ଜଗମୋହନ ମରାମତି : ଆରମ୍ଭ ହେଲା ସିଲିଂ ଡିଜାଇନ୍‌

ପୁରୀ : ଜଗମୋହନ ମରାମତି ପ୍ରକ୍ରିୟା ଜାରି ରହିଛି। ନିୟମିତ ସମୟ ବ୍ୟବଧାନରେ ହାଇକୋର୍ଟ ଏହାର ସ୍ଥିତାବସ୍ଥା ତଥା ପ୍ରଗତି ସମ୍ବନ୍ଧରେ ସତ୍ୟପାଠ ଜରିଆରେ ତଥ୍ୟ ହାସଲ କରୁଛନ୍ତି। ଏହି କ୍ରମରେ ୧୨ ତାରିଖ ଦିନ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଳିତ ଭାବେ ହାଇକୋର୍ଟରେ ଏହାର ସ୍ଥିତାବସ୍ଥା ସମ୍ବନ୍ଧରେ ସତ୍ୟପାଠ ଦାଖଲ କରିବେ। ତେବେ ଏହା ପୂର୍ବରୁ ଏହି ଜଗମୋହନରେ ଲାଗିଥିବା ପୋର୍ଟାଲ ଫ୍ରେମ୍‌ରେ ପଥର କ୍ଲାଡ଼ିଂ ଚାଲିଥିବା ବେଳେ ଆଜି ଠାରୁ ସିଲିଂ କାମ ଆରମ୍ଭ ହୋଇଛି। ଛାତକୁ ଦିଆଯାଇଥିବା ସପୋର୍ଟ ଆଉ ବାହାରକୁ ନ ଦିଶିବା ପାଇଁ ଏହି ସିଲିଂ କରାଯାଉଛି। ମୂଲ୍ୟବାନ କାଠ ଯାହା ଶହ ଶହ ବର୍ଷ ମଜବୁତ ରହିବ ସେହି କାଠରେ ଏହି ସିଲିଂ କରାଯାଉଛି। ପୋର୍ଟାଲ ଫ୍ରେମ୍‌ ସ୍ଥାପନ କରିଥିବା ଦିଲୀପ୍‌ କନ୍‌ଷ୍ଟ୍ରକସନ ଏହି କାମ ଆରମ୍ଭ କରିଛି। ଏହାକୁ ଏକ ସୁନ୍ଦର ଡିଜାଇନ୍‌ ଦିଆଯିବା ପାଇଁ ଯୋଜନା ହୋଇଛି।

ଏହି ଡିଜାଇନ୍‌ ଏଏସ୍‌ଆଇ ସହ ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ପାଇବା ପରେ କାଠରେ ତିଆରି ହୋଇଛି। ୨ ଇଞ୍ଚ ଓସାରରେ ପାଖାପାଖି ୨ଶହ ସିଏଫ୍‌ଟି କାଠ ଲାଗିବାକୁ ନିଷ୍ପତ୍ତି ହୋଇଛି। ସମସ୍ତ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ପ୍ରସ୍ତୁତି ସରିବା ପରେ ଏହାକୁ ଆଜି ଲଗାଇବା ଆରମ୍ଭ କରାଯାଇଛି। ୯ଟି ପ୍ଲେଟରେ ଫୁଲ ଡିଜାଇନ୍‌ ରହିଥିବା ବେଳେ ମଝିରେ ଏକ ବଡ଼ ପାତ୍ର ଭଳି ଡିଜାଇନ୍‌ ରଖିବାକୁ ସ୍ଥିର ହୋଇଛି। ଏଭଳି ମୋଟ ୨୫ ଖଣ୍ଡ ଲାଗିବ। ଏଏସ୍‌ଆଇ ପକ୍ଷରୁ ଭାରା ବନ୍ଧା ଯିବା ପରେ କାରିଗରମାନେ ଚଢ଼ି କାମ ଆରମ୍ଭ କରିଛନ୍ତି। ଏହି କାଠ ସିଏଫ୍‌ଟି ପିଛା ୧୦ ହଜାରରୁ ଊଦ୍ଧ୍ଵର୍ ହୋଇଥିବାରୁ ବର୍ଷ ବର୍ଷ ଧରି ଏହା ନଷ୍ଟ ହେବ ନାହିଁ ବୋଲି ସଂସ୍ଥାର ପ୍ରୋପାଇଟର ଦିଲୀପ ଖଟେଇ କହିଛନ୍ତି। ଧାର୍ଯ୍ୟ ସମୟ ମିଳିଲେ ଏହା ୭ ଦିନ ମଧ୍ୟରେ ଶେଷ କରିଦେବା ପାଇଁ ଯୋଜନା ହୋଇଥିବା ସେ କହିଛନ୍ତି।

ଅନ୍ୟପଟେ ନାଟମଣ୍ଡପ ମରାମତି ପାଇଁ ଏଏସ୍‌ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ନାଟମଣ୍ଡପ ହସ୍ତାନ୍ତର କରାଗଲେ ମରାମତି କାମ ଆରମ୍ଭ କରିବା ପାଇଁ କୁହାଯାଇଛି। ସେହିଭଳି ଦ୍ଵିତୀୟ ଥାକ ଓ ଆର୍ଥିଂ ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିରରେ ଭାରାବନ୍ଧା ଜାରି ରହିଛି। ଆଉ ୩ରୁ ୪ ଦିନ ଭିତରେ ଭାରାବନ୍ଧା ଶେଷ ହେଲେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ସିଏମ୍‌ଏଫଆରଆଇରୁ ପୁଣି ଥରେ ବୈଜ୍ଞାନିକ ଆସି ଏହାକୁ ଯାଞ୍ଚ କରିବେ। ମାଙ୍କଡ଼ମାନେ ଆର୍ଥିଂ ନଟ୍‌ବୋଲ୍‌ଟ ହୁଗୁଳା କରି ଦେଉଥିବାରୁ ସକ୍‌ ଲାଗିବା ଆଶଙ୍କା ରହିଛି। ଏହାକୁ ଯାଞ୍ଚ କରାଯିବା ସହ ଦ୍ଵିତୀୟ ଥାକ ଯାଞ୍ଚ ହେବ। ଏଥିରେ ଅଟୋମେଟିକ୍‌ ଏଗ୍‌ଜଷ୍ଟ ଫ୍ୟାନ୍‌ ଲଗାଇବା ଯୋଜନା କରାଯାଇଛି। ଏହି ଥାକରେ ଫ୍ୟନ୍‌ ଚାଲୁଛି କି ନାହିଁ ତାହା ନ ଚଢ଼ିଲେ ଯାଞ୍ଚ କରିବା ସମ୍ଭବ ହେଉନଥିବାରୁ ଏହି ଅଟୋମେଟିକ୍‌ ବ୍ୟବସ୍ଥା କରାଯିବାକୁ ରହିଛି। ଏହି ବ୍ୟବସ୍ଥାରେ ତଳେ ଥାଇ ଫ୍ୟାନ୍‌ର ସ୍ଥିତାବସ୍ଥା ସମ୍ବନ୍ଧରେ ଜାଣି ହେବ ବୋଲି ଏଏସ୍‌ଆଇ କହିଛି। ଅନ୍ୟପଟେ ଲୁହାଫ୍ରେମ୍‌କୁ ପଥର କ୍ଲାଡିଂ କରାଯାଉଛି। ଚର୍ଚ୍ଚିତ ଶିଳ୍ପୀ ରଘୁନାଥ ମହାପାତ୍ର ଏହି କାମ କରୁଛନ୍ତି। ନଟ୍‌ବୋଲ୍‌ଟ ଜରିଆରେ ଷ୍ଟିଲ ଖୁଣ୍ଟରେ ଏହାକୁ ଫିକ୍ସ କରାଯାଉଛି। ସମାନ୍ତରାଳ ଭାବରେ ସିଲିଂ, ଭାରାବନ୍ଧା ଓ ପଥର କ୍ଲାଡିଂ କାମ ଚାଲୁ ରହିଛି।

ସମ୍ବନ୍ଧିତ ଖବର