ସୁପ୍ରିମକୋର୍ଟଙ୍କୁ ଭୁତାଉଛି ଶ୍ରୀମନ୍ଦିର ପ୍ରଶାସନ

ପୂର୍ବପରି ଆଦାୟ ଚାଲିଛି ଦାନଦକ୍ଷିଣା, ଟଙ୍କା ଦେଲେ ଦର୍ଶନ ପାଇଁ ମିଳିଯାଉଛି ଗଳିଆବାଟ, ସିଂହଦ୍ବାରରୁ ସାତପାହାଚ, ନାଟମଣ୍ଡପରେ ଏବେ ବି ଚାଲିଛି ଠେଲାପେଲା

ପୁରୀ : ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୧୨ଟି ଗୁରୁତ୍ବପୂର୍ଣ୍ଣ ଆଦେଶର ଅନୁପାଳନ ପାଇଁ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଯେଉଁଥିରେ ଦାନଦକ୍ଷିଣା ଆଦାୟ ବନ୍ଦ, ଶୃଙ୍ଖଳିତ ଦର୍ଶନଠାରୁ ଆରମ୍ଭ କରି ଅନେକ ଗୁରୁତ୍ବପୂର୍ଣ୍ଣ ଆଦେଶ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ଆଦେଶଗୁଡିକୁ ପାଳନ କରୁଥିବା ଯୁକ୍ତି ବାଢ଼ି ଆସୁଛି। କିନ୍ତୁ ବାସ୍ତବ ସ୍ଥିତି ପରଖିଲେ ଆଜି ପର୍ଯ୍ୟନ୍ତ ୧୨ଟି ଆଦେଶରୁ କୌଣସି ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ। ସବୁଠୁ ବଡ କଥା ହେଉଛି, ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଦାନଦକ୍ଷିଣା ଆଦାୟ ବନ୍ଦ କରିପାରିନି। ଏବେ ମଧ୍ୟ ଶ୍ରୀମନ୍ଦିର ଭିତରକାଠ, ନାଟମଣ୍ଡପ, ବେଢ଼ାରେ ଭକ୍ତଙ୍କଠାରୁ ଖୋଲାଖୋଲି ଦାନଦକ୍ଷିଣା ଆଦାୟ ହେଉଛି। ଟଙ୍କା ଦେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗଳିଆବାଟ ମିଳିଯାଉଛି। ପ୍ରତିଦିନ ଠେଲାପେଲା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

ଗତ ଜୁନ୍ ୭ରେ ଆଇନଜୀବୀ ମୃଣାଳିନୀ ପାଢ଼ୀ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂପର୍କିତ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଯେଉଁଥିରେ ସେ ଶ୍ରୀମନ୍ଦିରରେ ଦାନଦକ୍ଷିଣା ନାଁରେ ସେବାୟତଙ୍କ ଜୁଲମ ଚାଲିଥିବା ଦର୍ଶାଇ ଏହାର ସ୍ଥାୟୀ ପ୍ରତିକାର ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ।

ପରବର୍ତୀ ସମୟରେ ସୁପ୍ରିମକୋର୍ଟ ଜିଲ୍ଲା ଜଜଙ୍କ ରିପୋର୍ଟ ଆଧାରରେ ୧୨ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ଆଦେଶ ଦେଇଥିଲେ। ତେବେ ଏହି ୧୨ଟି ଆଦେଶ ମଧ୍ୟରୁ ୩ଟିକୁ ବାଦ୍‌ ଦେଲେ ଶ୍ରୀମନ୍ଦିର ପ୍ରଶାସନ ବାକି ଆଦେଶକୁ କାର୍ଯ୍ୟକାରୀ କରି ସାରିଥିବା ଯୁକ୍ତି ବାଢ଼ୁଛି। କିନ୍ତୁ ତୃଣମୂଳସ୍ତରରୁ ଦେଖିଲେ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କଥା ଯେ ଡାହା ମିଛ ତାହା ଜଳଜଳ ହୋଇ ଦିଶୁଛି। ସୁପ୍ରିମକୋର୍ଟ ଦାନଦକ୍ଷିଣା ବନ୍ଦକୁ ବିଶେଷ ଗୁରୁତ୍ବ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏଥିରେ ରୋକ୍ ଲାଗିପାରିନି। ଏବେ ବି ପୁଲିସ ଓ ଜେଟିପିଙ୍କ ସମ୍ମୁଖରେ ଖୋଲାଖୋଲି ଜୋର ଜବରଦସ୍ତ ଦାନଦକ୍ଷିଣା ଆଦାୟ ଚାଲିଛି।

ଶ୍ରୀମନ୍ଦିର ବେଢ଼ା ଭିତରେ ଏବଂ ନାଟମଣ୍ଡପ ଘଣ୍ଟିଦ୍ବାର ସମ୍ମୁଖ ପ୍ରବେଶ ଦ୍ବାରରେ ଭକ୍ତଙ୍କଠାରୁ ପୁଲିସ ସମ୍ମୁଖରେ ଟଙ୍କା ଆଦାୟ କରାଯାଉଛି। ଆଉ ଭକ୍ତଙ୍କ ପାଇଁ ଗଳାବାଟ ବି ଫିଟାଇ ଦିଆଯାଉଛି। ଯେଉଁଥିରେ ପୁଲିସମାନେ ସହଯୋଗ କରୁଛନ୍ତି। ତାଲା ପଡ଼ିଥିବା ଦ୍ବାରକୁ ଟଙ୍କା ଦେଉଥିବା ଭକ୍ତଙ୍କ ପାଇଁ ଖୋଲି ଦିଆଯାଉଛି। କିନ୍ତୁ ଟଙ୍କା ଦେଉନଥିବା ଭକ୍ତଙ୍କୁ ନାଲିଆଖି ଦେଖାଇ ତଡ଼ି ଦିଆଯାଇଛି। ଶହେ କି ଦୁଇ ଶହ ନୁହେଁ, ଏକାଥରେ ୫୦୦ରୁ ଅଧିକ ଟଙ୍କା ଭକ୍ତଙ୍କଠାରୁ ଦାବି କରାଯାଉଛି। ଦିନେ ଅଧେ ନୁହେଁ, ଏହା ନିତିଦିନିଆ ଘଟଣା ପାଲଟିଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ମାଗଦାଙ୍କୁ ଶ୍ରୀମନ୍ଦିରରୁ ସଂପୂର୍ଣ୍ଣ ଉଚ୍ଛେଦ କରିଥିବା କହୁଛି। କିନ୍ତୁ ଏବେ ମଧ୍ୟ ମାଳମାଳ ମାଗଦା ଶ୍ରୀମନ୍ଦିର ବୁଲୁଛନ୍ତି। ସୁତରାଂ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଶୃଙ୍ଖଳିତ ଦର୍ଶନ କଥା କହୁଛି ସେଥିରେ କିଛି ବି ପରିବର୍ତନ ହୋଇନାହିଁ। ଆଜି ମଧ୍ୟ ଶ୍ରୀମନ୍ଦିରରେ ଭକ୍ତମାନେ ପ୍ରବଳ ଠେଲ‌ାପେଲା ଭିତରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଯେଉଁଥି ପାଇଁ ଭକ୍ତମାନେ ଦର୍ଶନ ପାଇଁ କଲବଲ ହେଉଛନ୍ତି। ଆମିକସ୍‌ କ୍ୟୁରି ଆସିବା ସମୟରେ ଶ୍ରୀମନ୍ଦିର ହୁଣ୍ଡି ନାଟମଣ୍ଡପରେ ନରଖି ଚାରିଦ୍ବାରରେ ଦେଖାଯିବା ଭଳି ସ୍ଥାନରେ ରଖିବାକୁ ପରାମର୍ଶ ଦେଇଥିଲେ। ଅଥଚ ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ ଏହାକୁ ଲଗାଇ ପାରିନି। ଆନନ୍ଦ ବଜାରରେ ବି ଭକ୍ତ ଶୋଷଣର ଶିକାର ହେଉଛନ୍ତି। ଶ୍ରୀମନ୍ଦିର ବେଢ଼ା‌ରେ ଟଙ୍କ ତୋରାଣୀ, ଅବଢ଼ା ବିକ୍ରି ଚାଲିଛି। ସିସିଟିଭି ଲଗାଇଥିବା ଶ୍ରୀମନ୍ଦିର ପ୍ରଶାସନ ଏହା ଆଧାରରେ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦେଖିବାକୁ ମିଳିନାହିଁ। ଏଥିରୁ ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟଙ୍କ କେଉଁ ଆଦେଶ ପାଳନ କରିଛନ୍ତି ଓ କେଉଁ ଆଦେଶ ପାଳନ କରିନାହାନ୍ତି ତାହା ଜଳଜଳ ହୋଇ ଦିଶୁଛି। ସୁପ୍ରିମକୋର୍ଟଙ୍କ ଆଦେଶ ପୂର୍ବରୁ ଭକ୍ତମାନେ ଯେମିତି କଷ୍ଟ ଯନ୍ତ୍ରଣା ପାଉଥିଲେ ଏବେ ମଧ୍ୟ ତାହା ବଳବତ୍ତର ରହିଛି।

ସମ୍ବନ୍ଧିତ ଖବର