ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ : ମୁଖ୍ୟ ମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କାମ ଶେଷ ହୋଇଛି। ଆଜି ପୂର୍ତ୍ତ ବିଭାଗ, ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସ୍‌ଆଇ) ଓ ବୈଷୟିକ ପରାମର୍ଶଦାତା କମିଟିର ଏକ ବିଶେଷଜ୍ଞ ଦଳ ମିଳିତ ଭାବେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିଛନ୍ତି। ଶ୍ରୀଜିଉମାନେ ଏବେ ଶ୍ରୀମନ୍ଦିରରେ ନଥିବାରୁ ନିଳାଦ୍ରୀ ବିଜେ ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ କାମ ସାରିବାକୁ କୁହାଯାଇଛି। ଗର୍ଭଗୃହ ଓ ଜଗମୋହନ ଯାଞ୍ଚ ପରେ ଏ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯାଞ୍ଚ କମିଟି ଆଜି ଜଗମୋହନ, ଗର୍ଭଗୃହ, ନାଟମଣ୍ଡପ, ଭୋଗମଣ୍ଡପ ଓ ରୋଷ ଘର ସ୍ଥିତି ଅନୁଧ୍ୟାନ କରିଛନ୍ତି। କମିଟି ଅନୁଧ୍ୟାନ କରିବା ବେଳେ ଆଜି ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ପ୍ରଥମ ମହଲାରେ ପାଣି ଗଳୁଥିବା ନଜରକୁ ଆସିଥିଲା। ରଥଯାତ୍ରା ପରେ ମୁଖ୍ୟ ମନ୍ଦିରର ବାହାର ପାର୍ଶ୍ୱରୁ ଏହାର ମରାମତି କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଗର୍ଭଗୃହରେ ଜମି ଥିବା କଳାଧଳା ଆସ୍ତରଣକୁ ନେଇ କମିଟି ଚିନ୍ତା ପ୍ରକଟ କରିଛି। ଏଏସ୍‌ଆଇ ପକ୍ଷରୁ ଏହି ଆସ୍ତରଣ ଛଡା ଯାଇ ରସାୟନିକ ପ୍ରଲେପ ଦିଆଯିବ। ଆସନ୍ତା ୨୧ରୁ ୨୨ ତାରିଖ ସୁଦ୍ଧା ଜୟବିଜୟ ଦ୍ଵାର ମରାମତି କାମ ଶେଷ ହେବ। ଜଗମୋହନ ଓ ନାଟମଣ୍ଡପର ସଂଯୋଗ ସ୍ଥଳ ତଥା ଜୟବିଜୟ ଦ୍ଵାର ନିକଟ ଛାତର ମଧ୍ୟ ମରାମତି କରାଯିବ। ଏହି ସ୍ଥାନରେ ତିନୋଟି ବିମ୍‌ ଦିଆଯିବ। ଜଗମୋହନରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପାଇଁ ଏସି ଲାଗିବ। ସେହିଭଳି ଜଗମୋହନର ପୋର୍ଟାଲ ଫ୍ରେମ୍‌ ଉପଯୁକ୍ତ ଭାର ବହନ କରୁଛି କି ନାହିଁ ଏହାର ଯାଞ୍ଚ ପାଇଁ ଲୋଡ୍‌ସେଲ୍‌ ଦିଆଯିବ। ବିଶେଷଜ୍ଞ ଦଳ ନାଟମଣ୍ଡପର ସ୍ଥିତି ମଧ୍ୟ ଯାଞ୍ଚ କରିଛି। ନାଟମଣ୍ଡପର ପ୍ଲାଷ୍ଟର ସ୍ଥିତି ଠିକ୍‌ ଅଛି କି ନାହିଁ ଆସନ୍ତାକାଲିଠାରୁ ତାର ସ୍ଥିତି ମଧ୍ୟ ଯାଞ୍ଚ ହେବ। ଦୁର୍ବଳ ପ୍ଲାଷ୍ଟରକୁ ଛଡାଇ ଦିଆଯିବ। ଅଳ୍ପ ଦୁର୍ବଳ ଥିବା ପ୍ଲାଷ୍ଟର ଉପରେ କେମିକାଲ ପ୍ରଲେପ ଦିଆଯିବ। ଗରୁଡସ୍ତମ୍ଭ ଚାରିପାଖ ଚଟାଣରେ ପଡିଥିବା ପଥର ବାହାର କରାଯାଇ ପୁଣି ପକାଯିବ। ଭୋଗ ମଣ୍ଡପର ନଷ୍ଟ ହୋଇଥିବା ଚଟାଣ ପଥର ବାହାର କରାଯିବ। ଭୋଗମଣ୍ଡପରେ ରହିଥିବା ସ୍ତମ୍ଭକୁ ଏଏସ୍‌ଆଇ କେମିକାଲ ବିଭାଗ ପକ୍ଷରୁ ସଫା କରାଯିବ। ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତି କଣ ରହିଛି ସେ ନେଇ ମଧ୍ୟ ଅନୁଧ୍ୟାନ କରାଯିବ। ଏବେ ରୋଷଘର ମହାପ୍ରସାଦ ବନ୍ଦ ରହିଥିବାରୁ ଆସନ୍ତା ୨୪ ତାରିଖ ପୂର୍ବରୁ ରୋଷଘର ଛାତ ଓ ଆବଶ୍ୟକ ମରାମତି କାମ ମଧ୍ୟ ଶେଷ ହେବ। ଯାଞ୍ଚ ବେଳେ କମିଟି ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ବୈଷୟିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିତ୍ର, କମିଟି ସଦସ୍ୟ ଇଂ. ଡି.ପି ମିଶ୍ର, ଇଂ. ପଦ୍ମଲୋଚନ ମହାପାତ୍ର, ଏନ୍‌.ସି ପାଲ,ଏଏସ୍‌ଆଇ କଲିକତାର ଆଞ୍ଚଳିକ ନିର୍ଦେଶକ ନନ୍ଦିନୀ ଭଟ୍ଟାଚାର୍ଯ୍ୟ, ଏଏସ୍‌ଆଇ ନୂଆଦିଲ୍ଲୀର ସୁପରିଟେଣ୍ଡିଂ ଇଂଜିନିୟର ଗିରିଶ କୁଲକର୍ଣ୍ଣି, ଏଚ୍‌.ଏ ନାୟକ, ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗର ପୂର୍ବତନ ଅଧ୍ୟକ୍ଷ ବିଜୟ ରଥ, ଶ୍ରୀମନ୍ଦିର ଅଧିକ୍ଷଣ ଯନ୍ତ୍ରୀ ବିନ୍ଧେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର