ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ : ଶ୍ରୀଜିଉଙ୍କୁ ଦିଆଗଲା ପଥି ଭୋଗ, ଘନ ଅନ୍ଧକାର ଭିତରେ ଗୁପ୍ତ ନୀତି

ପୁରୀ : ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା ଯୋଗୁ ଅଣସର ବାସରେ ରହିଛନ୍ତି ଶ୍ରୀବିଗ୍ରହ। ବିଳମ୍ବିତ ରାତିରେ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ନୀତି। ଏଥିପାଇଁ ଘଣ୍ଟଘଣ୍ଟା ବାଜିବା ସବୁକିଛି ବାରଣ କରାଯାଇଛି। ବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱରପୀଡ଼ିତ ଶ୍ରୀଜିଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି। ଛପନ ପଉଟି ଭୋଗ ବଦଳରେ ଆଜି ଫଳ, ଫୁଲରି ମହାପ୍ରଭୁଙ୍କୁ ଲାଗି ହୋଇଛି। ଦଇତାପତି ସେବକମାନେ ଆଜି ମହାପ୍ରଭୁଙ୍କ ଏହି ଗୁପ୍ତନୀତିକୁ ସଂପାଦନ କରିଛନ୍ତି। ଗୁପ୍ତନୀତିକୁ ଶୃଙ୍ଖଳିତ କରିବା ପାଇଁ ଅଣସର ବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ପଡ଼ିଛି। ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟ୍ଟି ଦିଅଁ ବିଜେ କରିଛନ୍ତି। ପଟ୍ଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ହୋଇଛି। ସେପଟେ ଅଲାରନାଥଙ୍କ ପୀଠରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଆଜିଠୁ ଭକ୍ତମାନଙ୍କର ଭିଡ଼ ଲାଗିଛି।

ଭକ୍ତଙ୍କୁ ସ୍ନାନମଣ୍ଡପରେ ଦିନତମାମ୍‌ ଦର୍ଶନ ଦେଇ ଗତକାଲି ବିଳମ୍ବିତ ରାତିରେ ବାହୁଡ଼ା ପହଣ୍ଡି ପରେ ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଭିତର କାଠ ଏବଂ କଳାହାଟ ଦ୍ଵାର ମଧ୍ୟସ୍ଥିତ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଥିଲା। ଏହି ପିଣ୍ଡିରେ ବୈଦ୍ୟଙ୍କ ପରାମର୍ଶ କ୍ରମେ ଅସୁସ୍ଥ ଶ୍ରୀଜିଉଙ୍କ ଚିକିତ୍ସା ସେବା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଏକା ସଙ୍ଗେ ତିନି ଠାକୁର ଓ ପଟିଦିଅଁଙ୍କ ସେବା କାର୍ଯ୍ୟ ସଂପାଦନ କରିଛନ୍ତି। ଆଜି ସକାଳେ ଶ୍ରୀମନ୍ଦିରରେ ପଟିଦିଅଁଙ୍କଠାରେ ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ସରିଲା ପରେ ବେହରଣ ମଣ୍ଡପ ପାଖ ଅଣସର ଦ୍ଵାର ଖୋଲା ଯାଇଥିଲା। ମଧ୍ୟାହ୍ନ ଧୂପ ସରିବା ପରେ ମୁକ୍ତିମଣ୍ଡପ ସମ୍ମୁଖ ବେହରଣ ମଣ୍ଡପ ଦେଇ ଦଇତାପତି ସେବକମାନେ ଏକମାତ୍ର ଶୁକ୍ଳ (ଧଳା) ବସ୍ତ୍ର ପରିଧାନ ପୂର୍ବକ ଅଣସର ଘରେ ପ୍ରବେଶ କରିଥିଲେ। ସେଠାରେ ଦଇତାପତି ସେବକଙ୍କ ଦ୍ଵାରା ଶ୍ରୀଜିଉଙ୍କ ଗୁପ୍ତ ସେବା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଆଜିଠାରୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଫଳ ଭୋଗ ଲାଗି ହୋଇଥିଲା। ଶ୍ରୀଜିଉଙ୍କୁ ଭୋଗ ଲାଗି ପରେ ଦଇତାପତି ସେବକମାନେ ଏହାକୁ ପ୍ରସାଦ ଆକାରରେ ସେବନ କରିଥିଲେ।

ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ଏହି ଭୋଗ ଅଣସର ଘରୁ ବାହାରକୁ ନଆସିବାର ବିଧି ରହିଛି। ଏଣୁ ଅଣସର ପିଣ୍ଡିରେ ଥିବା ଶ୍ରୀଜିଉଙ୍କୁ ଏହି ଭୋଗ ଲାଗି ହେବା ପରେ ଦଇତାପତିମାନେ ଏହାକୁ ସେବନ କରିଥିଲେ ଏବଂ ବାକି ଭୋଗ ସେହି ଅଣସର ଘରେ ଛାଡ଼ି ଆସିଥିଲେ। ଶ୍ରୀଜିଉ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ବନ୍ଦ ରଖାଯାଇଛି। ଜଗନମୋହନରୁ ଅଣସର ଘର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଠାକୁ ଭକ୍ତଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସେପଟେ ଦୈନନ୍ଦିନ ଭଜନ, କୀର୍ତନ, ଗୀତ, ଘଣ୍ଟଘଣ୍ଟା, ବାଜା ସବୁକୁ ଶ୍ରୀମନ୍ଦିରରେ ନିଷେଧ କରାଯାଇଛି। ପଟ୍ଟି ଦିଅଁ ଭାବେ ଶ୍ରୀମନ୍ଦିରରେ ଆଜିଠାରୁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀ ପୂଜା ପାଉଥିବା ବେଳେ ଏହିଠାରେ ଛପନ ପଉଟି ଭୋଗ ଅନ୍ନ, ପିଠାପଣା ଆଦି ଲାଗି କରାଯାଇଛି। ପଟ୍ଟି ଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ ଓ ନୃସିଂହ ଭଗବାନ ବି ଏଠାରେ ପୂଜା ପାଉଛନ୍ତି। ମହାପ୍ରଭୁଙ୍କ ଲାଗି ଶାଳ ପର୍ଣ୍ଣିି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣିି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆସର ପ୍ରଭୃତି ମିଶାଇ ମହୌଷଧି ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ। ଜୁଲାଇ ୧୩ ତାରିଖରେ ମହାପ୍ରଭୁ ନବଯୌବନରେ ଦର୍ଶନ ଦେବେ। ଏହି ସମୟରେ ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ଶ୍ରୀବିଗ୍ରହମାନଙ୍କର ଗୁପ୍ତ ସେବା କରିବେ। ପ୍ରଭୁଙ୍କ ଅଣସର ବିଜେ ବେଳେ ଶରୀରଚର୍ଯ୍ୟା ବ୍ୟତୀତ ଅଣସର ପଣା, ଘଣାଲାଗି, ଖଳିଲାଗି, ଚକାଅପସର ଆଦି ନୀତି ସଂପନ୍ନ ହେବ।

ସମ୍ବନ୍ଧିତ ଖବର