ଜନ୍ମବେଦୀରେ ଦର୍ଶନ ଦେଲେ ମହାପ୍ରଭୁ, ଭକ୍ତଙ୍କୁ ମିଳିଲା ଆଡ଼ପ ଅବଢ଼ା, ବିଳମ୍ବ ହେଲା ନୀତି ଓ ଦର୍ଶନ

ପୁରୀ: ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଆଜି ତୃତୀୟ ଦିନରେ ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେଇଛନ୍ତି। ବର୍ଷତମାମ୍ ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦେଖି କୋଟି ପୁଣ୍ୟ ଲାଭ କରିଛନ୍ତି। ଏଥି ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲା। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିଲେ। ସେପଟେ ଆଜିଠୁ ମହାପ୍ରଭୁଙ୍କଠାରେ ଅନ୍ନବ୍ୟଞ୍ଜନ ଲାଗି ହେବା ପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇବାର ପ୍ରଥମ ସୁଯୋଗ ପାଇଛନ୍ତି। କେବଳ ରଥଯାତ୍ରା ସମୟରେ ବାହାରୁଥିବା ଆଡ଼ପ ଅବଢ଼ା ପାଇଁ ଭକ୍ତ ମହଲରେ ପ୍ରବଳ ଆବେଗ ଦେଖିବାକୁ ମିଳିଥିଲା। ହଜାର ହଜାର ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦବଜାରରୁ ଆଗ୍ରହର ସହ ଅବଢ଼ା କିଣିଥିଲେ।

 

ବିଶ୍ୱାସ ରହିଛି, ମହାପ୍ରଭୁଙ୍କୁ ଥରେ ଜନ୍ମବେଦୀରେ ଦର୍ଶନ ୧୦ ବର୍ଷର ରତ୍ନବେଦୀ ଦର୍ଶନ ସହ ସମାନ। ଏଥିପାଇଁ ଭକ୍ତମାନେ ମହାପ୍ରଭୁଙ୍କ ଏହି ନବଦିନ ଯାତ୍ରାକୁ ବର୍ଷତମାମ୍ ଅନାଇ ରହିଥାନ୍ତି। ତେବେ ଆଜି ମହାପ୍ରଭୁଙ୍କ ସମସ୍ତ ନୀତି ୨ ଘଣ୍ଟା ବିଳମ୍ୱରେ ସଂପନ୍ନ ହୋଇଥିଲା। ଭୋର ୫ଟାରେ ଦ୍ୱାରଫିଟା ନୀତି ନିର୍ଘଣ୍ଟ ହୋଇଥିଲା ବେଳେ ସକାଳ ୬ଟା ୨୦ରେ ଏହି ନୀତି ସଂପନ୍ନ ହୋଇଥିଲା। ନୀତି ବିଳମ୍ୱ ଯୋଗୁ ଭକ୍ତଙ୍କ ସାହାଣମେଲା ଦର୍ଶନରେ ବି ବିଳମ୍ୱ ହୋଇଥିଲା। ବନକଲାଗି ଥିବାରୁ ଆସନ୍ତାକାଲି ରାତି ୯ଟାରୁ ଦର୍ଶନ ବନ୍ଦ ରଖାଯାଇଛି। ରଥଯାତ୍ରା ପରେ ଦୁଇ ଦିନ ଧରି ଚତୁର୍ଦ୍ଧା ମୂର୍ତି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଗତକାଲି ସଂଧ୍ୟାରେ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ କରିଥିଲେ। ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ମହାସ୍ନାନ, ମଇଲମ ନୀତି ସଂପନ୍ନ ହୋଇ ରୋଷ ହୋମ, ସୂର୍ଯ୍ୟପୂଜା, ଚନ୍ଦନ ଲାଗି, ଦ୍ୱାରପାଳ ପୂଜା, ବଡ଼ସିଂହାର ବେଶ ହେବା ପରେ ଭୋର ୪ଟାରେ ମହାପ୍ରଭୁଙ୍କ ପହୁଡ଼ ପଡ଼ିଥିଲା।

କିନ୍ତୁ ଆଜି ନୀତି ଆରମ୍ଭରୁ ବିଳମ୍ବ ହେବାରୁ ଅନ୍ୟାନ୍ୟ ନୀତି ପଛେଇଥିଲା। ଭୋର ୫ଟା ବଦଳରେ ସକାଳ ୬ଟା ୨୦ରେ ଦ୍ୱାରଫିଟା ନୀତି, ସକାଳ ୭ଟାରେ ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ଶେଷ ହୋଇଥିଲା। ସେହିପରି ସକାଳ ୭ଟା ବଦଳରେ ସକାଳ ୮ଟା ୪୫ରେ ଅବକାଶ ନୀତି ସଂପନ୍ନ ହୋଇଥିଲା। ସକାଳ ସାଢ଼େ ୭ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହୋଇଥିବାରୁ ଭକ୍ତମାନେ ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। କିନ୍ତୁ ସାହାଣମେଲା ଦର୍ଶନ ବିଳମ୍ୱ ଯୋଗୁ ଭକ୍ତମାନେ ବାଧ୍ୟ ହୋଇ ପରିମାଣିକ ଟିକେଟ୍‌ରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପୂର୍ବାହ୍ଣ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ କରିଥିଲେ। ମଧ୍ୟାହ୍ନ ୧୧ଟା ୨୦ରେ ଚତୁର୍ଦ୍ଧା ମୂର୍ତିଙ୍କଠାରେ ବଲ୍ଲଭ ଭୋଗ ଲାଗି ହୋଇଥିଲା। ଏହା ପରେ ନୀତି ଆହୁରି ବିଳମ୍ବ ହୋଇଥିଲା। ଅପରାହ୍ଣ ୨ଟା ୧୫ରେ ସକାଳଧୂପ ପରେ ପ୍ରଥମ ଭୋଗମଣ୍ଡପ ନୀତି ସଂପନ୍ନ ହୋଇଥିଲା। ପ୍ରଥମ ଭୋଗମଣ୍ଡପ ପରେ ଭକ୍ତଙ୍କ ପାଇଁ ଆଡ଼ପ ଅବଢ଼ା ଉପଲବ୍ଧ ହୋଇଥିଲା। ପ୍ରଥମ ଭୋଗମଣ୍ଡପ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ, ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସଂପନ୍ନ ହୋଇଥିଲା। ଦ୍ୱିତୀୟ ଭୋଗମଣ୍ଡପ ପରେ ମଇଲମ, ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ମଇଲମ, ଚନ୍ଦନଲାଗି ପରେ ବଡ଼ସିଂହାର ବେଶ ଓ ଭୋଗ ହୋଇ ବିଳମ୍ବିତ ରାତିରେ ପହୁଡ଼ ହୋଇଥିଲା।

ସମ୍ବନ୍ଧିତ ଖବର