ପୁରୀ : ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଭାବେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଯୋଗଦେବା ପରେ ଆଜି ପ୍ରଥମ କରି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସ୍ନାନପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥାବଳୀ ପାରିତ ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି ବୈଠକରେ ରୋକଠୋକ ଆଲୋଚନା ହୋଇଛି। କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ, ଯିଏ ବି ବିଶୃଙ୍ଖଳା କରିବ ତାଙ୍କୁ ତୁରନ୍ତ ଗିରଫ କରାଯିବ। ସେ ସେବାୟତ, ଅଧିକାରୀ, କର୍ମଚାରୀ ଯିଏ ବି ହୁଅନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ କରାଯିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ନାନପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସ୍ପର୍ଶ ଉପରେ କଡା କଟକଣା ଜାରି କରାଯାଇଛି। ସେବା ପୂଜା ନଥିବା ବେଳେ ଅଯଥାରେ ମହାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କେହି ଦର୍ଶନରେ ବିଶୃଙ୍ଖଳା କରିପାରିବେ ନାହିଁ। ସ୍ନାନ ପୂର୍ଣ୍ଣିମା ଦିନ ପହଣ୍ଡି ସମୟରେ ସୀମିତ ସଂଖ୍ୟକ ଘଣ୍ଟୁଆଙ୍କୁ ସ୍ନାନମଣ୍ଡପ ଉପରକୁ ଅନୁମତି ମିଳିବ। ଅନ୍ୟମାନେ ମଣ୍ଡପ ତଳେ ରହିବେ। ଶୋଧ ସରିବା ପରେ ଅପ୍ରାଧିକୃତ ସେବକମାନଙ୍କୁ ମଣ୍ଡପ ତଳକୁ ଓହ୍ଲାଇ ଦିଆଯିବ। ପହଣ୍ଡି ବିଜେ ଓ ରୁନ୍ଧା କାମ ସରିବା ପରେ ଠାକୁରଙ୍କ ସମ୍ମୁଖ ଭାଗରେ ସେବକମାନେ ରହିବେ ନାହିଁ। ଶ୍ରୀବିଗ୍ରହମାନଙ୍କ ଶ୍ରୀଭୁଜ ଭିତରେ କୌଣସି ଅଙ୍ଗରେ ଭରା ଦେଇ କେହି ବି ସେବକ ଛିଡା ହୋଇପାରିବେ ନାହିଁ। ଏ କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡାଯାତ୍ରା, ସୁନାବେଶ,ନିଳାଦ୍ରୀ ବିଜେ ସବୁଥିରେ ବଳବତ୍ତର ରହିବ।
ସେବା ପୂଜା ନ ଥିଲେ ଅନାବଶ୍ୟକ ଭାବେ କୌଣସି ସେବକ ମହାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କରିପାରିବ ନାହିଁ। ଏପରିକି ଶ୍ରୀଭୁଜ ତଳେ ମଧ୍ୟ ବସିବେ ନାହିଁ। ଭୁଜ ବାହାରେ କେବଳ ଦଇତାପତି ସେବକମାନେ ରହିପାରିବେ। ଜଳଲାଗି ସମୟରେ ଗରାବଡୁ ସେବକଙ୍କ ବ୍ୟତୀତ ଅନ୍ୟ ସେବକ ଜଳଗଡୁ ସ୍ପର୍ଶ କରିପାରିବେ ନାହିଁ। ବେଶ ସାମଗ୍ରୀ ହସ୍ତାନ୍ତର କରିବା ପରେ ମଠ ସେବକମାନେ ତଳକୁ ଓହ୍ଲାଇବେ। ସେମାନେ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ।
ସେହିଭଳି ୧୩ ତାରିଖ ନବ ଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡାଯାତ୍ରାର ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି। ଶ୍ରୀଜିଉଙ୍କ ନବ ଯୌବନ ନେତ୍ରୋତ୍ସବ ଦିନ ଭିତରକାଠ ନିକଟରେ ସାହାଣ ମେଲା ଓ ପରିମାଣିକ ଦର୍ଶନ କରାଯିବ। ରଥଯାତ୍ରା ଦିନ କୌଣସି ଦର୍ଶନାର୍ଥୀ ଓ ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପ ଭିତରକୁ ଯାଇପାରିବେ ନାହିଁ। ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ଦର୍ଶନ ପାଇଁ ଟିକେଟ ମୂଲ୍ୟ ୫୦ ଟଙ୍କା ଓ ଓ ପହଣ୍ଡି ଦର୍ଶନ ପାଇଁ ଟିକେଟର ମୂଲ୍ୟ ସର୍ବାଧିକ ୫ ହଜାର ଟଙ୍କା ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ କେତେ ସଂଖ୍ୟକ ଟିକେଟ୍ ବିକ୍ରି କରାଯିବ ତାହା ଏସ୍ପି ସ୍ଥିର କରିବେ। ଗୁଣ୍ଡିଚା ଯାତ୍ରା ଦିନ ସିଂହଦ୍ଵାର ସୂଚନା କେନ୍ଦ୍ର ଠାରେ ଓ ବାହୁଡା ଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିର ସୂଚନା କେନ୍ଦ୍ରରେ ଟିକଟ ବିକ୍ରି କରାଯିବ। ଅନଧିକୃତ ବ୍ୟକ୍ତିମାନେ ରଥ ଆରୋହଣ କରିପାରିବେ ନାହିଁ କି ଶ୍ରୀଜିଉଙ୍କ ସ୍ପର୍ଶ କରିପାରିବେ ନାହିଁ। ପହଣ୍ଡି ସମୟରେ ଟାହିଆ ସୁରକ୍ଷା ପ୍ରତି ଦଇତାପତି ସେବକ ଦୃଷ୍ଟି ଦେବେ। ରଥ ଚାରମାଳ ଉପରକୁ କ୍ୟାମେରା ଓ ମୋବାଇଲ ଯିବ ନାହିଁ। ପହଣ୍ଡି ବେଳେ ବେଦପାଠୀମାନେ କର୍ଡନ ବାହାରେ ରହିବ, ସର୍ବାଧିକ ୧୦ ଜଣ ବେଦ ପାଠ କରିପାରିବେ।
ଛେରା ପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯାଇପାରିବେ ନାହିଁ। ବଳଭଦ୍ରଙ୍କ ରଥରେ ୭୦ ଜଣ, ସୁଭଦ୍ରାଙ୍କ ରଥରେ ୬୦ ଓ ଜଗନ୍ନାଥଙ୍କ ରଥରେ ୮୦ ଜଣ ରହିପାରିବେ। ରଥ ଉପରେ ଥଣ୍ଡା ପାନୀୟ, ବୋତଲ ନିଷିଦ୍ଧ ରହିବ। ମୋବାଇଲ ନେବାକୁ କାହାକୁ ଅନୁମତି ରହିବ ନାହିଁ। ରଥଟଣା ସମୟରେ କୌଣସି ସଂକୀର୍ତ୍ତନ ମଣ୍ଡଳୀ ବ୍ୟାନର ଧରି ଆଗରେ ସଂକୀର୍ତ୍ତନ କରିପାରିବେ ନାହିଁ।