ଶ୍ରୀମନ୍ଦିର ଭିତର ଭଣ୍ଡାର ‘ଡୁପ୍ଲିକେଟ୍‌’ ଚାବି ମିଳିବା ପରେ ଘନେଇଲା ସନ୍ଦେହ; ଟ୍ରେଜେରିରେ ନ ରହି କାହିଁକି ରେକର୍ଡ ରୁମ୍‌ରେ ରହିଲା ? କିଏ ତିଆରି କଲା ‘ଡୁପ୍ଲିକେଟ୍‌’ ??

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ବୋଲି ଅଭିଯୋଗ ଆଣିଲେ ରାଜନେତା

ଭୁବନେଶ୍ୱର/ପୁରୀ: ଗତ ୭୦ ଦିନ ଧରି ରାଜ୍ୟ ସରକାର, ରାଜ୍ୟବାସୀ, ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ପ୍ରେମୀ ମହଲରେ ଚର୍ଚ୍ଚାର ବିଷୟ ପାଲଟି ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗର ଏବେ ନୂଆ ମୋଡ ନେଇଛି । ଗତକାଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଜିଲ୍ଲା ରେକର୍ଡ ରୁମ୍‌ର ଏକ ଲକର୍‌ରେ ଥିବା ଏକ ଲଫାଫାରେ ଏହି ଚାବି ରହିଛି ଏବଂ ଏହି ଲଫାପା ଉପରେ ଭିତର ରତ୍ନଭଣ୍ଡାର ଚାବି (ଡୁପ୍ଲିକେଟ୍‌) ବୋଲି ଉଲ୍ଲେଖ ରହିଛି ବୋଲି ଗଣମାଧ୍ୟମକୁ କହିଛନ୍ତି। ଜିଲ୍ଲାପାଳଙ୍କ ଏହି ବୟାନ ପରେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଚାବି ହଜିବା ନେଇ ଗଠନ କରିଥିବା ବିଚାର ବିଭାଗୀୟ ତଦନ୍ତ କମିସନର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଷ୍ଟିସ୍‌ ରଘୁବୀର ଦାସ କମିସନ ଗଠନ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବାର ପୂର୍ବ ଦିନ ପୁରୀ ଜିଲ୍ଲାପାଳ ହଠାତ୍‌ ଭିତର ଭଣ୍ଡାରର ‘ଡୁପ୍ଲିକେଟ୍‌’ ଚାବି ରେକର୍ଡ ରୁମରୁ ଖୋଜି ପାଇବା ତଥ୍ୟାଭିଜ୍ଞ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।

ଏହି ଘଟଣା ପରେ ଭିତର ଭଣ୍ଡାର ଚାବି ନେଇ ଏବେ ବିଭିନ୍ନ ଅସମାହିତ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ବିଶେଷ କରି ଟ୍ରେଜେରିରେ ରହିବା ଚାବି ଦୀର୍ଘ ୩୦ ବର୍ଷ ଧରି ରେକର୍ଡ ରୁମ୍‌ରେ ରହିବା ସହିତ କିଏ କେଉଁ ପରିସ୍ଥତିରେ ଡୁପ୍ଲିକେଟ ଚାବି ନିର୍ମାଣ କରିଥିଲା ସେ ନେଇ ଏବେ ସନ୍ଦେହର ବଳୟ ସୃଷ୍ଟି ହେବାରେ ଲାଗିଛି। ବିଶେଷ କରି ଏହି ଡୁପ୍ଲିକେଟ ଚାବି ନେଇ ଶ୍ରୀମନ୍ଦିର ପରିଚଳନା କର୍ତ୍ତୃପକ୍ଷଙ୍କ ପାଖରେ, ଜିଲ୍ଲାପାଳଙ୍କ ରେକର୍ଡରେ କିମ୍ବା ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ଅଛି କି ବୋଲି ପ୍ରଶ୍ନ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚା ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲାପାଳଙ୍କୁ ଚାବି ପାଇଁ ଚିଠି ଲେଖିଥିଲେ। ତଦନୁଯାୟୀ ଜିଲ୍ଲାପାଳ ଟ୍ରେଜେରିକୁ ଚାବି ଦେବାକୁ ନିର୍ଦେଶ ଦେଇଥିଲେ। ହେଲେ ଗତ ଏପ୍ରିଲ ୨ ତାରିଖରେ ଟ୍ରେଜେରି ଅଧିକାରୀ ଜଣାଇଥିଲେ ଯେ ତାଙ୍କ ପାଖରେ ରତ୍ନଭଣ୍ଡାର ଭିତର ଚାବି ନାହିଁ। ଏହି ଆଧାରରେ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଚାବି ମିଳୁନଥିବା ସଂପର୍କରେ ୩ ତାରିଖରେ ଜଣାଇଥିଲେ। ଆଉ ୪ ତାରିଖରେ ଖାସ୍‌ ଏହି କାରଣରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ଯାଇ ପାରି ନ ଥିଲା।
ଗତ ମାସ ୨୪ ତାରିଖରେ ରତ୍ନଭଣ୍ଡାର ଚାବି କେଉଁଠି ଅଛି, ତାହାକୁ ଭଲ ଭାବେ ଖୋଜିବା ଲାଗି ଶ୍ରୀମନ୍ଦିର ନୀତି ପ୍ରଶାସକ ଚିଠି ଲେଖି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କ ତତ୍ତ୍ଵାବଧାନରେ ଚାବି ଖୋଜିବା ପାଇଁ ଦୁଇଟି କମିଟି ଗଠନ କରାଯାଇଥିଲା। ଏହି କମିଟି ଜିଲ୍ଲା ରେକର୍ଡ଼ ରୁମ୍‌ ଯାଞ୍ଚ କରିବା ପରେ ଜଉମୁଦ ଦିଆ ଏକ ଲଫାଫା ପାଇଥିଲେ। ଏହି ଲଫାଫା ଉପରେ ଭିତର ରତ୍ନଭଣ୍ଡାର ଚାବି ( ଡୁପ୍ଲିକେଟ) ବୋଲି ଉଲ୍ଲେଖ ରହିଥିଲା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଚାବି ହଜିବା ଘଟଣା ନେଇ ରାଜ୍ୟରେ ରାଜନୈତିକ ପାଣିପାଗ ଗରମ ହେଉଥିବା ଜାଣିବା ପରେ ରାଜ୍ୟ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଆଜି ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏ ସମ୍ପର୍କିତ ଟର୍ମସ ଅପ ରେଫରେନ୍ସ ପ୍ରକାଶ ପାଇଛି।


ଉଲ୍ଲେଖଯୋଗ୍ୟ, ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଚାବି ଖୋଲିଥିଲା। ମହାପ୍ରଭୁଙ୍କ ରତ୍ନଚିତା ମରାମତି ପାଇଁ ସେ ସମୟରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ହେଲେ ରତ୍ନଭଣ୍ଡାରରେ ଜଉମୁଦ ଦିଆଯାଇ ତାଲା ପଡିବା ପରେ ଚାବିି କାହା ପାଖରେ ରହିଲା, ସେ ସୂଚନା ଏ ପର୍ଯ୍ୟନ୍ତ ସଂଗ୍ରହ କରାଯାଇ ନାର୍ହିଁ। ଅପରପକ୍ଷେ ଏକ ଜଉମୁଦ ଦିଆ ଲଫାପାରେ ଥିବା ଡୁପ୍ଲିକେଟ ଚାବି ମିଳିବା ଘଟଣା ଏହି ଚାବି ହଜିବା ପ୍ରସଙ୍ଗକୁ ଅଧିକ ଜଟିଳ କରିଛି।
ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜୋର ଧରିଛି। ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଚାବି ମିଳିଛି। ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ ରୁମ୍‌ରୁ ମିଳିଛି। ଘଟଣା ନେଇ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ କରି ସାରିଛନ୍ତି। ତେଣୁ ୩ ମାସ ମଧ୍ୟରେ ତଦନ୍ତ କମିଶନ ତଦନ୍ତ କରି ରିପୋର୍ଟ ଦେବା ପରେ ସମସ୍ତ ଦ୍ୱନ୍ଦ୍ୱ ଦୂର ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ଅପରପକ୍ଷେ ବିଜେପି ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଘେରିଛି। ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ବିରୋଧରେ ର୍କ୍ୟାାନୁଷ୍ଠାନ ନେବା କଥା। ମାତ୍ର ତାହା ହେଉ ନ ଥିବାରୁ ବିଜେପି ଜିଲ୍ଲାପାଳଙ୍କ ବିରୋଧରେ ଏଫଆଇଆର ଦେବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିବ। ଆବଶ୍ୟକ ପଡ଼ିଲେ ବିଜେପି ନ୍ୟାୟାଳୟର ଆଶ୍ରୟ ନେବ ବୋଲି ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିତାମ୍ବର ଆଚାର୍ଯ୍ୟ ଓ ସମୀର ମହାନ୍ତି କହିଛନ୍ତି। ଯଦି ଏହି ଚାବି ଡୁପ୍ଲିକେଟ, ତେବେ ମୂଳ ଚାବି କୁଆଡେ ଗଲା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।
ସେହିପରି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଜିଲ୍ଲାପାଳ ପ୍ର୍ରଥମେ କହିଲେ ଚାବି ମିଳୁ ନାହିଁ. ଏବେ କହୁଛନ୍ତି ଚାବି ମିଳିଲା। ଏ ସମସ୍ତ ପ୍ରକରଣକୁ ଜିଲ୍ଲାପାଳ ଅଧିକ ଜଟିଳ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର