ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ : ସୋସିଆଲ୍ ମିଡିଆରେ ଛାଡ଼ିଲେ ଇସ୍କନ୍ ସେବକ

ପୁରୀ : ଶ୍ରୀମନ୍ଦିର କିଛି ଆପତ୍ତିଜନକ ଫଟୋ ପୁଣି ଥରେ ଭାଇରାଲ୍ ହୋଇଛି। ଅନ୍ୟ କେଉଁଠୁ ନୁହେଁ, ଶ୍ରୀମନ୍ଦିର ପରିସରରେ ଥିବା ଶ୍ରୀମନ୍ଦିର ପ୍ରଶାସନର ଶାଖା କାର୍ଯ୍ୟାଳୟ ନିକଟରୁ ଏହି ଫଟୋ ଉତ୍ତୋଳନ କରାଯାଇଛି। ଗୁଜରାଟର ସୁରତରୁ ଆସିଥିବା ଜଣେ ଇସ୍କନ୍ ସେବକ ଶ୍ରୀମନ୍ଦିର ଭିତରେ ଏହି ଫଟୋ ଉତ୍ତୋଳନ କରି ଏହାକୁ ଗତକାଲି ନିଜ ଫେସବୁକ୍ ଆକାଉଣ୍ଟରେ ଭାଇରାଲ୍ କରିଛନ୍ତି।

ବାରମ୍ବାର ଶ୍ରୀମନ୍ଦିରର ଅନେକ ଆପତ୍ତିଜନକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ଶ୍ରୀମନ୍ଦିରରେ ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ଇଙ୍ଗିତ କରୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଳା ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫେସ୍‌ବୁକ୍ ଆକାଉଣ୍ଟରେ ନିଜକୁ ଇସ୍କନ୍ ସେବକ ବୋଲି ପରିଚୟ ଦେଉଥିବା ତେଜସ୍ ସେଲର ଗତକାଲି ଶ୍ରୀମନ୍ଦିରର ଏକ ସଂଧ୍ୟାକାଳୀନ ଫଟୋ ନିଜ ଫେସବୁକ୍ ଆକାଉଣ୍ଟରେ ଛାଡ଼ିଥିଲେ। ଯେଉଁ ଫଟୋ ସୋସିଆଲ୍ ମିଡିଆରେ ଛଡ଼ାଯାଇଛି, ସେଥିରୁ ଆନନ୍ଦବଜାର ନିକଟରେ ରହିଥିବା ଶ୍ରୀମନ୍ଦିର ପ୍ରଶାସନର ଶାଖା କାର୍ଯ୍ୟାଳୟ ନିକଟରେ ଛିଡ଼ା ହୋଇ ତେଜସ୍ ଫଟୋଟିକୁ ଉତ୍ତୋଳନ କରିଛନ୍ତି। ଫଟୋରେ ଶ୍ରୀମନ୍ଦିର ନାଭିକଟା ମଣ୍ଡପ ସାଙ୍ଗକୁ ସାତପାହାଚ ଓ ଅନ୍ୟାନ୍ୟ ସ୍ଥାନ ଦୃଶ୍ୟମାନ ହେଉଛି। ମୋବାଇଲ୍ ଫୋନ୍‌ କି କ୍ୟାମେରାରେ ଫଟୋ ଉଠାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସଂଧ୍ୟାରେ ଶ୍ରୀମନ୍ଦିର ଓ ପାଖ ମନ୍ଦିର ଏହି ଫଟୋରେ ଦୃଶ୍ୟମାନ ହେଉଛି। ଫଟୋ ଭାଇରାଲ ହେବା ପରେ କିଛି ସ୍ବେଚ୍ଛାସେବୀ ସଂଗଠନ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।‌ ସୋସିଆଲ୍ ମିଡିଆରୁ ଜଣାପଡ଼ିଥିବା ତଥ୍ୟ ଅନୁସାରେ ତେଜସ୍ ସୁରତର ରାଧା ଦାମୋଦର ମନ୍ଦିରରେ ସେବକ ଭାବେ କାମ କରୁଛନ୍ତି। ଜଣେ ସେବକ ହୋଇ ବି ଶ୍ରୀମନ୍ଦିରର ଆପତ୍ତିଜନକ ଫଟୋ ତେଜସ୍ କେଉଁ ପରିସ୍ଥିତିରେ ଭାଇରାଲ କଲେ ତାକୁ ନେଇ ବି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର