ଅନ୍ନଦାନ ଆଟିକାକୁ ନେଇ ପ୍ରଶାସନ-ସେବାୟତ ମୁହାଁମୁହିଁ

ପୁରୀ : ଶ୍ରୀମନ୍ଦିରରେ ଅନ୍ନଦାନ ଆଟିକାକୁ ନେଇ ବିବାଦ ଦେଖାଦେଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଶ୍ରୀମନ୍ଦିରରେ ଅନ୍ନଦାନ ଭୋଗ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ‌େସବାୟତ-ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଅନ୍ନଦାଦ ଆଟିକା ସେବାୟତଙ୍କ ଅଧିକାର। ଏଥିରେ ପ୍ରଶାସନର କିଛି ହକ୍ ନାହିଁ ବୋଲି ସେବାୟତମାନେ ରୋକଠୋକ ଶୁଣାଇ ଦେବା ପରେ ବୈଠକ ବିଫଳ ହୋଇଥିଲ‌ା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ପୁନର୍ବାର ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି।

ପ୍ରକାଶ ଯେ, ଶ୍ରୀମନ୍ଦିରରେ ଅନ୍ନଦାନ ଆଟିକାକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତି ମୁତାବକ, ଶ୍ରୀମନ୍ଦିରରେ ଭୋଗ କାର୍ଯ୍ୟାଳୟ ଖୋଲିବ। ଏଠାରେ କମ୍ପ୍ୟୁଟର ଲାଗିବ। ଆୟର ଅଡିଟ ହେବ। ମନ୍ଦିର ପ୍ରଶାସନ ଏଥିରୁ କିଛି ଅଂଶ ପାଇବ। ଏ ନେଇ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ଅମୃତ ମଣୋହି ଦାନ ଯୋଜନା ରାଜ୍ୟ ସରକାର ବନ୍ଦ କରିବା ପରେ ଅନ୍ନଦାନ ଆଟିକା ସେବକଙ୍କ ଅଧିକାର ବୋଲି ରାଜ୍ୟ ସରକାର କହି ସାରିଥିବା ବେଳେ ଏଥିରେ ପ୍ରଶାସନକୁ କିଛି ଅଂଶ କାହିଁକି ଦିଆଯିବ ବୋଲି ସେବକମାନେ ପ୍ରଶ୍ନ କରିଥିଲେ। ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ, ସେବାୟତ ମହାବୀର ପଢିଆରୀ, କୃଷ୍ଣଚନ୍ଦ୍ର ସାମନ୍ତରାୟ, ଅନନ୍ତ ତିଆଡି, ମାଧବ ଚନ୍ଦ୍ର ପୂଜା ପଣ୍ଡା ସାମନ୍ତ, ତଳୁଛ ନୀଳକଣ୍ଠ ମହାପାତ୍ର, ରଜତ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର