ବାରିପଦା ସହରରେ ପ୍ରସିଦ୍ଧ ଜଗଦ୍ଧାତ୍ରୀ ପୂଜା ଆରମ୍ଭ

ବାରିପଦା : ବାରିପଦା ସହରର ପ୍ରସିଦ୍ଧ ଜଗଦ୍ଧାତ୍ରୀ ପୂଜା ଆଜିଠୁ ଆରମ୍ଭ ହୋଇଛି। ଅପରାହ୍ନରେ ବୁଢାବଳଙ୍ଗ ନଦୀର ଚିପଟଅସ୍ତିଆ ନିକଟରୁ ଘଟ ଆସିବା ପରେ ମା’ଙ୍କର ଚକ୍ଷୁଦାନ ହୋଇଥିଲା। ଏହା ପରେ ପ୍ରଥମ ଦିନର ପୂଜା ରାତ୍ରି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଆସନ୍ତା ନଭେମ୍ବର ୧ ତାରିଖଠାରୁ ମେଳା ଜୋର୍‌ ଧରିବ ବୋଲି ଆୟୋଜକମାନଙ୍କଠାରୁ ପ୍ରକାଶ। ଏହି ମେଳା ନଭେମ୍ବର ୧ ତାରିଖରୁ ଆରଂଭ ହୋଇ ୧୨ ତାରିଖଯାଏ ଚାଲିବ। ୧୫ ତାରିଖରେ ମା’ଙ୍କର ବିସର୍ଜନ କରାଯିବ ବୋଲି ମେଳା କମିଟିର ଉପାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଏଥରର ତୋରଣର ଥିମ୍‌ ବିଶ୍ୱର ଶ୍ରେଷ୍ଠ ୧୦ ମଧ୍ୟରେ ଥିବା ବିଳାସମୟ ଯାତ୍ରୀବାହୀ ଜାହାଜ ‘ଡିଜ୍‌ନି କ୍ରୁଜ୍‌’ ରହିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ମେଳାର ତୋରଣ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ କରାଯାଇଥାଏ। ଗତବର୍ଷ ରାଜସ୍ଥାନର ଯୋଦ୍ଧପୁର ପ୍ୟାଲେସ୍‌ ତୋରଣର ଥିମ୍‌ ଥିବାବେଳେ ତା’ ପୂର୍ବବର୍ଷ ରାଜସ୍ଥାନର ହାଓ୍ଵା ମହଲ ଶୈଳୀରେ ତୋରଣ ନିର୍ମାଣ କରାଯାଇଥିଲା। ଚଳିତବର୍ଷ ତୋରଣର ଉଚ୍ଚତା ୧୦୫ ଫୁଟ, ଦୈର୍ଘ୍ୟ ୧୫୦ ଫୁଟ ରହିଛି। ତୋରଣରେ ମୋଟ ୫୪୦୦ ବାଉଁଶ ଓ ୯,୦୦୦ ସିଏଫ୍‌ଟିର ବ୍ୟାଟନ୍‌ ବ୍ୟବହାର କରାଯାଇଛି। ଏଥିପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କମିଟି ପକ୍ଷରୁ ଜଣାପଡ଼ିଛି। ପଶ୍ଚିମବଙ୍ଗର କାରିଗରମାନେ ଏହାକୁ ଗଢ଼ିଛନ୍ତି।

୧୯୫୩ ମସିହାରୁ ବାରିପଦାଠାରେ ଜଗଦ୍ଧାତ୍ରୀ ମେଳା ଅନୁଷ୍ଠିତ ହୋଇଆସୁଛି। ଭଞ୍ଜପୁରର ଜଗଦ୍ଧାତ୍ରୀ ପଡ଼ିଆରେ ପ୍ରତିବର୍ଷ ନଭେମ୍ବର ମାସରେ ଏହି ମେଳା ବସେ। ଜଗଦ୍ଧାତ୍ରୀ ଦେବୀ ଦୁର୍ଗାଙ୍କ ଭଳି ତ୍ରିନୟନା, ଚତୁର୍ଭୁଜା। ଚାରି ହାତରେ ମା’ ଶଙ୍ଖ, ଚକ୍ର, ଧନୁ, ତୀର ଧାରଣ କରିଥାନ୍ତି। କରିନ୍ଦ୍ରାସୁରକୁ ବଦ୍ଧ କରି ସେ ଧରାପୃଷ୍ଠରେ ସତ୍ୟ, ନ୍ୟାୟର ବାର୍ତ୍ତା ପ୍ରଦାନ କରନ୍ତି। ଜଗଦ୍ଧାତ୍ରୀଙ୍କ ମେଢରେ ମା’ ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ, ଗଣେଶ, କାର୍ତ୍ତୀକ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ବ୍ରହ୍ମଚାରୀ ନାରଦ ପୂଜା ପାଇଥା’ନ୍ତି। ପାଖାପାଖି ତିନି ସପ୍ତାହ ଧରି ଏହି ମେଳା ଚାଲିଥାଏ। ୧୯୯୩ରୁ ନୂତନ ଢଙ୍ଗରେ ମେଳା ହୋଇଆସୁଛି। ପ୍ରତିବର୍ଷ ଦେଶବିଦେଶର ପ୍ରତିଷ୍ଠିତ ପର୍ଯ୍ୟଟନ ସ୍ଥାନ କିମ୍ବା ରାଜପ୍ରାସାଦ, ମନ୍ଦିର ଶୈଳୀରେ ତୋରଣ ନିର୍ମିତ ହୋଇଥାଏ।

୨୦୦୨ରେ କଲିକତାର ପ୍ରସିଦ୍ଧ ଭିକ୍‌ଟୋରିଆ ମେମୋରିଆଲ୍‌ ହଲ୍‌ ତୋରଣ ନିର୍ମାଣ, ୨୦୦୩ରେ ଆଗ୍ରାର ତାଜମହଲ, ୨୦୦୪ରେ ଦିଲ୍ଲୀର ପଦ୍ମମନ୍ଦିର, ୨୦୦୫ରେ କୋଣାର୍କ ମନ୍ଦିର, ୨୦୦୬ରେ ଟାଇଟାନିକ୍‌ ଜାହାଜ, ୨୦୦୭ରେ ପୁରୀ ଜଗନ୍ନାଥ ମନ୍ଦିର, ୨୦୦୮ରେ ଅକ୍ଷରଧାମ ମନ୍ଦିର, ୨୦୦୯ରେ ମୁମ୍ବାଇର ତାଜ୍‌ ହୋଟେଲ୍‌, ୨୦୧୦ରେ ମହୀଶୁର ପ୍ୟାଲେସ୍‌, ୨୦୧୧ରେ ଆମେରିକାର ହ୍ଵାଇଟ୍‌ ହାଉସ୍‌, ୨୦୧୨ରେ ମହୀଶୁରର ଲଳିତା ମହଲ, ୨୦୧୫ରେ ରାଜସ୍ଥାନର ହାଓ୍ଵା ମହଲ ନିର୍ମିତ ହୋଇଥିଲା।

୧ ତାରିଖଠାରୁ ଜଗଦ୍ଧାତ୍ରୀ ପଡ଼ିଆରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରତି ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାରମାନେ ନିଜନିଜର କଳା ପ୍ରଦର୍ଶନ କରିବେ। ଚଳିତବର୍ଷ ୩୫୦ରୁ ଊଦ୍ଧ୍ଵର୍ ଷ୍ଟଲ୍‌ ନିର୍ମାଣ କରାଯାଇଥିବା ପୂଜା କମିଟିର ଅଧ୍ୟକ୍ଷ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ମେଳା କମିଟିର ଅଧ୍ୟକ୍ଷ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ପ୍ରକାଶ କରିଛନ୍ତି। ମେଳା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଶାନ୍ତ ପଟ୍ଟନାୟକ, ସାଧାରଣ ସଂପାଦକ ଦର୍ପ ନାରାୟଣ ପାଲ୍‌ ଆଜି ସନ୍ଧ୍ୟାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର