ଜଗନ୍ନାଥଙ୍କ ଜମି ବିକ୍ରି ଘଟଣା : ନୋଟାରି ବଣ୍ତ ବି ନକଲି, ଥାନାରେ ଏତଲା ଦେଲେ ଆଇନଜୀବୀ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ

ରାଜନଗର : ପୁରୀ ଶ୍ରୀ ଜଗନ୍ନାଥଙ୍କ କୋଟିଏ ଟଙ୍କାର ମୂଲ୍ୟବାନ ଜମିକୁ ନୋଟାରି ବଣ୍ତ୍‌ରେ ବିକ୍ରି କରି ଦିଆଯାଇଛି। ଯେଉଁ ନୋଟାରି ବଣ୍ତ୍‌ରେ ମହାପ୍ରଭୁଙ୍କ ଜମି ବିକ୍ରି ହୋଇଛି, ତାହା ନକଲି ବୋଲି ଜଣାପଡ଼ିଛି। ଆଜି ଆଇନଜୀବୀ ଗୋବର୍ଦ୍ଧନ ରାଉତ ଏ ନେଇ ରାଜନଗର ଥାନାରେ ଏତଲା ଦେବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସେପଟେ ମହାପ୍ରଭୁଙ୍କ ଜମି ଉପରେ ଆମେ କିଛି ପଦକ୍ଷେପ ନେଇପାରିବୁ ନାହିଁ ବୋଲି କହୁଥିବା ତହସିଲ ପ୍ରଶାସନ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ରାଜନଗର–ତାଳଚୁଆ ମୁଖ୍ୟ ରାସ୍ତାର ରାଜନଗର ମୌଜାରେ ଶ୍ରୀ ଜଗନ୍ନାଥଙ୍କର ୩୦ ଡିସିମିଲ ଜମି ରହିଛି। ଏହି ଜମିର ବଜାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ। ଚଞ୍ଚକତା କରି ଜମିର ମାର୍ଫତଦାରଙ୍କ ପରିବାର ଲୋକେ ନୋଟାରି ବଣ୍ତ୍‌ରେ ମହାପ୍ରଭୁଙ୍କ ଜମିକୁ ଭଦ୍ରକ କଲ୍ୟାଣୀନଗର ଅଂଚଳର ସେବତୀ ନାୟକ ସ୍ବା-ପ୍ରଫୁଲ୍ଲ ନାୟକଙ୍କୁ ବିକ୍ରି କରିଦେଇଛନ୍ତି। ଆଜି ବଣ୍ତ୍‌ର ଫଟୋ କପି ସହ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରାଜନଗର ମୌଜାରେ ଖତିୟାନ ନଂ. ୪୩୬, ପ୍ଲଟ ନଂ. ୭୦୩ କିସମ ଶାରଦ ଦୁଇରେ ୧୦ ଡିସିମିଲ ଓ ପ୍ଲଟ ନଂ. ୭୦୪ କିସମ ଶାରଦ ଦୁଇରେ ୨୦ ଡିସିମିଲ ଜମି କେଉଁ ଅବସ୍ଥାରେ ଅଛି…. ଜମିକୁ କିଏ ଜବରଦଖଲ କରିଛି… ଜମି ଉପରେ ବେଆଇନ ଭାବେ କ’ଣ କ’ଣ ନିର୍ମାଣ କରାଯାଇଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ରାଜସ୍ବ ନିରୀକ୍ଷକ କମଳାକାନ୍ତ ମଲ୍ଲିକ ଓ ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚି ମହାପ୍ରଭୁଙ୍କ ଜମିର ସମସ୍ତ ବିବରଣୀ ସଂଗ୍ରହ କରିଛନ୍ତି। ଏହାବାଦ୍‌ ମହାପ୍ରଭୁଙ୍କ ନାଁରେ ଥିବା ଜମି ବେବନ୍ଦୋବସ୍ତ ସ୍ବତ୍ବରେ ରହିଥିବା ଆଜି ତଦନ୍ତ ପରେ ଜଣାପଡିଛି।

ସମ୍ବନ୍ଧିତ ଖବର