ରତ୍ନ ଭଣ୍ଡାର ଚାବି ପାଇଁ ଚିନ୍ତା

ସେବାୟତଙ୍କ ପକ୍ଷରୁ ଥାନାରେ ଏତଲା

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବା ଘଟଣାକୁ ଆଜି ଟାଉନ୍‌ ଥାନାରେ ଜଣେ ସେବାୟତଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ମଣିକର୍ଣ୍ଣିକା ସାହି ନିବାସୀ ନରସିଂହ ପୂଜାପଣ୍ଡା ତାଙ୍କ ସହଯୋଗୀମାନଙ୍କୁ ନେଇ ଆଜି ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ଲିଖିତ ଅଭିଯୋଗ କରିଛନ୍ତି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରତ୍ନଭଣ୍ଡାର ଚାବି ସରକାରୀ ତହବିଲ ବା ସରକାରୀ ଟ୍ରେଜେରିରୁ ଚୋରି ହୋଇ ଉଭାନ ହୋଇଯାଇଛି। ଏହି ଘଟଣାକୁ ନେଇ ଭକ୍ତମାନଙ୍କ ମନରେ ଓ ହୃଦୟରେ କଠୋର ଆଘାତ ଦେବା ସହିତ ଧାର୍ମିକ ଭାବନା ପ୍ରତି ମଧ୍ୟ କୁଠାରଘାତ ହୋଇଛି। ପୁଲିସର କାମ ଚୋର ଧରିବା ଏବଂ ବିଗତ ଦିନରେ ଶ୍ରୀମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବା ବେଳେ ସେତେବେଳର ଏସପି ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ତତ୍ପରତା ପ୍ରକାଶ କରି ମୂର୍ତ୍ତି ଚୋରର ପର୍ଦ୍ଦାଫାସ କରିଥିଲେ। ଶ୍ରୀମନ୍ଦିର ପରିସରରେ ଥିବା କୁଅ ଭିତରୁ ମୂର୍ତ୍ତିକୁ ଉଦ୍ଧାର କରାଯାଇଥିଲା। ତେଣୁ ପୁଲିସ ନିଶ୍ଚିତ ଭାବରେ ଏହି ଚାବି ଚୋରକୁ ଧରିପାରିବ। ମାତ୍ର ରତ୍ନଭଣ୍ଡାରର ଚାବି ଚୋରି ହୋଇଥିବା ଜାଣି ଏ ପର୍ଯ୍ୟନ୍ତ କାହିଁକି ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇନଥିଲା ସେ ପ୍ରଶ୍ନ କରିଛନ୍ତି। ଆଜି ପୂର୍ବାହ୍ନ ୧୧ ଟା ସମୟରେ ନରସିଂହଙ୍କ ସମେତ ଆଇନଜୀବୀ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଅନ୍ୟମାନେ ଟାଉନ ଥାନାରେ ପହଞ୍ଚି ଏହି ଅଭିଯୋଗପତ୍ର ଆଇଆଇସି ଉମାଶଙ୍କର ସିଂଙ୍କୁ ପ୍ରଦାନ କରି ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ଡାକିଲା ଜରୁରୀ ବୈଠକ

ପୁରୀ : ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ଦେଇଥିବା କିଛି ଗୁରୁତ୍ଵପୂର୍ଣର୍ ନିର୍ଦ୍ଦେଶକୁ ପାଳନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ନିର୍ଦ୍ଦେଶ ମିଳିବା ମାତ୍ରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଉପସ୍ଥିତିରେ ଏକ ଗୁରୁତ୍ଵପୂର୍ଣର୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରୁଦ୍ଧଦ୍ଵାର ବୈଠକରେ କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ମିଳୁଥିବା ଦାନ ଅର୍ଥକୁ ଶ୍ରୀମନ୍ଦିରରେ ସେବାୟତ କିମ୍ବା କର୍ମଚାରୀ ଗ୍ରହଣ କରିପାରିବେ ନାହିଁ ବୋଲି ଯେଉଁ ନିର୍ଦ୍ଦେଶ ରଖିଛନ୍ତି ତାକୁ ପାଳନ କରିବାକୁ ଆଲୋଚନା ହୋଇଥିଲା। ଖୁବଶୀଘ୍ର ଏ ସଂପର୍କରେ ସମସ୍ତ ନିଯୋଗକୁ ଅବଗତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି।

ଲକର୍‌କୁ ଗଲା ୧୪ କେଜି ଦାନ ସୁନା

ପୁରୀ : ମହାପ୍ରଭୁଙ୍କୁ ଦାନ ସୂତ୍ରରେ ମିଳୁଥିବା ସୁନା ଅଳଙ୍କାରକୁ ଆଜି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସ୍ଥାନୀୟ ମୁଖ୍ୟ ଶାଖାର ଏକ ସ୍ୱତନ୍ତ୍ର ଲକର୍‌ରେ ରଖାଯାଇଛି। ଦାନ ସୂତ୍ରରେ ମିଳିଥିବା ମୋଟ ସୁନାରୁ ୧୪ କିଲୋ ୫୦୦ ଗ୍ରାମ ସୁନା ଆଜି ଏହି ଲକର୍‌ରେ ରଖାଯାଇଛି। ତେବେ ୮୦୦ ଗ୍ରାମ ସୁନା ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଉପପ୍ରଶାସକ ଅର୍ଥ କିଶୋର ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଦାନ ଟଙ୍କା ରଖାଯାଇଛି। ୧୯୮୩ରୁ ୧୯୯୩ ପର୍ଯ୍ୟନ୍ତ ଯାହା ସୁନା ଆସିଥିଲା ତାହା ଲକର୍‌ରେ ରଖାଯାଇଥିଲା। ମାତ୍ର ଅବଶିଷ୍ଟ ସୁନା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରହିଥିଲା। ଏ ନେଇ ସମ୍ବାଦ ପକ୍ଷରୁ ଗତ ୩୧ ତାରିଖ ଦିନ ମହାପ୍ରଭୁଙ୍କ ଦାନ ଅଳଙ୍କାରକୁ ଲକର୍‌ରେ ରଖା ନଯାଇ ଶ୍ରୀମନ୍ଦିର ପ୍ରଶାସନ କର୍ତୃତ୍ଵରେ କାର୍ଯ୍ୟାଳୟରେ ରଖାଯାଉଥିବା ନେଇ ଏକ ଖବର ପ୍ରକାଶ ପାଇଥିଲା। ପରେ ଏ ନେଇ ତନଘନା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଥିବା ସୁନାକୁ ଲକର୍‌ରେ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ଏସ୍‌ବିଆଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଏକ ସ୍ୱତନ୍ତ୍ର ଲକର୍‌ ଖୋଲାଯାଇ ଏହି ଅଳଙ୍କାର ସବୁ ରଖାଯାଇଥିଲା। ପ୍ରକାଶ ଯେ, ଗତ ୧୯୮୩ରୁ ୨୦୧୮ ଜାନୁଆରି ପର୍ଯ୍ୟନ୍ତ ଶ୍ରୀମନ୍ଦିର ହୁଣ୍ଡିରୁ ୧୮ କେଜି ୨୬୧ ଗ୍ରାମ ସୁନା ଓ ୧୨୦ କେଜି ରୂପା ମିଳିଥିଲା। ତେବେ ଏହି ସୁନାକୁ ଲକ୍‌ରରେ ରଖା ନଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଉଥିଲା। ଏବେ ଏହାକୁ ନେଇ ଲକ୍‌ରରେ ରଖାଯାଇଛି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ସମ୍ବନ୍ଧିତ ଖବର