ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରକ୍ରିୟା ଆରମ୍ଭ : ଗରୁଡ଼ ସ୍ତମ୍ଭ ବିମ୍‌ ପାଖରେ ବନ୍ଧା ହେଲା ଭାରା

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରକ୍ରିୟା ପୁଣିଥରେ ଆରମ୍ଭ ହୋଇଛି। ଗତ ଅଗଷ୍ଟ ମାସରେ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ନାଟମଣ୍ଡପ ବିମ୍ ଫାଟ ସ୍ଥିତି ଜାଣିବା ପାଇଁ ଆଜିଠାରୁ ଲୋୟର ମନିଟରିଂ ସିଷ୍ଟମ ଲଗାଇବା ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟତଃ ଗରୁଡ଼ ସ୍ତମ୍ଭ ବିମ୍‌ ପାଖରେ ଏକାଧିକ ବଡ଼ ଫାଟ ରହିଥିବାରୁ ଏହିଠାରେ ହିଁ ଲୋୟର ମନିଟରିଂ ସିଷ୍ଟମ ଲଗାଯିବାକୁ ସ୍ଥିର ହୋଇଛି। ଏଥିପାଇଁ ଆଜି ଗରୁଡ଼ ସ୍ତମ୍ଭ ନିକଟ ବିମ୍‌ ତଳେ ଭାରାବନ୍ଧା ହୋଇଛି। ଟେକ୍ନିକାଲ ଟିମ୍‌ ଜରିଆରେ ଚାରିଦିନ ଭିତରେ ଏହାକୁ ଲଗାଯିବା ପରେ ସ୍ଥିତି ଅନୁଧ୍ୟାନ ହେବ ଓ ସେହି ଅନୁଯାୟୀ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଗତ ଅଗଷ୍ଟ ୨୧, ୨୨ ଓ ୨୩ ତାରିଖ ତିନିଦିନ ଧରି ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଥିଲା। ସେଥିରେ ଆଇଆଇଟି ମାଡ୍ରାସର ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ବରିଷ୍ଠ ଅଧିକାରୀମାନେ ନାଟମଣ୍ଡପର ସ୍ଥିତି ଯାଞ୍ଚ କରି ଫାଟର ମାତ୍ରା, କେତେ ଦିନର ଫାଟ, ଆଗକୁ ଏ ନେଇ ବିପଦ ଅଛି କି ନାହିଁ, ସେ ସଂପର୍କରେ ଜାଣିବା ପାଇଁ ଲୋୟର ମନିଟରିଂ ସିଷ୍ଟମ(ହେଲ୍ଥ ମନିଟରିଂ ସିଷ୍ଟମ) ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଆଇଆଇଟି ମାଡ୍ରାସ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ କ୍ରାକ ମିଟର, ଟିଲସ ମିଟର ଆଦି ଲଗାଯିବ। ଜିପିଆରଏସ ଭଳି ଏହି ସିଷ୍ଟମ ନାଟମଣ୍ଡପର ସ୍ଥିତି କମ୍ପ୍ୟୁଟରରେ ଦେଖାଇବ।

ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀ ଚିତ୍ତରଂଜନ ଦାସ କହିଛନ୍ତି, ଲୋୟର ମନିଟରିଂ ସିଷ୍ଟମ ପାଇଁ ଆବଶ୍ୟକ ସରଞ୍ଜାମ ଆସି ପହଞ୍ଚି ସାରିଛି। ଆଇଆଇଟି ମାଡ୍ରାସର କର୍ମଚାରୀମାନେ ଆସି ପହଞ୍ଚି ସାରିଛନ୍ତି। ଆଜିଠାରୁ ଲୋୟର ମନିଟରିଂ ସିଷ୍ଟମ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଚାରି ଦିନ ଭି‌ତରେ ଏହି କାମ ସରିଯିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ନାଟମଣ୍ଡପରେ ୧୬ଟି ବିମ୍‌ ରହିଛି। ଯେଉଁଥିରେ ୪ଟି ମୁଖ୍ୟ ବିମ ନାଟମଣ୍ଡପକୁ ଚାରିପାଖରୁ ଧରିରଖିଛି। ବାକି ତିନିଟି ଲେଖା ବିମ ମୁଖ୍ୟ ବିମକୁ ସପୋର୍ଟ ପାଇଁ ଏହା ତଳେ ଦିଆଯାଇଛି। ଗରୁଡ଼ ସ୍ତମ୍ଭ ସମ୍ମୁଖ ଉପର ବିମରେ ଏକାଧିକ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ ଏହିଠାରୁ ହିଁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର