ହିଂସା ପରେ ବଦଳିନି ଶ୍ରୀମନ୍ଦିର ପ୍ରଶାସନ : ଭାଙ୍ଗୁଛି ଧାଡ଼ି ଦର୍ଶନ ବ୍ୟବସ୍ଥା, ପୂର୍ବ ପରି ଚାଲିଛି ଦାନଦକ୍ଷିଣା ଆଦାୟ

ପୁରୀ : ବିରି ମାଡ ଦେଖି କୋଳଥ ଚେପା ନ୍ୟାୟରେ ଗତ ୩ ତାରିଖ ପୁରୀ ହିଂସା ଘଟଣା ପରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ, ଦାନଦକ୍ଷିଣା, ଅନ୍ନଦାନ ଆଟିକା ବନ୍ଦ, ଭକ୍ତଙ୍କୁ ଶୋଷଣ ରୋକିବା ନେଇ ଚାଲୁ ହୋଇଥିବା ଏକ ବୃହତ୍‌ ସଂସ୍କାର ପ୍ରୟାସ ସବୁ କିଛି ଆପେ ଆପେ ସ୍ଥାଣୁ ହୋଇଯାଇଛି। କହିବାକୁ ଗଲେ ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥା ପୁଣି ଥରେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ କଥା ଭୁଲି ମନ୍ଦିର ପ୍ରଶାସନ, ଜିଲ୍ଲ‌ା ପ୍ରଶାସନ ପରସ୍ପର ବିପରୀତ ମତ ରଖିବା ଓ ସଂସ୍କାର ବ୍ୟବସ୍ଥାକୁ ନେଇ ନରମ ସ୍ବଭାବ ପ୍ରଦର୍ଶନ କରିବା‌ ଭକ୍ତ ମହଲକୁ ଚକିତ କରିଛି। ଫଳରେ ଶ୍ରୀମନ୍ଦିରରେ ଏକ ବୃହତ୍‌ ସଂସ୍କାର ଆସିବ, ସବୁ କିଛି ବଦଳିଯିବ ବୋଲି ରାଜ୍ୟବାସୀ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଏବର ଘଟଣା ଫିକା ପକାଇ ଦେଇଛି। କହିବାକୁ ଗଲେ ଶ୍ରୀମନ୍ଦିରରେ ପୂର୍ବ ଅବସ୍ଥା ପୁଣି ଫେରିଆସିଛି। ସ୍ଥାନୀୟ ନେତାଙ୍କ କୋପ, ‌ସରକାରୀ କଳର ପଛଘୁଞ୍ଚା, ସେବାୟତଙ୍କ ଜିଦ୍ ଏବଂ ସର୍ବୋପରି ରାଜନୀତିର ଆରୋପ-ପ୍ରତ୍ୟାରୋପ ଯୋଗୁ ଶ୍ରୀମନ୍ଦିର ସଂସ୍କାର ଆପଣାଛାଏଁ ବନ୍ଦ ହେବାକୁ ବସିଛି। ମନ୍ଦିର ପ୍ରଶାସନ ମଧ୍ୟ ବିଚଳିତ ‌େହାଇ ଭିନ୍ନ ମତ ପୋଷଣ କରୁଛି। ଗତ କିଛି ଦିନ ‌େହଲା ଧାଡି ଦର୍ଶନକୁ ନେଇ ଆଉ ସେମିତି କଟକଣା ନାହିଁ। ଯିଏ ଯେଉଁ ଦ୍ବାର ଦେଇ ଯାଆସ କରୁଛି। ପରିିଚୟପତ୍ର ବି ଦେଖାଇବାକୁ ପଡୁନି। ଦାନଦକ୍ଷିଣା ପୂର୍ବଭଳି ଚାଲିଛି। ହିଂସା ଦେଖି ଚେପା ନ୍ୟାୟରେ ମନ୍ଦିିର ପ୍ରଶାସନ ଥଣ୍ଡା ପଡ଼ିଯାଇଛି। ଯେମିତି ଚାଲିଛି ଚାଲିଥାଉ…ନୀତିରେ ମନ୍ଦିରକୁ ଆଗକୁ ନେଉଛି।

ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ନେଇ ଗତ ୩ ତାରିଖରେ ପୁରୀରେ ମହାଭାରତ ହୋଇଥିଲା। ପ୍ରଶାସନ କିଛି ନ ବୁଝି ବାଇଶି ପାହାଚ ଖୋଳି ଦେବା ଏବଂ ବ୍ୟାରିକେଡ୍‌ ବସାଇ ଲୋକଙ୍କ ରୋଷର ଶିକାର ହେଲା। ହିଂସାରେ ୨ କୋଟି ଟଙ୍କାର ସଂପତ୍ତି ନଷ୍ଟ ‌େହଲା। ଘଟଣା ଦିନ ଜିଲ୍ଲାପାଳ ତୁରନ୍ତ ଶାନ୍ତି କମିଟି ଡାକି ନିଷ୍ପତ୍ତି ନେଇଗଲେ। କହିଲେ, ପୁରୀବାସୀ ପରିଚୟପତ୍ର ଦେଖାଇ ୪ ଦ୍ବାର ବାଟେ ପ୍ରବେଶ କରିପାରିବେ। ଏଥି ପାଇଁ ଜିଲ୍ଲାପାଳ ମନ୍ଦିର ପରିଚାଳନା କମିଟିର ସୁପାରିସକୁ ବି ଅପେକ୍ଷା କଲେ ନାହିଁ। ଏଠି ପ୍ରଶ୍ନ ଉଠୁଛି, ଜିଲ୍ଲାପାଳଙ୍କୁ ଏ ଅଧିକାର କିଏ ଦେଇଥିଲା? ଯଦି ଧାଡି ଦର୍ଶନକୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା, ଜିଲ୍ଲାପାଳ ଏଥିରେ କିଭଳି ପରିବର୍ତ୍ତନ କଲେ? ଅନ୍ୟପକ୍ଷରେ ଜିଲ୍ଲାପାଳ ଘଟଣା ଦିନ ହିଂସା ନିୟନ୍ତ୍ରଣ ପାଇଁ ଡାକିଥିବା ଶାନ୍ତି କମିଟିର ସଭ୍ୟଙ୍କ ନାମରେ ପୁଲିସ ସଂଗିନ ଦଫା ଲଗାଇଛି। ଏବେ ପୁଲିସ ସେମାନଙ୍କୁ ଗିରଫ କରିବାକୁ ଯୋଜନା କରୁଛି। ଜିଲ୍ଲାପାଳ ପ୍ରଥମେ ଶାନ୍ତି କମିଟି ବୈଠକ ଡାକିବା ଏବଂ ଏସ୍‌ପି ଏହାକୁ ଅସ୍ବୀକାର କରିବା ଘଟଣାରେ ପ୍ରଶାସନିକ ସମନ୍ବୟର ଘୋର ଅଭାବ ଜଳଜଳ ହୋଇ ଦେଖାଯାଉଛି। ପୁଣି ଶାନ୍ତି କମିଟି ବୈଠକ ଡାକି ସଦସ୍ୟମାନଙ୍କ ବିରୋଧରେ ଜାମିନବିହୀନ ଦଫା ଲଗାଇବା କେତେ ଦୂର ସମୀଚୀନ ବୋଲି ପ୍ରଶ୍ନ ଉଠିଛି। ଏଭଳି ପରିସ୍ଥିତିରେ ପୁଣି ଥରେ ମନ୍ଦିର ପ୍ରଶାସନ ଧାଡି ଦର୍ଶନରେ ଭଟ୍ଟା ପକାଇଛି। କାର୍ତ୍ତିକ ବ୍ରତଧାରୀ ଏବଂ ହବିଷ୍ୟାଳି ଚାରି ଦ୍ବାର ଦେଇ ମନ୍ଦିର ଭିତରକୁ ଯାଇ ପାରିବେ ବୋଲି କୁହାଯାଇଛି। ଅର୍ଥାତ ଯିଏ ହବିଷ୍ୟାଳି କହିବେ ସେ ମନ୍ଦିର ଭିତରକୁ ଯିବେ। ପ୍ରଶାସନର ଦୂରଦୃଷ୍ଟି ଅଭାବ ମନ୍ଦିର ସଂସ୍କାର ବ୍ୟବସ୍ଥାକୁ ପଛକୁ ଟାଣିଛି। ଖାଲି ସେତିକି ନୁହେଁ, ମନ୍ଦିରରେ ଏବେ ଦାନଦକ୍ଷିଣା ବି ଖୋଲାଖୋଲି ଆଦାୟ କରାଯାଉଛି। ସୁପ୍ରିମକେ‌ାର୍ଟ ଶ୍ରୀମନ୍ଦିର ସଂସ୍କାରକୁ ନେଇ ଯେଉଁ ୧୨ଟି ଅନ୍ତରୀଣ ଆଦେଶ ଦେଇଥିଲେ ଏହାକୁ ପାଳନରେ ଶ୍ରୀମନ୍ଦିର ପ୍ରଶାସନ ବିଫଳ ହୋଇଛି।

ସମ୍ବନ୍ଧିତ ଖବର