ପୁରୀରେ ବହୁ ପ୍ରକଳ୍ପ ନିର୍ମାଣ କରୁଛି ଦିଲୀପ କନ୍‌ଷ୍ଟ୍ରକ୍ସନ୍ : ଜଗମୋହନ ସୁରକ୍ଷିତ ତ?

ଭୁବନେଶ୍ବର/ପୁରୀ : ବିମାନବନ୍ଦରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ପରେ ଦିଲୀପ କନ୍‌ଷ୍ଟ୍ରକ୍ସନ ବିବାଦକୁ ଆସିଛି। କିଏ ଏହି ଦିଲୀପ ଖଟେଇ? ରାଜଧାନୀର ପ୍ରମୁଖ ସ୍ଥଳରେ ଏତେ ବଡ଼ ପ୍ରକଳ୍ପକୁ ଏମିତି ବେପରୱା ଭାବରେ କିଭଳି କାମ କରୁଥିଲେ? ଜେରା ବେ‌ଳେ ଏୟାରପୋର୍ଟ ଥାନା ପୁଲିସ ତାଙ୍କ ଠାରୁ ଅନେକ ତଥ୍ୟ ହାସଲ କରିଛି। ମିଳିଥିବା ସୂଚନା ଅନୁଯାୟୀ ଦିଲୀପ ଖଟେଇ ପୁରୀରେ ବେଶ୍‌ ଚର୍ଚ୍ଚିତ। ଜଗମୋହନ ମରାମତି ସମେତ ପୁରୀର ବହୁ ପ୍ରକଳ୍ପ ନିର୍ମାଣ ଦାୟିତ୍ବ ଏହି ସଂସ୍ଥା ହାତରେ। ତେଣୁ ୧୬ କୋଟି ଟଙ୍କା ବ୍ୟୟରେ ସଂରକ୍ଷଣ ହୋଇଥିବା ଜଗମୋହନ ସୁରକ୍ଷିତ କି ନାହିଁ ଓ ନିର୍ମାଣାଧୀନ ଅନ୍ୟ ପ୍ରକଳ୍ପଗୁଡ଼ିକରେ କାମର ମାନ କିପରି ରହୁଛି, ତାହା ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ନିରପେକ୍ଷ ସଂସ୍ଥା ଦ୍ବାରା ଏସବୁର ଯାଞ୍ଚ୍ କରିବାକୁ ଦାବି ଉଠିଲାଣି।

ଦିଲୀପ କନ୍‌ଷ୍ଟ୍ରକନ୍‌ସ ପୁରୀ ନବକଳେବର କୋଠା ତଥା ତିନି ମହଲା ବିଶିଷ୍ଟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ମଧ୍ୟ ନିର୍ମାଣ କରିଛି। ଏଥିରେ ପ୍ରାୟ ୧୦ କୋଟି ଟଙ୍କ‌ା ବ୍ୟୟ କରାଯାଇଛି। ୧୦୦ରୁ ଅଧିକ ପ୍ରକୋଷ୍ଠ ବିଶି‌ଷ୍ଟ ଟାଉନ ଥାନା ନିକଟରେ ଥିବା ନୀଳାଦ୍ରି ଭକ୍ତ ନିବାସ ନିର୍ମାଣ କରିଛନ୍ତି। ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି। ଏହି ଭକ୍ତ ନିବ‌ାସଗୁଡ଼ିକର ନିର୍ମାଣକୁ ନେଇ ଏବେ ପ୍ରଶ୍ନ ଉଠିଛି। ଖଟେଇ ପୁରୀରେ କରିଥିବା ଠିକା କାର୍ଯ୍ୟର ଆହୁରି ଲମ୍ବା ତାଲିକା ରହିଛି। ଅନ୍ୟ ପକ୍ଷରେ ପୁରୀ ସୌନ୍ଦର୍ଯ୍ୟୀକରଣ କାମରେ ମଧ୍ୟ ତାଙ୍କୁ ସାମିଲ କରାଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଚାଲିଥିବା କାମ ଓବିସିସି କରୁଥିଲେ ‌ହେଁ ଏହାର ଅସଲ କାମ କିନ୍ତୁ ଖ‌ଟେଇ କରୁଛନ୍ତି। ତାଙ୍କୁ ଏତେ କାମ ମିଳିବା ପଛରେ କାହାର ହାତ ରହିଛି ସେ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସହରର ପ୍ରବେଶ ପଥରେ ଏକ ଭିତ୍ତିପ୍ରସ୍ତରରେ ଦିଲୀପ ଖଟେଇଙ୍କ ନାମ ରହିଛି। ଡାକ୍ତରଖାନା ଛକରେ ଥିବା ଟ୍ରାଫିକ୍‌ ଫାଣ୍ଡିକୁ ସେ ନିଜ ଖର୍ଚ୍ଚରେ ନିର୍ମାଣ କରିଛନ୍ତି। ଏହି ଭିତ୍ତିପ୍ରସ୍ତରରେ ପୁଲିସ ଡିଜିଙ୍କ ସହ ତାଙ୍କ ନାମ ରହିଛି। ପୁରୀ ଏସ୍‌ପିଙ୍କର ନାମ କିନ୍ତୁ ଏହି ଫଳକରେ ନାହିଁ। ସେହିଭଳି ଶ୍ରୀମନ୍ଦିର କଡ଼ରୁ ସଦ୍ୟ ଉଚ୍ଛେଦ ହୋଇଥିବା ଶ୍ରୀମନ୍ଦିର ଫାଣ୍ଡି ମଧ୍ୟ ଦିଲ୍ଲୀପ ନିଜ ଅର୍ଥରେ ନିର୍ମାଣ କରିଥିଲେ। ଏଥିରେ ଗୃହ ବିଭାଗ ଟଙ୍କାଟିଏ ଖର୍ଚ୍ଚ କରିନାହିଁ। ପୁରୀରେ ଦୁଇଟି ଫାଣ୍ଡିକୁ ଦିଲୀପ ନିଜ ଖର୍ଚ୍ଚରେ ନିର୍ମାଣ କରିବା ପଛରେ କ’ଣ ରହସ୍ୟ ରହିଛି, ତାହା ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର