଙ୍କ ପରିବାର। ସମଗ୍ର ରାଜ୍ୟବାସୀ ମଧ୍ୟ ଅପେକ୍ଷାରେ ଅଛନ୍ତି, ସମ୍ପୂର୍ଣ୍ଣ ସୁସ୍ଥ ହୋଇ କେବେ ଗାଁକୁ ବାହୁଡ଼ିବେ ଜଗା ବଳିଆ।

ସମ୍ବନ୍ଧିତ ଖବର